ମାହାଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଅବ୍ୟବସ୍ଥା; ବହୁ ସ୍ଥାୟୀ ଡାକ୍ତର ପଦ ଖାଲି, ରୋଗୀ ନିରାଶ

ଆସିଥିଲେ ଜଣେ ଡାକ୍ତର, ବନ୍ଦ ରହିଥିଲା ଅଧିକାଂଶ ବିଭାଗ!

ମାହାଙ୍ଗା: ଗ୍ରାମାଞ୍ଚଳର ଗରିବ ଲୋକଙ୍କୁ ଉତ୍ତମ ସ୍ବାସ୍ଥ୍ୟସେବା ଯୋଗାଇଦେବା ପାଇଁ ସରକାର ବିଭିନ୍ନ ଯୋଜନା କରିଛନ୍ତି। ଏଥିସହ ଭିତ୍ତିଭୂମିର ବିକାଶ ପାଇଁ ବହୁ ପଦକ୍ଷେପ ନିଆଯାଉଛି। କିନ୍ତୁ ସ୍ବାସ୍ଥ୍ୟକେନ୍ଦ୍ରରେ ଡାକ୍ତର ଅଭାବ ଓ କର୍ମଚାରୀଙ୍କ ମନମୁଖି କାର୍ଯ୍ୟ ଯୋଗୁଁ ଜନସାଧାରଣ ସ୍ବାସ୍ଥ୍ୟସେବାରୁ ବଞ୍ଚିତ ହେଉଥିବା ଅଭିଯୋଗ ହେଉଛି। ଏହାର ଦୃଷ୍ଟାନ୍ତ ଦେଖିବାକୁ ମିଳିଛି କଟକ ଜିଲ୍ଲାର ମାହାଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ। ଏହି ସ୍ବାସ୍ଥ୍ୟକେନ୍ଦ୍ର ଉପରେ ମାହାଙ୍ଗା ସମେତ ସାଲେପୁର, ନିଶ୍ଚିନ୍ତକୋଇଲି, ବଡ଼ଚଣା, ଡେରାବିଶ ଆଦି ଅଞ୍ଚଳର ବହୁ ରୋଗୀ ନିର୍ଭର କରୁଛନ୍ତି। ଏଠାରେ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅଧୀକ୍ଷକ ପଦ ସମେତ ଭେଷଜ, ଶିଶୁ ରୋଗ ବିଶେଷଜ୍ଞ, ପ୍ରସୂତି ଓ ସ୍ତ୍ରୀ ରୋଗ ବିଶେଷଜ୍ଞ, ସର୍ଜରୀ ଆଦି ବିଭାଗରେ ସ୍ଥାୟୀ ଡାକ୍ତର ପଦବି ଦୀର୍ଘମାସ ହେଲା ଖାଲି ପଡ଼ିଥିଲା ବେଳେ ଚୁକ୍ତିଭତ୍ତିରେ ୭ଜଣ ଡାକ୍ତରଙ୍କୁ ନିଯୁକ୍ତି ଦିଆଯାଇଛି। ସେମାନଙ୍କ ମଧ୍ୟରୁ ଜଣେ ଡାକ୍ତର ସରକାରୀ କାର୍ଯ୍ୟରେ ଥିବା ବେଳେ ଜଣେ ଛୁଟିରେ ଥିବା ଜଣାଯାଇଛି। ଅନ୍ୟ ୫ଜଣ ଡାକ୍ତରଙ୍କ ଭିତରୁ ଆଜି କେବଳ ଜଣେ ସ୍ବାସ୍ଥ୍ୟକେନ୍ଦ୍ରକୁ ଆସି ରୋଗୀଙ୍କ ଚିକିତ୍ସା କରୁଥିବା ଦେଖିବାକୁ ମିଳିଥିଲା। ସ୍ବାସ୍ଥ୍ୟକେନ୍ଦ୍ରରେ ଜଣେ ଡାକ୍ତର ରୋଗୀସେବା କରୁଥିବା ବେଳେ ପ୍ରାୟ ସମସ୍ତ ବିଭାଗ ବନ୍ଦ ରହିଥିବା ଅଭିଯୋଗ ହେଉଛି।

Sambad

ଏଥିଯୋଗୁଁ ଦୂରଦୂରାନ୍ତରୁ ଆସି ଖରାରେ ଅପେକ୍ଷା କରି ରହିଥିବା ଶିଶୁ, ସେମାନଙ୍କ ଅଭିଭାବକ ଓ ଗର୍ଭବତୀ ମହିଳା ନିରାଶ ହେଇ ଫେରିଥିବା ଜଣାପଡ଼ିଛି। ସ୍ତ୍ରୀରୋଗ ଓ ପ୍ରସୂତି ବିଭାଗ, ଶିଶୁ ବିଭାଗ, ଦନ୍ତ ବିଭାଗ, ଚକ୍ଷୁ ବିଭାଗ, ରକ୍ତ ପରୀକ୍ଷାଗାର, ଏଚ୍ଆଇଭି ପରୀକ୍ଷାଗାର, ରଞ୍ଜନରଶ୍ମି ବିଭାଗ ସମେତ ବହୁ ବିଭାଗ ଆଜି ବନ୍ଦ ଥିବା ଦେଖାଯାଇଥିଲା। ଫଳରେ ପିଲାଙ୍କ ସ୍ବାସ୍ଥ୍ୟ ପରୀକ୍ଷା ପାଇଁ ଆସିଥିବା ଭଉଁରିଆ ଅଞ୍ଚଳର ଶେଖ୍‌ ମହମ୍ମଦ୍‌ ରିଆଜ୍ ନିରାଶ ହୋଇ ଫେରିଥିଲେ। ସେହିପରି ପତ୍ନୀଙ୍କୁ ସ୍ତ୍ରୀ ରୋଗ ବିଶେଷଜ୍ଞ ନିକଟକୁ ଆଣିଥିବା ଗୁଣୁପୁର ଅଞ୍ଚଳର ସୁରେଶ ସାମଲ ଡାକ୍ତର ନ ଥିବାରୁ ଫେରିବାକୁ ବାଧ୍ୟ ହୋଇଥିବା ଜଣାପଡ଼ିଛି। ଏ ନେଇ ‌ରୋଗୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିଲା। ଏ ସମ୍ପର୍କରେ ମାହାଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଭାରପ୍ରାପ୍ତ ଚିକିତ୍ସାଧିକାରୀ ଡାକ୍ତର ତନ୍ମୟ ବେହେରାଙ୍କୁ ପଚାରିବାରୁ ସେ କହିଛନ୍ତି ଯେ ଡାକ୍ତରଖାନାରେ ବହୁ ସ୍ଥାୟୀ ପଦ ଖାଲି ପଡ଼ିଛି। ସେହିପରି ଡ୍ୟୁଟିରେ ଥିବା ଡାକ୍ତର ଓ କର୍ମଚାରୀ କ’ଣ ପାଇଁ ଆସି ନାହାନ୍ତି, ତାହାର ତଦନ୍ତ କରାଯିବ ବୋଲି ସେ ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର