ବଦଳୁଛି ନିୟମ, ବଦଳୁନି ରାସ୍ତା ; ହାତ ଠାରି ଡାକୁଛି ମୃତ୍ୟୁ ଖାଲ

ବ୍ରହ୍ମପୁର: ସଡ଼କ ସୁରକ୍ଷା ପାଇଁ ସରକାରଙ୍କ ପକ୍ଷରୁ ନୂତନ ନିୟମ ଲାଗୁ ହେଉଛି। ତାହାକୁ ସଂଶୋଧନ କରି ପୁଣି ନୂଆ ନିୟମ ଯୋଡ଼ା ଯାଉଛି। ବାଇକ୍ ଚାଳକଙ୍କ ଠାରୁ ଆରମ୍ଭ କରି ପଛରେ ବସିଥିବା ବ୍ୟକ୍ତିଙ୍କ ପାଇଁ ମଧ୍ୟ ହେଲମେଟ୍‌ ନିୟମ ଲାଗୁ ହେଉଛି। ଏହାକୁ କଡ଼ାକଡ଼ି କରାଯାଉଥିବା ବେଳେ ‌ସେ ଅନୁସାରେ ରାସ୍ତାର ମରାମତି ହୋଇପାରୁ ନାହିଁ। କେଉଁଠି ରାସ୍ତାରୁ ପିଚୁ ଉଠିଗଲାଣି ତ ଆଉ କେଉଁଠି ପଥର ବାହାରି ମାଟି ବି ଦେଖାଗଲାଣି। ପାଦେ ପାଦେ ଦୂରରେ ଗାତ ସୃଷ୍ଟି ହେଲାଣି। ଏଭଳି ‌ଦଦରା ରାସ୍ତା ସମସ୍ୟାରେ ଘାଣ୍ଟି ହେଉଛନ୍ତି ବ୍ରହ୍ମପୁର ସହରବାସୀ। ବ୍ରହ୍ମପୁର ସହରର ଲାଇଫ୍ ଲାଇନ୍ ବୋଲାଉଥିବା ଗେଟ୍‌ ବଜାର ଛକ ଠାରୁ ଫାଷ୍ଟଗେଟ୍‌ ପର୍ଯ୍ୟନ୍ତ ରାସ୍ତା ଏବେ ଶୋଚନୀୟ ହୋଇପଡ଼ିଛି। ଏହି ରାସ୍ତା ଦେଇ ପ୍ରତିଦିନ ହଜାର ହଜାର ଲୋକ‌େ ଯାତାୟାତ କରୁଥିବା ବେଳେ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଉ ନାହିଁ ବୋଲି ଅଭିଯୋଗ ହୋଇଛି।

ରାୟପୁର ଠାରୁ ଗୋପାଳପୁରକୁ ସଂଯୋଗ କରୁଥିବା ୫୯ ଜାତୀୟ ରାଜପଥ ବ୍ରହ୍ମପୁର ସହର ମଧ୍ୟ ଦେଇ ଯାଇଛି। ଏହି ଜାତୀୟ ରାଜପଥର ବ୍ରହ୍ମପୁର ଗେଟ୍‌ ବଜାର ଠାରୁ ଫାଷ୍ଟ ଗେଟ୍‌ ରାସ୍ତା ଦିନକୁ ଦିନ ଖରାପ ହେବାରେ ଲାଗିଛି। ଏହା ସହରର ମୁଖ୍ୟ ରାସ୍ତା ହୋଇଥିବା ବେଳେ ପ୍ରତିଦିନ ଶହ ଶହ ବସ୍‌ ଠାରୁ ଆରମ୍ଭ କରି ମାଲବାହୀ ଗାଡ଼ି ଯାତାୟାତ କରୁଛି। ଏହି ରାସ୍ତାଟି ସହରକୁ ପ୍ରବେଶ ପଥ ଭାବେ ରହିଥିବା ବେଳେ ଦିନ ତମାମ୍ ଏହି ରାସ୍ତାରେ ଭିଡ଼ ଜମୁଛି। ପ୍ରତିଦିନ ଏଠି ଟ୍ରାଫିକ୍ ସମସ୍ୟା ସୃଷ୍ଟି ହେଉଛି। ଏଥିସହ ରାସ୍ତାରେ ବଡ଼ ବଡ଼ ଗାତ ସୃଷ୍ଟି ହୋଇ ମୃତ୍ୟୁଖାଲ ରୂପ ନେଲାଣି। କିନ୍ତୁ ରାସ୍ତା ମରାମତି ହେଉ ନାହିଁ କି ତିଆରି ହେଉନାହିଁ। ଜାତୀୟ ରାଜପଥ ବିଭାଗ ପକ୍ଷରୁ ସେହି ଖାଲ ସ୍ଥାନରେ ପ୍ୟାଚ୍‌‌ ପଡ଼ୁଛି। କିଛିଦିନ ପରେ ମରାମତି ହୋଇଥିବା ସ୍ଥାନରୁ ପୁଣି ଖୋଳି ହୋଇଯାଉଛି। ଯାହା ଫଳରେ ଅଧିକାଂଶ ସମୟ ରାସ୍ତା ମରାମତି ଆବଶ୍ୟକତା ପଡ଼ୁଛି। ପୁଣି ରାସ୍ତାରେ ଥିବା ହମ୍ପସ୍ ଗୁଡ଼ିକୁ ହଟାଇ ଦିଆଯାଇଛି। କିନ୍ତୁ ସେଠାରେ ସୃଷ୍ଟି ହୋଇଥିବା ଖାଲକୁ ମରାମତି କରାଯାଉନାହିଁ। ଏହି ଗାତରେ ପଡ଼ି ବହୁ ଲୋକ ଦୁର୍ଘଟଣାର ଶିକାର ହେଉଛନ୍ତି। ବଡ଼ଗାଡ଼ି ସେହି ରାସ୍ତା ଦେଇ ଗଲେ ଯେଭଳି ଭାବେ ଧୂଳି ଉଡ଼ୁଛି ଯେ ବାଇକ୍‌ ଚାଳକଙ୍କୁ ରାସ୍ତା ଦେଖା ଯାଉ ନାହିଁ। ପୂର୍ବାହ୍ଣ ୯ଟାରୁ ରାତି ୯ଟା ପର୍ଯ୍ୟନ୍ତ ଏହି ରାସ୍ତାରେ ଭିଡ଼ ରହୁଥିବା ବେଳେ ଏହି ରାସ୍ତାଟି ଲୋକଙ୍କୁ ଯନ୍ତ୍ରଣା ଦେଉଥିବା ସ୍ଥାନୀୟ ଲୋକ‌େ ପ୍ରକାଶ କରିଛନ୍ତି। ସାଧାରଣ ଲୋକେ ଅସୁବିଧାର ସମ୍ମୁଖୀନ ହେଉଥିବା ବେଳେ ସହରକୁ ଆସୁଥିବା ବହୁ ଆମ୍ବୁଲାନ୍ସ ମଧ୍ୟ ଏହି ଶୋଚନୀୟ ରାସ୍ତା ଦେଇ ଯାତାୟାତ କରୁଛି। ଏଭଳି ସ୍ଥିତିରେ ସରକାରଙ୍କ ନୂତନ ଟ୍ରାଫିକ୍ ନିୟମକୁ ବହୁ ବ୍ୟକ୍ତି ସ୍ବାଗତ କରୁଥିବା ବେଳେ ଦୁର୍ଘଟଣା ରୋକିବା ପାଇଁ ରାସ୍ତା ମରାମତି ପାଇଁ ଦାବି କରିଛନ୍ତି।

ସେମାନେ ଯାହା କହନ୍ତି…

ଜିତେନ୍ଦ୍ର କୁମାର ଦାସ, ଶିକ୍ଷକ

ଜାନୁଆରି ମାସ ଠାରୁ ସରକାର ଟ୍ରାଫିକ ନିୟମକୁ କଡ଼ାକଡ଼ି କରିବା ପାଇଁ ଘୋଷଣା କରିଛନ୍ତି। ବାଇକ ଚାଳକ ସହ ପଛରେ ବସିଥିବା ବ୍ୟକ୍ତି ମଧ୍ୟ ହେଲମେଟ ପିନ୍ଧିବାକୁ ବାଧ୍ୟ କରାଯାଇଛି। ହେଲମେଟ୍ ପିନ୍ଧିବା ସହ ଗାଡ଼ି କାଗଜ ପତ୍ର ରଖିବା ନିହାତି ଆବଶ୍ୟକ। ଏହି ଖରାପ ରାସ୍ତା ଯୋଗୁଁ ଦୁର୍ଘଟଣା ଘଟିଲେ ମୁଣ୍ଡକୁ ସୁରକ୍ଷା ମିଳବ କିନ୍ତୁ ସମ୍ପୂର୍ଣ୍ଣ ଶରୀରକୁ ନୁହେଁ। ତେଣୁ ସଡ଼କ ସୁରକ୍ଷା ନିୟମରେ ରାସ୍ତା ମରାମତି ଦିଗରେ ସରକାର ଧ୍ୟାନ ଦିଅନ୍ତୁ।

ସବିତା ମଞ୍ଜରୀ ବିଶ୍ବାଳ, ଗ୍ରନ୍ଥାଗାରିକ

ଟ୍ରାଫିକ୍‌ ନିୟମ ଉଲ୍ଲଂଘନ ଦ୍ବାରା ଜରିମାନା ଆଦାୟ ହେଉଛି। ଅନ୍ୟ ସୁବିଧା ପାଇଁ ମଧ୍ୟ ଜନସାଧାରଣଙ୍କୁ ଟିକସ ଦେବାକୁ ପଡ଼ୁଛି। ସେଥିରୁ ଯେଉଁ ରାଜସ୍ବ ମିଳୁଛି ସେଥିରେ ଉନ୍ନତମାନର ରାସ୍ତା ତିଆରି ହୋଇପାରୁନାହିଁ। ନିୟମ ଉଲ୍ଲଂଘନ କଲେ ଯେଉଁ ଭଳି ଭାବେ ଲୋକଙ୍କ ପ୍ରତି କାର୍ଯ୍ୟାନୁଷ୍ଠାନ ନିଆଯାଉଛି ରାସ୍ତା ଖରାପ ହେଲେ ସେଥିପ୍ରତି କାହାରି ଦୃଷ୍ଟି ପଡ଼ୁ ନାହିଁ। ତୁରନ୍ତ ଏ ଦିଗରେ ଦୃଷ୍ଟି ଦେଇ ପଦକ୍ଷେପ ଗ୍ରହଣ କରିବା ଆବଶ୍ୟକ।

ଲିଙ୍କନ ଦଳବେହେରା,

ଆଜି ନୁହେଁ ଏଭଳି ରାସ୍ତା ଦେଇ ମାସ ମାସ ଧରି ଯାତାୟାତ କରୁଛି। ରାସ୍ତାର କିଛି ଅଂଶ ଭଲ ରହିଥିବା ବେଳେ ବହୁ ସ୍ଥାନ ଖାଲରେ ଭର୍ତ୍ତି ହୋଇ ରହିଛି। ରାସ୍ତାରେ କେବେ ହମ୍ପସ୍ ତିଆରି କରୁଛନ୍ତି ତ କେବେ ପୁଣି ତାହାକୁ ହଟାଇ ଦେଉଛନ୍ତି। ସହରରେ ବର୍ଷସାରା ମରାମତି କରାଯାଉଛି। କିନ୍ତୁ ଉତ୍ତମ ରାସ୍ତାର ନିର୍ମାଣ ହେଉନାହିଁ। ଫଳରେ କିିଛିଦିନ ପରେ ପୁଣିଥରେ ରାସ୍ତା ଖରାପ୍‌ ହୋଇଯାଉଛି।

ସମ୍ବନ୍ଧିତ ଖବର