ମହିଳାଙ୍କୁ ମାରି ଟାଙ୍ଗିଦେଲେ!

ଶାଶୂ, ଦିଅର ଗିରଫ; ସ୍ୱାମୀ ଫେରାର୍‌

ଘରଦୁଆରେ ଶବ ଦାହ କଲେ ଗ୍ରାମବାସୀ

ବିଂଝାରପୁର/ସିଂହପୁର : ଯାଜପୁର ଜିଲ୍ଲା ବିଂଝାରପୁର ବ୍ଲକ୍‌ ଅନ୍ତର୍ଗତ ଓସ୍ତିଦାଣ୍ଡିରେ ଆଜି ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଶାଶୂଘର ସାମ୍‌ନାରେ ଗ୍ରାମବାସୀମାନେ ଜଣେ ମହିଳାଙ୍କ ଶବକୁ ଦାହ କରିଛନ୍ତି। ଏହି ମହିଳାଙ୍କୁ ଶାଶୂଘର ଲୋକ ମାରି ଟାଙ୍ଗି ଦେଇଥିବା ଅଭିଯୋଗ ହୋଇଥିଲା। ଏହାର ପ୍ରତିବାଦରେ ଏପରି ଘଟଣା ଘଟିଥିବା ଜଣାପଡ଼ିଛି।

ମୃତ ମହିଳା ହେଲେ, ବିଂଝାରପୁର ଥାନା କପିଳା ପଞ୍ଚାୟତ ଗୁହାଳୀ ଗ୍ରାମର ବୈଷ୍ଣବ ପଣ୍ଡାଙ୍କ ଝିଅ ଶକୁନ୍ତଳା ଦାଶ(୩୫)। ୨୦୦୬ ମସିହାରେ ସେ ଏହି ପଞ୍ଚାୟତ ଅନ୍ତର୍ଗତ  ଓସ୍ତଦାଣ୍ଡୀ ଗ୍ରାମର କିଶୋରଚନ୍ଦ୍ର ଦାଶଙ୍କ ବଡ ପୁଅ ରମାକାନ୍ତ ଦାଶଙ୍କୁ ୨୦୦୬ ବିବାହ କରିଥିଲେ। ବିବାହକୁ ୧୨ବର୍ଷ ବିତି ଯାଇଥିଲେ ମଧ୍ୟ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ସୁସମ୍ପର୍କ ନଥିଲା। ଶକୁନ୍ତଳାଙ୍କ ପରିବାର ଲୋକଙ୍କ ଅଭିଯୋଗ ଅନୁସାରେ, ରମାକାନ୍ତ ସବୁଦିନ ମଦ୍ୟପାନ କରି ଶକୁନ୍ତଳାଙ୍କୁ ମାରପିଟ୍‌ କରୁଥିଲେ। ଏ ନେଇ ସେ ବାରମ୍ବାର ବାପଘରକୁ ଜଣାଉଥିଲେ। ବାପଘର ଲୋକ ରମାକାନ୍ତଙ୍କୁ  ତାଗିଦ୍‌ କରିବା ସହ ଶକୁନ୍ତଳାଙ୍କୁ ବୁଝାସୁଝା କରି ଆସୁଥିଲେ। ମାତ୍ର, ଏହା ରମାକାନ୍ତଙ୍କ ଉପରେ କୌଣସି ପ୍ରଭାବ ପକାଇନଥିଲା। ଗୁରୁବାର ସଂଧ୍ୟାରେ ସ୍ୱାମୀ, ଦିଅର ପ୍ରଶାନ୍ତ ଓ ଶାଶୂ ସତ୍ୟଭାମା ତାଙ୍କୁ ହତ୍ୟା କରିଥିଲେ। ଆତ୍ମହତ୍ୟା ରୂପ ଦେବା ପାଇଁ ବେକରେ ରସି ଲଗାଇ ଟାଙ୍ଗି ଦେଇଥିଲେ ବୋଲି ପରିବାର ଲୋକ ଅଭିଯୋଗ କରିଛନ୍ତି।

ଏହି ଘଟଣା ଜଣାପଡ଼ିବା ପରେ ଗୁହାଳି ଗ୍ରାମର ଶତାଧିକ ଲୋକ ଏକାଠି ହୋଇ ଓସ୍ତଦାଣ୍ଡିରେ ପହଞ୍ଚିଲେ। ଘଟଣାକୁ ନେଇ ଉଭୟ ଗ୍ରାମରେ ଉତ୍ତେଜନା ଦେଖାଦେଇଥିଲା। ଗୁହାଳି ଗ୍ରାମବାସୀ ମହିଳାଙ୍କ ଶବକୁ ଓସ୍ତଦାଣ୍ଡି ଗ୍ରାମର ଶାଶୂଘର ଆଗରେ ଦାହ କରିଛନ୍ତି। ଏହି ଘଟଣା ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି।

ଶକୁନ୍ତଳା  ବାପଘର  ଲୋକଙ୍କ ଅଭିଯୋଗ ଆଧାରରେ ବିଂଝାରପୁର ପୁଲିସ୍‌ ଶାଶୂ ଓ ଦିଅରକୁ ଗିରଫ କୋର୍ଟ ଚାଲାଣ କରିଥିବା ବେଳେ ମୁଖ୍ୟ ଅଭିଯୁକ୍ତ ସ୍ୱାମୀ ରମାକାନ୍ତ ଫେରାର୍‌ ହୋଇଯାଇଛନ୍ତି।

ସମ୍ବନ୍ଧିତ ଖବର