ପିଟିଜିଏସ୍‌ ହାଇସ୍କୁଲ ଛାତ୍ରାବାସ ଛାରଖାର

ତେଲକୋଇ: କେନ୍ଦୁଝର ଜିଲ୍ଲା ତେଲକୋଇ ବ୍ଲକ୍‌ରେ ଗତକାଲି ବିଳମ୍ବିତ ରାତିରେ ହୋଇଥିବା କାଳବୈଶାଖୀ ପ୍ରଭାବରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ତାଳପଦା ପିଟିଜିଏସ୍‌ ହାଇସ୍କୁଲର ଛାତ୍ରାବାସ ଭାଙ୍ଗିରୁଜି ଛାରଖାର ହୋଇଯାଇଛି। ଆଜବେଷ୍ଟସ ଗୁଡ଼ିକ ଉଡ଼ିଯାଇଛି। ଗତକାଲି ବିଳମ୍ବିତ ରାତିରେ ହଠାତ୍ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହୋଇଥିଲା। ଖୁବ ଜୋରରେ ପବନ ବହିଥିଲା। ପିଟିଜିଏସ୍‌ ହାଇସ୍କୁଲରେ ଥିବା ଛାତ୍ରାବାସର ଦୁଇଟି କୋଠରିର ଆଜବେଷ୍ଟସ୍‌ ଉଡ଼ାଇ ନେଇ ୫୦ ଫୁଟ୍ ଦୂରରେ ପକାଇଛି। କୋଠରିରେ ଥିବା ଜିନିଷପତ୍ର ସବୁ ନଷ୍ଟ ହୋଇଛି।

ସୂଚନାଯୋଗ୍ୟ, ତେଲକୋଇ ବ୍ଲକ୍‌ର ଏହି ବଣପାହାଡ଼ ଘେରା ଉପାନ୍ତ ଅଞ୍ଚଳରେ ଶିକ୍ଷାର ବିକାଶ ପାଇଁ କୌଣସି ହାଇସ୍କୁଲ ନଥିଲା। ଫଳରେ ପିଲାମାନେ ଶିକ୍ଷାରୁ ବଞ୍ଚିତ ହେଉଥିଲେ। କିଛି ବୁଦ୍ଧିଜୀବୀଙ୍କ ଉଦ୍ୟମରେ ଏହି ବିଦ୍ୟାଳୟ ପ୍ରତିଷ୍ଠା ‌ହୋଇଥିଲା। ଏବେ ଏହି ବିଦ୍ୟାଳୟଟି ସରକାରଙ୍କ ବ୍ଲକ୍‌ ଗ୍ରାଣ୍ଟ ଅନୁଦାନ ପାଇଛି। ପ୍ରଧାନଶିକ୍ଷକ ତଥା ସହକର୍ମୀଙ୍କ ଉଦ୍ୟମରେ ଏଠାରେ ଏକ ଛାତ୍ରାବାସ ଚାଲୁଛି। ଜିଲ୍ଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ବିଦ୍ୟାଳୟର ଛାତ୍ରାବାସ ମରାମତି କରିବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର