ଗଞ୍ଜାମରେ ଚାଷୀଙ୍କ ଚେତାବନୀ: କ୍ଷତିପୂରଣ ନମିିଳିଲେ ଆତ୍ମହୁତୀ

ଧାନ କ୍ଷେତରେ ନିଆଁ ଲଗାଇବା ଘଟଣା ୪ର୍ଥ ଦିନରେ ଜାରି

ବ୍ରହ୍ମପୁର: ଗତ ୪ ଦିନ ଭିତରେ ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାରେ ଅନେକ ଚାଷୀ ସେମାନଙ୍କର ଧାନ କ୍ଷେତରେ ନିଆଁ ଲଗାଇଥିବା ବେଳେ ଶୁକ୍ରବାର ମଧ୍ୟ ଏହା ଜାରି ରହିଛି। ବଲାଙ୍ଗୀର ଜିଲ୍ଲା ଲୋଇସିଂହା ବ୍ଲକ ଅନ୍ତର୍ଗତ କୁଟୁମଡୁଲା ଗ୍ରାମରେ ୨ଜଣ ଚାଷୀ ନିଜ ଫସଲରେ ନିଆଁ ଲଗାଇଥିବା ବେଳେ ଗଞ୍ଜାମ ଜିଲ୍ଲା ଚିକିଟି ଅଞ୍ଚଳରେ ଚାଷୀ ଆତ୍ମହୁତୀ ଦେବା ପାଇଁ ଚେତାବନୀ ଦେଇଛନ୍ତି। ଧାନ କ୍ଷେତରେ ପୋକ ଲାଗିଥିଲେ ମଧ୍ୟ ପ୍ରତିକାର ପାଇଁ ସରକାରଙ୍କ ପାଖରୁ କୌଣସି ସହାୟତା ମିଳି ନଥିବାରୁ ଚାଷୀମାନେ ବାଧ୍ୟ ହୋଇ ଏମିତି କରୁଥିବା ଜଣାପଡ଼ିଛି।

ମିଳିଥିବା ସୂଚନା ଅନୁସାରେ ଗଞ୍ଜାମ ଜିଲ୍ଲା ଚିକିଟି ବ୍ଲକ ଅନ୍ତର୍ଗତ ରଂପା ଗ୍ରାମବାସୀ ଜିଲ୍ଲାପାଳ ପ୍ରେମଚନ୍ଦ୍ର ଚୌଧରୀଙ୍କୁ ଭେଟି ଆବେଦନ କରିଛନ୍ତି। ରଂପା ଗ୍ରାମବାସୀ ୫୦ରୁ ୧୦୦ ଏକର ଜମିରେ ଧାନ ଚାଷ କରନ୍ତି। ଧାନ ହେଉଛି ସେମାନଙ୍କର ମୁଖ୍ୟ ଫସଲ ଓ ସେଥିରେ ସେମାନେ ପରିବାର ପୋଷନ୍ତି। ଏହି ଫସଲ ସମ୍ପୁର୍ଣ୍ଣ ନଷ୍ଟ ହୋଇ ଯିବାରୁ ଚାଷୀ କୂଳ ହତାଶ ହୋଇଛନ୍ତି। ସେମାନେ ଋଣ କରି ଚାଷ କରିଥିବାରୁ କେମିତି ଏହା ପ୍ରତିଶୋଧ କରିବେ ସେ ନେଇ ଚିନ୍ତାରେ ବୁଡ଼ି ରହିଛନ୍ତି। ବର୍ତମାନ ପରିସ୍ଥିତିରେ ଋଣ ପରିଶୋଧ କରିବା ଅସମ୍ଭବ ବୋଲି ଚାଷିମାନେ ଜିଲ୍ଲାପାଳଙ୍କୁ କହିଥିବା ବେଳେ କ୍ଷତିପୂରଣ ନମିଳିଲେ ବାଧ୍ୟ ହୋଇ ଆତ୍ମହତ୍ୟା କରିବେ ବୋଲି ଚେତାବନୀ ଦେଇଛନ୍ତି।

ଧାନ ଫସଲ ନଷ୍ଟ କରାଯିବା ପରେ କଂଗ୍ରେସ ରାଜ୍ୟ ସରକାରଙ୍କୁ ବିରୋଧ କରି ଶୁକ୍ରବାର ଅନ୍ଦୋଳନ କରିଛି। ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ତରଫରୁ ନିଆଯାଇଥିବା ନିଷ୍ପତ୍ତି ଅନୁସାରେ କୃଷକ ସମସ୍ୟା ନେଇ ବରଗଡ଼ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଶୁକ୍ରବାର ଧାରଣା ଦିଆଯାଇଛି। ସେହିଭଳି ଅକ୍ଟୋବର ୭ରେ ଅଫିସ୍‌ ଘେରାଉ ହେବ। ପିସିସି ସଭାପତି ପ୍ରସାଦ ହରିଚନ୍ଦନ କହିଛନ୍ତି କେନ୍ଦ୍ର ଓ ରାଜ୍ୟ ସରକାର କୃଷି ଋଣ ଛାଡ଼ କରନ୍ତୁ। ସେହିଭଳି ମୃତ ଚାଷୀଙ୍କ ପରିବାରକୁ ୨୦ଲକ୍ଷ ଟଙ୍କା କ୍ଷତିପୂରଣ ଦିଆଯାଉ। ସେ କହିଛନ୍ତି, ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ୩ ହଜାର ଟଙ୍କା ଓ ଭାଗଚାଷୀଙ୍କୁ ଇନ୍‌ପୁ ସବ୍‌ସିଡି ଦିଅ।

ସୂଚନାଯୋଗ୍ୟ, ଜଳସେଚନର ଅଭାବ ଓ ସରକାରଙ୍କ ଅସହଯୋଗ ଯୋଗୁଁ ଋଣ ଗ୍ରସ୍ତ ପଶ୍ଚିମ ଓଡ଼ିଶା ଓ ଦକ୍ଷିଣ ଓଡ଼ିଶାର ଚାଷୀମାନେ ଚାଷ ପ୍ରତି ବିତୃଷ୍ଣା ଭାବ ଦେଖାଉଛନ୍ତି। ଚକଡ଼ା ପୋକ ଲାଗିିବାରୁ ବରଗଡ଼ ଜିଲ୍ଲାର କଳାପାଣି ଗ୍ରାମରେ ମଙ୍ଗଳବାର ବୃନ୍ଦା ସାହୁ ନାମକ ଜଣେ ଚାଷୀ ନିଜ ଧାନ ବିଲରେ ନିଅାଁ ଲଗାଇବା ପରେ ବୁଧବାର ବିଷ ପିଇ ଆତ୍ମହତ୍ୟା କରିଛନ୍ତି। ବରଗଡ଼ ଜିଲ୍ଳାରେ ଋଣ ଗ୍ରସ୍ତ ଚାଷୀ ବିଲରେ ନିଆଁ ଲଗାଇଥିବା ବେଳେ ପଡୋଶୀ ସମ୍ବଲପୁର ଓ ଝାରସୁଗୁଡ଼ା ଜିଲ୍ଲାରେ ମଧ୍ୟ ବୁଧବାର ଚାଷୀମାନେ ସେମାନଙ୍କ ଫସଲରେ ନିଆଁ ସଂଯୋଗ କରିଛନ୍ତି। ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ବ୍ଲକ ଅନ୍ତର୍ଗତ ଖପ୍ରାଖୋଲରେ ଗୁରୁବାର ଆଉ ଜଣେ ଚାଷୀ କ୍ଷେତରେ ନିଅାଁ ଲଗାଇଛନ୍ତି।

ସମ୍ବନ୍ଧିତ ଖବର