କନିକା ତହସିଲରେ ଜମି ଜାଲିଆତି, ଗୋଟିଏ ମ୍ୟୁଟେସନ୍‌ କେସ୍‌ ନମ୍ବରରେ ଦୁଇଟି ପଟ୍ଟା

ରାଜକନିକା: ମ୍ୟୁଟେସନ୍ କେସ୍ ନମ୍ବର ଗୋଟିଏ, କିନ୍ତୁ ସେହି ଗୋଟିଏ ନମ୍ବରରେ ଦାଖଲ ଖାରଜ ହୋଇ ଦୁଇ ଅଲଗା ଲୋକଙ୍କ ନାଁରେ ଜମି ପଟ୍ଟା ବାହାରିଛି ା ଆଶ୍ଚର୍ଯ୍ୟ ଲାଗୁଥିଲେ ବି ରାଜକନିକା ତହସିଲ୍‌ରେ ଏଭଳି ଜମି ଜାଲିଆତି ଅଭିଯୋଗ ସାମ୍ନାକୁ ଆସିଛି। ଗୋଟିଏ କେସ୍ ନମ୍ବରରେ କିଭଳି ଦୁଇଟି ଅଲଗା ମୌଜାର ଭିନ୍ନଭିନ୍ନ ବ୍ୟକ୍ତିଙ୍କ ନାଁର ପଟ୍ଟା ବାହାରିଲା, ତାହାକୁ ନେଇ ବଡ଼ ପ୍ରଶ୍ନ ଉଠିବା ଉଠିବା ସହିତ ଜମି କାରବାରରେ ବଡ଼ଧରଣର କେଳେଙ୍କାରୀର ଆଭାଷ ଦେଉଛି। ଖୋଦ୍‌ କନିକା ତହସିଲଦାର ବି ଏଭଳି ଘଟଣାକୁ ବେଆଇନ କହିବା ସହିତ ମୋ ସମୟରେ ହୋଇନାହିଁ ବୋଲି କହି ଦୋଷଝାଡ଼ି ଦେଇଛନ୍ତି ା ଏଭଳି ସ୍ଥିତିରେ ଉପାୟଶୂନ୍ୟ ହୋଇ  ମଦରଂଗପାଟଣା ମୌଜା କାଟଣାବଣିଆ ପଞ୍ଚାୟତର ସିଙ୍ଗିଡ଼ି ଗାଁର ଜମି ମାଲିକ ସ୍ବର୍ଗତ ନରହରି ବେହେରାଙ୍କ ପୁଅ ତ୍ରିଲୋଚନ ଜିଲ୍ଲାପାଳ ଓ ମୁଖ୍ୟମନ୍ତ୍ରୀଙ୍କ ପାଖେ ଅଭିଯୋଗ କରିବା ସହିତ ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ଦାବି କରିଛନ୍ତି ା
ସୂଚନାନୁଯାୟୀ, ସିଙ୍ଗିଡ଼ି ଗାଁର ସ୍ବର୍ଗତ ନରହରି ବେହେରାଙ୍କ ୫ ଏକରରୁ ଅଧିକ ଜମି ରହିଛି। କିନ୍ତୁ ସେଥିରୁ ଗୋଟିଏ ଏକର ଜମି ସିଙ୍ଗିଡ଼ିର ନାରାୟଣ ଚନ୍ଦ୍ର ଦାସଙ୍କ ନାଁରେ ମ୍ୟୁଟେସନ୍ କେସ୍ ନଂ-୯୪୫/୧୬ରେ ଦାଖଲ ଖାରଜ ହୋଇ ପଟ୍ଟା ବାହାରିଛି ା

ତେବେ ପରିବାର ଲୋକଙ୍କ ଅଜାଣତରେ ଏହା ହୋଇଥିବା ସ୍ବର୍ଗତ ବେହେରାଙ୍କ ପୁଅ ତ୍ରିଲୋଚନ ଅଭିଯୋଗ କରୁଥିବା ବେଳେ ଆଶ୍ଚର୍ଯ୍ୟର କଥା ହେଉଛି ସେହି ମ୍ୟୁଟେସନ୍ କେସ୍ ନମ୍ବର(କେସ୍ ନଂ-୯୪୫/୧୬)ରେ ଆଉ ଜଣେ ଅଲଗା ମୌଜାର ବ୍ୟକ୍ତିଙ୍କ ନାମରେ ପଟ୍ଟା ବାହାରିଛି ା ଜୟନଗର ମୌଜାର ଅନୁଜ କୁମାର ବିଶ୍ବାଳଙ୍କ ନାଁର ଏହି ମ୍ୟୁଟେସନ୍ କେସ୍ ନମ୍ବରରେ ପଟ୍ଟା ଇସ୍ୟୁ ହୋଇଛି। ୨୦୧୬, ଜୁଲାଇ ମାସରେ ଏହି ଜମି ପଟ୍ଟା ପାଇଁ ମାମଲା ରୁଜୁ ହୋଇଥିବା ବେଳେ ୨୦୧୭, ନଭେମ୍ବରରେ ପଟ୍ଟା ପାଇଁ ଫି’ ଦାଖଲ ପାଇଁ ନିର୍ଦ୍ଦେଶ ହୋଇଛି ଏବଂ ପରବର୍ତ୍ତୀ ସମୟରେ ଶ୍ରୀ ବିଶ୍ବାଳଙ୍କ ନାମରେ ଖାତା ନମ୍ବର ୨୪୪, ପ୍ଲଟ ନମ୍ବର ୧୮୫/୧୫୮୫ରେ ଛଅ ଡିସିମିଲ୍‌ ଜମି ପଟ୍ଟା ହୋଇଥିବା ଜଣାପଡ଼ିଛି ା ହେଲେ ଯେଉଁ ପ୍ରଶ୍ନଟି ସମସ୍ତଙ୍କୁ ଆନ୍ଦୋଳିତ କରୁଛି, ତାହା ହେଉଛି ଗୋଟିଏ ମ୍ୟୁଟେସନ୍‌ ନମ୍ବରରେ ଦୁଇ ଜଣ ବ୍ୟକ୍ତିଙ୍କ ଦାଖଲ ଖାରଜ କିଭଳି ସମ୍ଭବ ହେଲା? କେଉଁ ପରିସ୍ଥିତିରେ ତହସିଲ କର୍ତ୍ତୃପକ୍ଷ ଏଭଳି କଲେ? ତହସିଲଦାର ଯେତେବେଳେ ଏହା କଦାପି ସମ୍ଭବ ନୁହେଁ ବୋଲି ସ୍ବୀକାର କରୁଛନ୍ତି, ସେତେବେଳେ ଗୋଟିଏ କେସ୍ ନମ୍ବରରେ ଦୁଇ ଜଣଙ୍କ ନାଁର ଜମି ପଟ୍ଟା ବାହାରିବା ପଛରେ ଯେ ବଡ଼ଧରଣର ଦୁର୍ନୀତି ହୋଇଛି, ଏ କଥା ଜଳଜଳ ପଦାକୁ ଜଣାପଡ଼ୁଛି ା କନିକା ତହସିଲଦାର ପ୍ରେମାନନ୍ଦ ବେହେରା ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଗୋଟିଏ ମ୍ୟୁଟେସନ୍ ନମ୍ବରରେ ଦୁଇଟି ପଟ୍ଟା ବାହାରିବା ସମ୍ଭବ ନୁହେଁ, ମୋ ସମୟରେ ଏହା ହୋଇନାହିଁ। ତେଣୁ ଏହାର ତର୍ଜମା କରାଯିବ ବୋଲି ଶ୍ରୀ ବେହେରା କହିଛନ୍ତି ା

ସମ୍ବନ୍ଧିତ ଖବର