ଝାରସୁଗୁଡ଼ା: ସମ୍ବଲପୁର ରେଳ ଡ଼ିଭିଜନର ଅବହେଳା ଯୋଗୁଁ ଝାରସୁଗୁଡ଼ା ରୋଡ଼୍ ଷ୍ଟେସନ ଯାତ୍ରୀଙ୍କ ପାଇଁ ଅସୁରକ୍ଷିତ ହୋଇ ପଡ଼ିଛି। ପ୍ରତି ଦିନ ଯାତ୍ରୀମାନେ ହଇରାଣ ହେଉଛନ୍ତି। ଏଭଳି ପରିସ୍ଥିତିରେ ପଡ଼ି ଜଣେ ମହିଳା ଯାତ୍ରୀଙ୍କ ବୁଧବାର ରାତିରେ ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ଯାଇଥିବା ଜଣାପଡ଼ିଛି। ସେ ହେଉଛନ୍ତି ସୁମିତ୍ରା ଦେବୀ (୭୦)। ସେ କିଛି ଦିନ ତଳେ ଲାଇନ ଡେଇଁ ହମସଫର ଟ୍ରେନ୍କୁ ଚଢ଼ୁଥିବା ବେଳେ ପଡ଼ିଯାଇ ଗୁରୁତର ଆହତ ହୋଇଥିଲେ। ରାୟପୁରରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କ ମୃତ୍ୟୁ ଘଟିଛି। ଏହି ଘଟଣାରେ ରେଳବାଇକୁ ଝାରସୁଗୁଡ଼ାର ସଚେତନ ନାଗରିକମାନେ ଦାୟୀ କରିଛନ୍ତି।
ସମସ୍ୟା ହେଲା, ବହୁ ଏକ୍ସ୍ପ୍ରେସ୍ ଟ୍ରେନ୍ ଝାରସୁଗୁଡ଼ା ଜଙ୍କସନ୍କୁ ନଯାଇ ଝାରସୁଗୁଡ଼ା ରୋଡ଼୍ରେ ସ୍ୱଳ୍ପ ସମୟ ରହଣି କରି ସେଠାରୁ ଦିଗ ପରିବର୍ତ୍ତନ କରି ବିଲାସପୁର ଲାଇନରେ ଚାଲିଯାଉଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ଏବେ ନୂଆ କରି ଚାଲୁଥିବା ପୁରୀ-ଇନ୍ଦୋର ହମ୍ସଫର ଏକ୍ସ୍ପ୍ରେସ୍ ଜଙ୍କସନକୁ ନଆସି ରୋଡ଼୍ ଷ୍ଟେସନରେ ସ୍ୱଳ୍ପ ସମୟ ରହଣି ହେଉଛି। ୧ ନମ୍ବର ପ୍ଲାଟଫର୍ମ ବୋଲି ଘୋଷଣା ହୋଇଥିବା ବେଳେ ୨ ନମ୍ବରରେ ଟ୍ରେନ୍ ଆସୁଥିବାରୁ ଯାତ୍ରୀ ସମସ୍ୟା ଅହୁରି ବଢ଼ି ଯାଉଛି। ଏହି ଷ୍ଟେସନରେ ଫୁଟ୍-ଓଭର ବ୍ରିଜ୍ ନଥିବା ବେଳେ ହଠାତ୍ ୧ ନମ୍ବର ସ୍ଥାନରେ ଟ୍ରେନ୍ ୨ ନମ୍ବରରେ ଆସି ଯାଉଥିବାରୁ ଯାତ୍ରୀମାନେ ଜୀବନକୁ ବିପନ୍ନ କରି ଟ୍ରେନ୍ ଲାଇନ୍ ଡେଇଁ ଦୌଡ଼ୁଛନ୍ତି। ରୋଡ୍ ଷ୍ଟେସନରେ ଆନୁଷଙ୍ଗିକ ବ୍ୟବସ୍ଥା ନକରି ତରବରିଆ ଭାବରେ ଏଠାରେ ଏକ୍ସ୍ପ୍ରେସ୍ ଟ୍ରେନ୍ ରହଣି ବନ୍ଦ କରି ଜଙ୍କସନରେ କରାଯାଉ ନହେଲେ ପୁଣି ଆନ୍ଦୋଳନାତ୍ମକ କାର୍ଯ୍ୟପନ୍ଥା ଗ୍ରହଣ କରାଯିବ ବୋଲି କହିଛି ଆଞ୍ଚଳିକ ବିକାଶ ପରିଷଦ।