ବ୍ରହ୍ମପୁରରୁ ଅପହୃତ ଯୁବକ ଉଦ୍ଧାର; ୨ ଭାଇ ଗିରଫ, ୩ ଲକ୍ଷ ଟଙ୍କା ଦାବିରେ ମୁଣ୍ଡ ଜାମିନ୍‌ ରଖିଥିଲେ

ବ୍ରହ୍ମପୁର : ଜଣେ ଯୁବକଙ୍କୁ ଅପହରଣ କରି ୩ ଲକ୍ଷ ୪୦ହଜାର ଟଙ୍କାର ମୁଣ୍ଡ ଜାମିନ୍‌ ରଖିଥିବା ଅଭିଯୋଗରେ ଦୁଇ ଜଣଙ୍କୁ ବ୍ରହ୍ମପୁର ବୈଦ୍ୟନାଥପୁର ଥାନା ପୁଲିସ ଗିରଫ କରିବାରେ ସକ୍ଷମ ହୋଇଛି। ସେମାନେ ହେଲେ ବାଲାଜୀ ବେହେରା (୨୫) ଓ ତାଙ୍କ ସାନ ଭାଇ ଶିବାଜୀ ବେହେରା (୨୨) । ଏନେଇ ଥାନାରେ କେସ୍‌ ନଂ ୫୭/୨୦ରେ ଏକ ମାମଲା ରୁଜୁ ହୋଇଥିବା ବେଳେ ଅପହୃତ ଯୁବକ ଶୁଭାଶିଷ ପାତ୍ରଙ୍କୁ ପୁଲିସ ଉଦ୍ଧାର କରି ପରିବାରବର୍ଗଙ୍କ ଜିମା ଦେଇଛି। ଦୁଇ ଅଭିଯୁକ୍ତଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଥିଲା। ‌ସେମାନଙ୍କ ଜାମିନ ନାମଞ୍ଜୁର ହେବା ପରେ ଦୁହିଁଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଥିବା ସୂଚନା ମିଳିଛି।

ବୈଦ୍ୟନାଥପୁର ଥାନାଧିକାରୀ ସାରଦା ପ୍ରସନ୍ନ ଦାସଙ୍କ ସୂଚନା ଅନୁଯାୟୀ ଗତ ୭ ତାରିଖ ଗୋଦାବରୀଶ ନଗରରେ ରହୁଥିବା ଶୁଭାଶିଷଙ୍କୁ ସିଟି ହାଇସ୍କୁଲ ନିକଟରୁ ଦୁର୍ବୃତ୍ତମାନେ ଅପହରଣ କରି ନେଇଯାଇଥିଲେ। ଏହାପରେ ସେମାନେ ପ୍ରଥମେ ଶୁଭାଶିଷଙ୍କ ମା’ ଅର୍ପିତାଙ୍କୁ ତାଙ୍କ ପୁଅକୁ ୧ଲକ୍ଷ ଟଙ୍କାରେ ମୁଣ୍ଡ ଜାମିନ୍ ରଖାଯାଇଥିବା କହିଥିଲେ । ୨ ଦିନ ପରେ ୩ଲକ୍ଷ ୪୦ ହଜାର ଟଙ୍କା ଦେଲେ ତୁମ ପୁଅକୁ ଫେରାଇ ଦିଆଯିବ ବୋଲି ଫୋନ୍‌ରେ ଧମକ ଦେଇଥିଲେ। ଏ ନେଇ ଅର୍ପିତା ବୈଦ୍ୟନାଥପୁର ଥାନାରେ ଏତଲା ଦେଇଥିଲେ। ତାଙ୍କ ଅଭିଯୋଗକୁ ଭିତ୍ତି କରି ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ମୋବାଇଲ ଟ୍ରାକିଂ ଜରିଆରେ ଗତକାଲି ରାତିରେ ଅଭିଯୁକ୍ତ ଦୁଇଭାଇଙ୍କୁ ଲକ୍ଷ୍ମୀନୃସିଂହନଗର ୭ମ ଗଳି ସ୍ଥିତ ବାସଭବନରୁ ଗିରଫ କରିବା ସହ ଶୁଭାଶିଷଙ୍କୁ ଉଦ୍ଧାର କରିବାରେ ସକ୍ଷମ ହୋଇଥିଲା। ଅଭିଯୁକ୍ତ ଦୁଇ ଭାଇ ସିଟି ହାଇସ୍କୁଲ ରୋଡ଼ରେ ଚା’ ଦୋକାନ କରିଥିବା ବେଳେ ସେମାନେ ପୋଲସରାର ମୂଳ ନିବାସୀ ବୋଲି ଜଣାପଡ଼ିଛି।

ସମ୍ବନ୍ଧିତ ଖବର