ସରପଂଚଙ୍କ ବିରୋଧରେ ୫୦ଲକ୍ଷ ଟଙ୍କାର ବେଆଇନ ସାମଗ୍ରୀ କିଣା ଓ ଜିଏସଟି ଫାଙ୍କି ଅଭିଯୋଗ

ଖୋର୍ଦ୍ଧା : ଖୋର୍ଦ୍ଧା ବାଲିଅନ୍ତା ବ୍ଲକ ସରକଣା ସରପଂଚଙ୍କ ବିରୋଧରେ ପଂଚାୟତ ସାମଗ୍ରୀ କିଣାରେ ଜିଏସଟି ଫାଙ୍କିବା, ବେଆଇନ ଭାବେ ପଂଚାୟତ କାର୍ଯ୍ୟାଳୟରୁ ଗଛ କାଟି ନେବା ଓ ବିନା ଟେଣ୍ଡରରେ ପୋଖରୀରୁ ମାଛ ଧରିବା ଆଦି ଏକାଧିକ ଅଭିଯୋଗ କରି ଆଜି ପଂଚାୟତର କେତେକ ୱାର୍ଡ ସଭ୍ୟ ଓ ସୂଚନା ଅଧିକାର କର୍ମୀ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି ।

ସୂଚନା ଅଧିକାର କର୍ମୀ ଭଗବାନ ବେହେରା କହିଛନ୍ତି ଯେ ସେ ଏନେଇ ବାଳକାଟି ଫାଣ୍ଡିରେ ଲିଖିତ ଅଭିଯୋଗ କରିଥିଲେ । କିନ୍ତୁ ଏଯାଏଁ ଗଛ ଓ ମାଛ ଚୋରୀ ସମ୍ପର୍କରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନାହିଁ । ସେହିଭଳି ପଂଚାୟତର ବିଭିନ୍ନ ସାମଗ୍ରୀ କିଣାରେ ଜିଏସଟି କର ଫାଙ୍କିବା ନେଇ ସେ ସୂଚନା ଅଧିକାର ଆଇନରେ ତଥ୍ୟ ମଗାଇଥିଲେ । ମିଳିଥିବା ତଥ୍ୟରୁ ଏକାଧିକ ଘଟଣାରେ ମିଥ୍ୟା ଜିଏସଟି ନମ୍ବର, ବିଭିନ୍ନ ବ୍ୟବସାୟିକ ପ୍ରତିଷ୍ଠାନ ନାମରେ ମିଥ୍ୟା ବିଲ୍ କରି ୫୦ଲକ୍ଷ ଟଙ୍କାର ସାମଗ୍ରୀ କିଣାରେ ପ୍ରାୟ ୫ଲକ୍ଷ ଟଙ୍କାରୁ ଅଧିକ ଜିଏସଟି ଫାଙ୍କିଛନ୍ତି । ଗୋଟିଏ ଘଟଣାରେ, ସାଇ ଇଲେକ୍ଟ୍ରିକାଲ୍ସ ଯାହାର ଜିଏସଟି ନଂ- (୨୧ଏବିଏମ୍ପିପି୫୫୨୪ଡି୧ଜେଡ୍ଜେ) ଓ ଅନୁରୂପ ଜିଏସଟିଏନ ଥିବା ଅନ୍ୟ ଏକ ବ୍ୟବସାୟ ପ୍ରତିଷ୍ଠାନ ମା ସାଇ ଇଲେକ୍ଟ୍ରିକାଲ୍ସରୁ ମିଥା ବିଲ୍ କରି ୨୫ହଜାର ଟଙ୍କାର ବୈଦ୍ୟୁତିକ ସାମଗ୍ରୀ କିଣାଯାଇଛି । ସେହିଭଳି ନିହାର ରଂଜନ ଦାସଙ୍କ ନାମରେ ରିଟ୍ଲ ଇନ୍ଭୋଏସ୍ କରି ୨୬ ହଜାର ଟଙ୍କା ହଡ଼ପ କରାଯାଇଛି । ଏହି ବିଲ୍ରେ ଦିଆଯାଇଥିବା ଜିଏସଟିଏନ ୨୧ସିଏଚ୍ଇପିଡି୩୪୬୪ଏଲ୍ଆଇଜେଡ୍ଜେ) ଏକ ମିଥ୍ୟା ନମ୍ବର ଅଟେ ବୋଲି ଆର୍ଟିଆଇ ତଥ୍ୟରେ ଜଣାପଡ଼ିଛି । ଅନ୍ୟ ଏକ ବିଲରେ ସାଇ କୃପା ଇଲେକ୍ଟ୍ରିକାଲ୍ସ (ଜିଏସ୍ଟିନ୍-୨୧ଏପିକେଏଲ୍ପି୦୫୯୦କେ୧ଜେଡ୍ଆଇ) ୬୫ ହଜାର ଟଙ୍କାର ସାମଗ୍ରୀ କିଣାଯାଇଥିବା ଦର୍ଶାଯାଇଥିବା ବେଳେ ଏହି ନମ୍ବର ମଧ୍ୟ ମିଥ୍ୟା ବୋଲି ଜଣାପଡ଼ିଛି ।

ଏଭଳି ସେ ଆରଟିଆଇରେ ଗତ ୪ ବର୍ଷ ମଧ୍ୟରେ ପଂଚାୟତରେ ହୋଇଥିବା ୫୦ଳକ୍ଷ ଟଙ୍କାରୁ ଅଧିକ ସାମଗ୍ରୀ କିଣା ଓ କାର୍ଯ୍ୟର ତଥ୍ୟ ଆରଟିଆଇରେ ମାଗିବା ପରେ ସମସ୍ତ କାର୍ଯ୍ୟରେ ଉଣାଅଧିକ ମିଥ୍ୟାବିଲ୍ କରି ଳକ୍ଷାଧିକ ଟଙ୍କା ହଡ଼ପ କରିଛନ୍ତି ବୋଲି ଜିଲ୍ଲାପାଳଙ୍କୁ ଦେଇଥିବା ଅଭିଯୋଗପତ୍ରରେ ସେ ଉଲ୍ଲେଖ କରିଛନ୍ତି । ଏହି ଅଭିଯୋଗ ପତ୍ରରେ ୱାର୍ଡ଼ ସଭ୍ୟ ରଶ୍ମିତା ଭୋଇ, ମନୋଜ କୁମାର ମହାପାତ୍ରଙ୍କ ସମେତ ୧୦୦ରୁ ଅଧିକ ଗ୍ରାମବାସୀ ସ୍ୱାକ୍ଷର କରିଛନ୍ତି । ଜିଲ୍ଲାପାଳ ଅଭିଯୋଗ ଗ୍ରହଣ କରିବା ପରେ ଘଟଣାର ତଦନ୍ତ ପାଇଁ ସମ୍ପୃକ୍ତ ବିଭାଗ ଓ ବ୍ଲକ ବିଡିଓଙ୍କୁ ନିର୍ଦେଶ ଦେଇଥିବା ଜଣାଯାଇଛି ।

ସମ୍ବନ୍ଧିତ ଖବର