ଭବାନୀପାଟଣା ସହରରେ ଲୁଟେରା ଆତଙ୍କ:ଜଗନ୍ନାଥ ମନ୍ଦିର ସାମନାରୁ ସୁନା ଗହଣା ଚୋରି

ଭବାନୀପାଟଣା: ଶୁକ୍ରବାର ବାହୁଡ଼ା ଯାତ୍ରାରେ ସ୍ଥାନୀୟ ଜଗନ୍ନାଥ ମନ୍ଦିରକୁ ଦର୍ଶନ କରି ଯାଇଥିବା ଜଣେ ମହିଳାଙ୍କ ଠାରୁ ସୁନା ଗହଣା ଲୁଟ ହୋଇଛି। ପ୍ରକାଶ ଯେ, ଭବାନୀପାଟଣା ସହରର ଗାନ୍ଧୀଛକର ଉଦୟରାମ ଅଗ୍ରୱାଲଙ୍କ ପତ୍ନୀ ରାମକଲି ଅଗୱାଲ ଶୁକ୍ରବାର ଦିନ ୧ଟାରେ ନିକଟସ୍ଥ ଜଗନ୍ନାଥ ମନ୍ଦିରକୁ ଯାଇଥିଲେ। ମନ୍ଦିର ଗେଟ ନିକଟରେ ଛିଡା ହୋଇଥିବା ବେଳେ ବାଇକରେ ଦୁଇ ଜଣ ଦୁର୍ବୃତ୍ତ ଆସିଥିଲେ। ତାଙ୍କୁ ଏହି ଦୁର୍ବୃତ୍ତମାନେ ଦୁଇଟି ନକଲି ଚୁଡ଼ି ଓ ପାଞ୍ଚଟି ଛୋଟ ପଥର କାଗଜରେ ଗୁଡାଇ ଦେଇ ଭୟଭୀତ କରି ପିନ୍ଧିଥିବା ସମସ୍ତ ସୁନାକୁ ଦେଇଦେବା ପାଇଁ କହିଥିଲେ। ମହିଳା ଜଣକ ଭୟରେ ପିନ୍ଧିଥିବା ଗୋଟିଏ ସୁନା ଚେନ, ଦୁଇଟି ସୁନା ଚୁଡି ଓ ଗୋଟିଏ ସୁନା ମୁଦି ଖୋଲି ଦେଇଥିଲେ। ପରେ ଆଉ ଏକ ବାଇକରେ ଆଉ ତିନି ଜଣ ଦୁର୍ବୃତ୍ତ ଆସି ପୂର୍ବରୁ ଥିବା ଦୁର୍ବୃତ୍ତମାନଙ୍କ ସହିତ ମିଶି ଘଟଣାସ୍ଥଳରୁ ଫେରାର ହୋଇ ଯାଇଥିଲେ। ଏ ନେଇ ମହିଳା ଜଣକ ଘରେ କହିବା ପରେ ଟାଉନ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପୁଲିସ ଏ ନେଇ ତଦନ୍ତ ଆରମ୍ଭ କରିଛି। ଗତ କିଛି ମାସ ତଳେ ଭବାନୀପାଟଣା ସହରସ୍ଥିତ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ସମ୍ମୁଖରୁ ଦିନ ଦ୍ବିପହରରେ ଜଣେ ମହିଳାଙ୍କୁ ସ୍କୁଟି ଅଟକାଇ ପୁଲିସ ବୋଲି ପରିଚୟ ଦେଇ ସୁନା ଚେନ ଝା‌ମ୍ପି ନେଇଥିଲେ। ଏଭଳି ଲୁଟ ଘଟଣା ସହରରେ ଆତଙ୍କ ଖେଳିଯାଇଛି।

ସମ୍ବନ୍ଧିତ ଖବର