ବିଜେଡିରେ ମିଶିଲେ କୈଳାଶ 

କୋରାପୁଟ : ମା’ ଓ ମାଟି ପାଇଁ ଲଢେଇ ଜାରି ରହିବ। ଯେବେ ଯାଏ ନିଶ୍ବାସ ରହିଛି ସେବେ‌ ଯାଏ ମାଟିକୁ ଛାଡି ଅନ୍ୟ କିଛି ଚିନ୍ତା କରାଯାଇପାରିବନି। କଂଗ୍ରେସ ମୋତେ ସବୁ ଦେଇଛି କିନ୍ତୁ ଦଳରେ ରହିଥିବା ଅନ୍ତଃଘାତୀ ମୋତେ ସହିପାରୁ ନାହାନ୍ତି। ତେଣୁ ଦଳ ଛାଡି ଲକ୍ଷ୍ମୀପୁର ବାସୀଙ୍କ ପାଇଁ କାମ କରୁଥିଲି, କରିବି ଓ ଆଗକୁ ଏହି କାର୍ଯ୍ୟ ଜାରି ରହିବ ବୋଲି କହିଛନ୍ତି ଲକ୍ଷ୍ମୀପୁରର ପୂର୍ବତନ ବିଧାୟକ କୈଳାଶ କୁଲେସିକା।

କଂଗ୍ରେସକୁ ବାଏ ବାଏ କରିଛନ୍ତି କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁରର ପୂର୍ବତନ ବିଧାୟକ କୈଳାଶ କୁଲେସିକା। ଆଜି ଭୁବନେଶ୍ବରରେ ଆୟୋଜିତ ସ୍ବତନ୍ତ୍ର ମିଶ୍ରଣ କାର୍ଯ୍ୟକ୍ରମରେ ସେ ବିଜେଡିରେ ଯୋଗ ଦେଇଛନ୍ତି। ବିଜେଡି ସଂଙ୍ଗଠନ ସମ୍ପାଦକ ତଥା ବିଧାୟକ ପ୍ରଣବ ପ୍ରକାଶ ଦାସ, ଜିଲ୍ଲା ସଭାପତି ଇଶ୍ବର ପାଣିଗ୍ରାହୀ, ମନ୍ତ୍ରୀ ପଦ୍ମିନି ଦିଆନ, କୋରାପୁଟ ବିଧାୟକ ରଘୁରାମ ପାଡାଲ ଓ ଲକ୍ଷ୍ମୀପୁର ବିଧାୟକ ପ୍ରଭୁଜାନିଙ୍କ ଉପସ୍ତିତିରେ ସେ ଆଜି ବିଜେଡିରେ ମିଶିଛନ୍ତି।

ଶ୍ରୀ କୁଲେସିକା ୨୦୧୪ରୁ ୨୦୧୯ ଯାଏ କଂଗ୍ରେସରୁ ଟିକେଟ ପାଇ ବିଧାୟକ ରହିଥିଲେ। ଏହି ସମୟରେ ସେ ୫୩ ହଜାର ୨୪୯ ଭୋଟପାଇଥିବାବେଳେ ବିଜେଡିର ହେମା ଗମାଙ୍ଗ‌ୋ ପାଇଥିଲେ ୩୦୯୫୬ ଭୋଟ। ସେ ହେମାଙ୍କୁ ୨୨ ୩୫୦ ଭୋଟରେ ପରାଜିତ କରି ବିଧାୟକ ହୋଇଥିଲେ। ଏହାପରେ ୨୦୧୯ ନିର୍ବାଚନରେ ସେ କଂଗ୍ରେସରୁ ପ୍ରାର୍ଥୀ ହୋଇ ନିର୍ବାଚନ ଲଢିଥିଲେ। କିନ୍ତୁ ତାଙ୍କୁ ପରାଜୟର ସ୍ବାଦ ଚାଖିବାକୁ ପଡିଥିଲା। ମୋଟ ଭୋଟ ୧ଲକ୍ଷ ୫୭ ହଜାର ୮୬୨ରୁ କୈଳାଶ ୪୪ ହଜାର ୯୮୨ଟି ଭୋଟ ପାଇଥିବାବେଳେ ବିଜେଡିର ପ୍ରଭୁ ଜାନି ୪୫ ହଜାର ୨୧୧ଟି ଭୋଟ ପାଇ ବିଜୟୀ ହୋଇଥିଲେ। ମାତୟ ୨୨୯ଟି ଭୋଟରେ ସେ ପରାଜିତ ହୋଇଥିଲେ। କିନ୍ତୁ ଦଳରେ ସବୁବେଳେ ତାରା-ମିନାକ୍ଷୀ-କୈଳାଶଙ୍କ ମଧ୍ୟରେ ତୁ ତୁ ମେ ମେଁ ଚାଲୁରହିଥିଲା। ନିକଟରେ କୈଳାଶ ଦଳ ଛାଡିବାନେଇ ପିସିସି ସଭାପତିଙ୍କୁ ଏକ ଚିଠି କରିଥିଲେ। ପିସିସି ସଭାପତି ତାଙ୍କ ଚିଠିକୁ ଗ୍ରହଣ କରି ନ ଥିଲେ। ଠିକ ଏହି ସମୟରେ କୋରାପୁଟ ସାଂସଦଙ୍କ ଏକ ଭୋଜିରେ କୈଳାଶଙ୍କୁ ସଭାସ୍ଥଳୀରେ ବସାଇବାକୁ ନେଇ ତାତିଥିଲେ ଜିଲ୍ଲା କଂଗ୍ରେସ ସଭାପତି ମିନାକ୍ଷୀ ବାହିନିପତି। ଏନେଇ ସେ ରାଜ୍ୟ ସଭାପତିଙ୍କୁ କୈଳାଶଙ୍କ ଦଳ ଛାଡିବା ନେଇ ଦୃଷ୍ଟି ଆକର୍ଷଣ କରିଥିଲାବେଳେ ଏହାକୁ ପିସିସି ସଭାପତି ଶୁଣି ନ ଥିଲେ। ଏହାକୁ ନେଇ ଉଭୟ ବାହିନିପତି ଦମ୍ପତ୍ତି ପିସିସି ନିରଞ୍ଜନ ପଟ୍ଟନାୟକ ଓ କୈଳାଶ କୁଲେସିକାଙ୍କୁ ସମାଲୋଚନା କରିଥିଲେ। କିଛି ଦିନପରେ ଓଡ଼ିଶା ପ୍ରଭାରୀ ଚେଲା କୁମାର ଓଡ଼ିଶା ଗସ୍ତବେଳେ ତାଙ୍କ ଉପସ୍ଥିତିରେ ଏହି ବିବାଦର ସମାଧାନ ହୋଇଥିଲା। କିନ୍ତୁ ଠିକ ଦୁଇମାସ ପରେ ଥମିଥିବାବେଳେ ଦଳରେ ରହି କୈଳାଶ କାମ କରିବେ ବୋଲି କହିଥିଲେ। କିନ୍ତୁ ଗତକାଲି ହଠାତ ଭୁବନେଶ୍ବରକୁ ଯାଇଥିଲେ। ଆଜି ମିଶ୍ରଣ ପର୍ବରେ ତାଙ୍କ ସ୍ତ୍ରୀଙ୍କ ସହ ମିଶିଥିବା ଜଣାପଡିଛି।

କୈଳାଶ କହିଛନ୍ତି ଯେ କଗ୍ରେସ ଦଳ ସବୁ ଦେଇଛି ସତ କିନ୍ତୁ ବିଶ୍ବାସଘାତକଙ୍କ ସହ ରହି ଲୋକଙ୍କ ପାଖରେ ଚୋର ହୋଇପାରିବିନି। ସେମାନଙ୍କ ଯୋଗୁଁ ଖାଲି ଯେ ମୋର କ୍ଷତି ହେଉଛି ତାହା ନୁହେଁ ପୁରା ଦଳର ମଧ୍ୟ ଗଭୀର କ୍ଷତି ହେଉଛି। ଏନେଇ ବହୁବାର ଅବଗତ କରିଥିଲି, କିନ୍ତୁ ମୋର କଥାକୁ ଗୁରୁତ୍ବ ଦିଆଯାଉନି। ତେଣୁ ମା ଓ ମାଟି ପାଇଁ ଦଳ ଛାଡି ବିଜେଡିରେ ମିଶିଛି। ଆଗକୁ ବହୁ ନେତା ଏହି ଦଳରେ ମିଶିବେ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର