ସ୍ମାର୍ଟ ରୁମର ସିଲିଂ ଖସିବା ୮ମାସ ପରେ ବି ମରାମତି ହେଲାନି: ଯୁକ୍ତ ୨ ପରୀକ୍ଷା କଣ୍ଟ୍ରୋଲ ରୁମ କେଉଁଠି ହେବ ଚିନ୍ତାରେ କଲେଜ କର୍ତ୍ତୁପକ୍ଷ 

ଜୟପୁର,: ଗତ ୮ମାସ ତଳେ ସରକାରୀ ମହିଳା ମହାବିଦ୍ୟାଳୟ ସ୍ମାର୍ଟ କ୍ଲାସ୍ ରୁମର ଉପର ସିଲିଂ ଖସି ପଡ଼ିଥିଲା। ରୁସା (ରାଷ୍ଟ୍ରୀୟ ଉଚ୍ଚତର ଶିକ୍ଷା ଅଭିଯାନ)ରେ ଏହା ନିର୍ମାଣ ହୋଇଥିଲା। ଏହାକୁ ମରାମତି କରିବା ପାଇଁ କଲେଜ ଅଧ୍ୟକ୍ଷା ଡ.ମନୋରମା ଦେବୀ ପୂର୍ତ୍ତବିଭାଗକୁ ଜଣାଇଥିଲେ। ତେବେ ୮ମାସ ପରେ ବି ଏହାର ମରାମତି ହୋଇ ପାରିନି।

ପ୍ରତି ବର୍ଷ ଯୁକ୍ତ ୨ ପରୀକ୍ଷା ସମୟରେ ଏହି ରୁମକୁ ପରୀକ୍ଷା କଣ୍ଟ୍ରୋଲ ରୁମ ଭାବେ ବ୍ୟବହାର କରାଯାଇଥାଏ। ଏଥି ମଧ୍ୟରେ ପରୀକ୍ଷା ପ୍ରଶ୍ନ ପତ୍ର ରଖାଯିବା ସହ ପରୀକ୍ଷା ଯାଞ୍ଚ ପାଇଁ ଆସୁଥିବା ସ୍କ୍ବାର୍ଡ ବି ଏଠାକୁ ଆସି ଯାଞ୍ଚ କରିଥାଆନ୍ତି। ଆସନ୍ତା ମେ ୧୮ରୁ ଯୁକ୍ତ ୨ ପରୀକ୍ଷା ଆରମ୍ଭ ହେବ। ତେବେ ମହାବିଦ୍ୟାଳୟ ପରିସରରେ ଏହି ସ୍ମାର୍ଟ ରୁମ ଭଳି ରୁମ ନଥିବାରୁ କେଉଁଠି ପରୀକ୍ଷା କଣ୍ଟ୍ରୋଲ ରୁମ କରିବେ ଚିନ୍ତାରେ ପଡ଼ିଛନ୍ତି।

ଜିଲ୍ଲାପ୍ରଶାସନ ତୁରନ୍ତ ଏଦିଗରେ ଦୃଷ୍ଟି ଦେଇ ସମସ୍ୟାର ସମାଧାନ କରିବାକୁ ଛାତ୍ରୀମାନେ ଦାବି କରିଛନ୍ତି। ଠିକ ଏହି ସମୟରେ ହିଁ କଲେଜରେ ଯୁକ୍ତ ୩ର ପରୀକ୍ଷା ବି ଅନୁଷ୍ଠିତ ହେବ। ଉଭୟ ପରୀକ୍ଷା ଏକା ସମୟରେ ହେଉଥିବାରୁ ଏବଂ ଉଭୟ ପରୀକ୍ଷା ପରିଚାଳନା ପାଇଁ ପୃଥକ ପୃଥକ କଣ୍ଟ୍ରୋଲ ରୁମର ଆବଶ୍ୟକତା ରହିଛି। କଲେଜରେ କମ୍ ରୁମ ରହିଥିବା ବେଳେ ତେଣୁ ଏହାର ମରାମତି ଯୁଦ୍ଧକାଳୀନ ଭିତ୍ତିରେ ନ ହେଲେ ଆମେ ଯୁକ୍ତ ୨ ପରୀକ୍ଷାରେ କଣ୍ଟ୍ରୋଲ ରୁମ କେଉଁଠି କରିବେ ତାହାକୁ ନେଇ ଚିନ୍ତାରେ ପଡ଼ିଛନ୍ତି କଲେଜ କର୍ତ୍ତୃପକ୍ଷ।

କଲେଜର ବିଭିନ୍ନ ରୁମରେ ସାମାନ୍ୟ ବର୍ଷାରେ ପାଣି ଗଳିବା, ଲାଇବ୍ରେରୀ ହଲ ଦବିବା ସହ ତଳର ସ୍ମାର୍ଟ ରୁମର ସିଲିଂ ଖସି ପଡ଼ିଥିଲା। ଏଭଳି କି କଲେଜଟି ଅସୁରକ୍ଷିତ ବୋଲି ଭୟରେ ରାଜ୍ୟସରକାରଙ୍କୁ ଅବଗତ କରିଥିଲୁ ବୋଲି କହିଛନ୍ତି ଅଧ୍ୟକ୍ଷା ଡ.ମନୋଭରମା ଦେବୀ। ଏହା ପରେ ରାଜ୍ୟ ସରକାର ପୂର୍ତ୍ତବିଭାଗକୁ କଲେଜର ସ୍ଥିତିକୁ ଯାଞ୍ଚ କରିବାକୁ କହିଥିଲେ। ପୂର୍ତ୍ତବିଭାଗର ରିପୋର୍ଟ ଅନୁଯାୟୀ ରାଜ୍ୟ ସରକାର ମରାମତି ଓଭିତ୍ତିଭୁମି ସଜାଡ଼ିବାକୁ ନିର୍ଦେଶ ଦେଇଥିଲେ ଏବଂ ସେ ଅନୁଯାୟୀ ସଂପ୍ରତି କାମ ଚାଳିଛି ବୋଲି କହିଛନ୍ତି ନିର୍ବାହୀ ଯନ୍ତ୍ରୀ ଇଂ.ଭାସ୍କର ଚନ୍ଦ୍ର ସାମନ୍ତରାୟ ଓ ଏସଡିଓ ବିଜୟ ବେହେରା। ଅଳ୍ପ ଦିନ ମଧ୍ୟରେ କଲେଜର ଅନ୍ୟାନ୍ୟ କାମ ସହ ସ୍ମାର୍ଟ କ୍ଲାସ ରୁମର କାମ ବି ସରିବ ବୋଲି ଉଭୟ କହିଛନ୍ତି।

ସମ୍ବନ୍ଧିତ ଖବର