ଯାଜପୁର ସହରରେ ଟ୍ରାଫିକ୍ ବିଭ୍ରାଟ୍, ମେଡିକାଲ ଭିତରକୁ ଗାଡ଼ି ପ୍ରବେଶ ନିଷେଧ ହେତୁ ମୁଖ୍ୟ ରାସ୍ତାରେ ହେଉଛି ପାର୍କିଂ

ଯାଜପୁର: ବଦଳୁଛି ସହରର ଚିତ୍ର। କିନ୍ତୁ ଦୂର ହେଉନି ଟ୍ରାଫିକ୍ ସମସ୍ୟା। ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ସହରର ବିଭିନ୍ନ ସ୍ଥାନରେ ଗୁରୁତର ଟ୍ରାଫିକ୍ ସମସ୍ୟା ସୃଷ୍ଟି ହେଉଛି। ଗୋଟିଏ ପଟେ ସମସ୍ୟା ଦୂର ପାଇଁ ରାସ୍ତା ସଂପ୍ରସାରଣ ହେଉଥିବା ବେଳେ ଅନ୍ୟ ପଟେ ମନମୁଖୀ ପାର୍କିଂ ଯୋଗୁ ପଥଚାରୀମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। କିନ୍ତୁ ଏନେଇ ଜିଲ୍ଲା ପ୍ରଶାସନ, ପୁଲିସ ପ୍ରଶାସନ କିମ୍ବା ପୌର ପ୍ରଶାସନ କେହି ଦୃଷ୍ଟି ଦେଉନଥିବା ଅଭି‌ଯୋଗ ହେଉଛି।

ଯାଜପୁର ସହର ଜିଲ୍ଲାର ସଦରମ ମହକୁମା ହୋଇଥିବା ବେଳେ ସମସ୍ତ ବିଭାଗୀୟ ମୁଖ୍ୟ କାର୍ଯ୍ୟାଳୟ, ଡାକ୍ତରଖାନା ଓ କୋର୍ଟ ରହିଛି। ଫଳରେ ଜିଲ୍ଲାର କୋଣଅନୁକୋଣରୁ ସକାଳ ହେଲେ ହଜାର ହଜାର ଲୋକ ସହରରେ ଯାତାୟତ କରୁଛନ୍ତି। ସହରରେ ଟ୍ରାଫିକ ବ୍ୟବସ୍ଥା ଠିକ ନଥିବା ବେଳେ ଯାଜପୁର ମୁଖ୍ୟ ଚିକିତ୍ସାଳୟର କଟକଣା ହେତୁ ଏବେ ମେଡିକାଲ ରୋଡରେ ଗୁରୁତର ଟ୍ରାଫିକ୍ ସମସ୍ୟା ସୃଷ୍ଟି ହେଉଛି। ମେଡିକାଲ ଭିତରକୁ ରୋଗୀଙ୍କ ସହାୟକ ଆଣୁଥିବା ଗାଡି ପ୍ରବେଶ ଉପରେ କଟକଣା ରହିଛି। ତେଣୁ ବାଧ୍ୟ ହୋଇ ଶହଶହ ଗାଡି ମେଡିକାଲ ସମ୍ମୁଖ ମୁଖ୍ୟ ରାସ୍ତା ଉପରେ ଗୋଟିଏ ପାର୍ଶ୍ବକୁ ଅକ୍ତିଆର କରି ଛିଡା ହେଉଛି। ବାଇକ, ଅଟୋ, କାରଗୁଡ଼ିକର ଗହଳି ଯୋଗୁ ଉକ୍ତ ରାସ୍ତା ଦେଇ ଯାତାୟତ ବିଳମ୍ବ ହେଉଛି। ଏପରିକି ମେଡିକାଲକୁ ଆସୁଥିବା ଆମ୍ବୁଲାନସ ସେହିଠାରେ ହିଁ ଫଶି ଯାଉଛନ୍ତି। ସେହିପରି ମେଡିକାଲ ଛକରୁ ମହିଳା କଲେଜ ପର୍ଯ୍ୟନ୍ତ ରାସ୍ତାର ଗୋଟିଏ ପାର୍ଶ୍ବ ପାର୍କ ଯୋଗୁ ସଂପୂର୍ଣ୍ଣ ବନ୍ଦ ପ୍ରାୟ ହୋଇରହୁଛି।

ଏପରି ଟ୍ରାଫିକ ସମସ୍ୟା ପାଇଁ ରାସ୍ତା କଡରେ ବେପାର କରୁଥିବା ବ୍ୟବସାୟୀ ପ୍ରଭାବିତ ହେଉଥିବା ବେଳେ ଯାତାୟତରେ ବାଧା ସୃଷ୍ଟି ହେଉଛି। ମେଡିକାଲ ଭିତରେ କିଛି ଅଧିକାରୀ, ଡାକ୍ତର ଓ ଗଣମାଧ୍ୟମର ଗାଡି ରଖିବାକୁ ଅନୁମତି ଥିବା ବେଳେ ଅନ୍ୟମାନଙ୍କୁ ବାରଣ କରାଯାଉଛି। ପୂର୍ବରୁ ଏହି ରାସ୍ତା ସଂକୀର୍ଣ୍ଣ ଥିବାରୁ ଯାଜପୁର ବିଧାୟକଙ୍କ ଉଦ୍ୟମ କ୍ରମେ ଏହାକୁ ଦୁଇ ଥାକିଆ କରାଯାଇଛି। ତଥାପି ମେଡିକାଲର କଟକଣା ଯୋଗୁ ଲୋକେ ରାସ୍ତା ଉପରେ ଗାଡି ରଖି ନିଜର ସଂର୍ପକୀୟ ରୋଗୀଙ୍କ ପାଖକୁ ଯିବାକୁ ବାଧ୍ୟ ହେଉଛନ୍ତି। ଏପରିକି ରାସ୍ତା ଉପରେ ଘଣ୍ଟାଘଣ୍ଟା କାଳ ବିନା ସୁରକ୍ଷା ଭିତରେ ଗାଡି ରହୁଥିବାରୁ ଅନେକ ଲୋକଙ୍କ ଗାଡି ଚୋରିର ଅଭିଯୋଗ ହେଉଛି। ତେଣୁ ମେଡିକାଲ ପ୍ରଶାସନ ରୋଗୀଙ୍କ ସଂର୍ପକୀୟଙ୍କ ପାଇଁ ଗାଡି ପାର୍କିଂର ବ୍ୟବସ୍ଥା କରିବାକୁ ବିଭିନ୍ନ ମହଲରେ ଦାବି ହେଉଛି। ଏନେଇ ସିଡିଏମଓଙ୍କ ମତାମତ ମିଳିପାରିନାହିଁ।

ସମ୍ବନ୍ଧିତ ଖବର