ଲୋକଙ୍କ ସେବାରେ ତିନି ପିଢ଼ି : ୮୨ବର୍ଷରେ ବି ହାର ମାନିନାହାନ୍ତି ଜିରୁ ବାବା

ଜୟପୁର: ଲୋକଙ୍କ ସେବାରେ ବ୍ରତୀ ହୋଇଛନ୍ତି ତିନି ପିଢ଼ି। ୮୭ବର୍ଷ ବୟସରେ ବି ତୃତୀୟ ପିଢ଼ିର କବିରାଜ ମହମ୍ମଦ ଜୁରାରତ ଆଜାଦ ଖାନ୍ନ (ଜିରୁ ବାବା) ହାର ମାନିନାହାନ୍ତି । ଏବେ ବି ତାଙ୍କ ଉପରେ ଅବିଭକ୍ତ କୋରାପୁଟ ଜିଲ୍ଲା ସମେତ ଛତିଶଗଡ଼ର ବସ୍ତର, ଜଗଦଲପୁର, ଆନ୍ଧ୍ରର ସାଲୁର, ପାର୍ବତୀପୁରମ, ବିଜୟନଗରମ, ବିଶାଖାପାଟଣା ପର୍ଯ୍ୟନ୍ତ ରୋଗୀଙ୍କର ଆସ୍ଥା ତାଙ୍କ ଉପରେ ରହିଛି।  ଆଜି ବି ଉପରୋକ୍ତ ଅଂଚଳରୁ ତାଙ୍କ ଘରକୁ ବିଭିନ୍ନ ରୋଗରେ ଚିକିତ୍ସିତ ହେବା ଏବଂ ଔଷଧ ନେବା ପାଇଁ ସକାଳରୁ ସଂଧ୍ୟା ପର୍ଯ୍ୟନ୍ତ ରୋଗୀ ଓ ରୋଗୀଙ୍କ ସଂପର୍କୀୟଙ୍କ ଭିଡ଼ ଜମୁଥିବା ଦେଖିବାକୁ ମିଳିଛି। ଯଦିଓ ଅଣ୍ଟାରେ ସାମାନ୍ୟ ବଳ ନଥିଲେ ହେଁ ଦୃଢ଼ ମନୋବଳ ଯୋଗୁଁ ଆଜି ଜିରୁ ବାବା ଲୋକଙ୍କୁ ଆୟୁର୍ବେଦିକ ଝଡ଼ିବୁଟି ଔଷଧ ଦେଇ ଭଲ କରି ଆସୁଛନ୍ତି। ବିଭିନ୍ନ ଜଙ୍ଗଲରୁ ଔଷଧୀୟ ଗୁଳ୍ମ ସଂଗ୍ରହ କରି ତାକୁ ବାଟି ଖରାରେ ଶୁଖାଇ ଏହାକୁ ଦେଇ ଚିକିତ୍ସା କରି ଆସୁଛନ୍ତି।

ପ୍ରଥମେ ଜେଜେବାପା ମହମ୍ମଦ ମଉଜାର ଖାନ୍ନ ତା ପରେ ଜିରୁଙ୍କ ବାପା ମହମ୍ମଦ ସାତ୍ତର ଖାନ୍ନ ବୈଦ୍ୟ ଭାବେ କାମ କରି ଆସିଥିଲେ। ସେ ତାଙ୍କ ବାପା ସାତ୍ତର ଖାନ୍ନଙ୍କ ଠାରୁ ବୈଦ୍ୟ ବିଦ୍ୟା ଶିଖିଥିଲେ। ୧୯୬୦ମସିହାରୁ ସେ ଯଦିଓ ବୈଦ୍ୟ ଭାବେ କାମ କରି ଆସୁଥିଲେ ହେଁ ତାଙ୍କୁ ୧୯୭୦ମସିହାରେ ତତ୍କାଳୀନ ପୌର ଅଧ୍ୟକ୍ଷ ପ୍ରତାପ ନାରାୟଣ ସିଂଦେଓ କବିରାଜ ଭାବେ ମାନ୍ୟତା  ଦେଇଥିଲେ। ଗତ ୫୧ବର୍ଷ ହେବ ସେ ପ୍ରାୟ ୧୦ହଜାର ଲୋକଙ୍କର ସେବା ଶ୍ରୁଶୁଷା କରିଥିବା ଏବଂ ଏଥିରେ ତାଙ୍କୁ ଆନନ୍ଦ ମିଳୁଛି ବୋଲି କହିଛନ୍ତି। ତାଙ୍କ ଶରୀରରେ ପ୍ରାଣ ଥିବା ଯାଏଁ ଏଭଳି ଲୋକଙ୍କ ସେବାରେ ସେ ତାଙ୍କୁ ସର୍ମପଣ କରିଥିବା କହିଛନ୍ତି ଜିରୁ ବାବା।

ଲୋକଙ୍କ ସେବା ପାଇଁ ସେ କେବେ ବି କୌଣସି ଲୋକଙ୍କୁ ଟଙ୍କା ମାଗି ନାହାନ୍ତି। ଲୋକେ ତାଙ୍କ ଖୁସିରେ ଯାହା ଦେଲେ ସେଥିକିରେ ସେ ପରିବାରକୁ ନେଇ ଚଳିବା ସହ ଔଷଧ ପ୍ରସ୍ତୁତିରେ ଖର୍ଚ୍ଚ କରୁଥିବା କହିଛନ୍ତି। ଆଜି ବି ନିରାଡମ୍ବର ଭାବେ ଟାଇଲ ଛପର ଘରେ ସେ ରହି ଆସୁଛନ୍ତି। ତାଙ୍କ ତିନିଝିଅଙ୍କୁ ବାହା କରି ସାରିଥିବା ବେଳେ ବୈଦ୍ୟ ବିଦ୍ୟା ପ୍ରାୟ ୮ଜଣଙ୍କୁ ଶିଖାଇଥିବା କହିଛନ୍ତି ଜିରୁବାବା। ସ୍ଥାନୀୟ ସରକାରୀ ଉଚ୍ଚବିଦ୍ୟାଳୟରେ ୧୦ମ ପର୍ଯ୍ୟନ୍ତ ପାଠ ପଢ଼ିଥିବା ଜିରୁବାବା ପ୍ରଥମେ ସାମନ୍ତରାୟ ସାହିରେ ରହୁଥିଲେ। ଏବେ ପାରାବେଢ଼ାରେ ଟାଇଲ ଛପର ଘରେ ରହୁଛନ୍ତି।  ଆମ ହାତରେ ତଥା ଆମରି ଘରେ ହିଁ ଆମ ପିଲା ଛୁଆ ତଥା ପରିବାରର ଲୋକଙ୍କ ଦେହ ଖରାଫ ହେଲେ ବିଭିନ୍ନ ଔଷଧ ମହଜୁଦ ରହିଛି ।

ଜିରା, ଜୁଆଣି, ଗୁଡ଼ , ହଳଦୀ, ତୁଳସୀ , ଲେମ୍ବୁ, ମହୁ ଆଦି ବିଭିନ୍ନ ବଡ଼ ବଡ ରୋଗକୁ ଭଲ କରିଥାଏ ବୋଲି କହିଛନ୍ତି ଜିରୁ ବାବା। ଭଗବାନ ଜନ୍ମ ଦେଇଥିବା ମଣିଷ  ଜୀବନ ହେଉଛି ସବୁଠାରୁ ଶ୍ରେଷ୍ଠ। ଏହି ମଣିଷ ଜୀବନକୁ ସୁସ୍ଥ, ବିକଶିତ ସମାଜ ଗଠନରେ ସାମିଲ କରି ମାନବ ସେବା ମାଧବ ସେବା କରିବାକୁ ଆହ୍ବାନ ଦେଇଛନ୍ତି ଜିରୁ ବାବା। ସଂପ୍ରତି ଆସିଥିବା ମହାମାରୀ କରୋନାକୁ ବି ଆୟୁର୍ବେଦିକ କାଡ଼ା ହିଁ ମୁକାବିଲା କରୁଛି। ସରକାରୀ ଗାଇଡ଼ଲାଇନକୁ ପାଳନ କରି ମାସ୍କ ପରିଧାନ କରି ସାମାଜିକ ଦୂରତା ବଜାୟ ରଖି ନିଜର ଅମୁଲ୍ୟ ଜୀବନକୁ ବଂଚାଇ ଅନ୍ୟର ଅମୁଲ୍ୟ ଜୀବନ ବି ବଂଚାନ୍ତୁ ବୋଲି କହିଛନ୍ତି ଜିରୁବାବା।

ସମ୍ବନ୍ଧିତ ଖବର