ଆଖି ବୁଜିଲା ନନ୍ଦନକାନନ ପ୍ରାଣୀ ଉଦ୍ୟାନର ବୁଢ଼ା କଲରାପତରିଆ ’ମଙ୍ଗଳ’

ନନ୍ଦନକାନନରେ ହୋଇପାରୁନି କଲରାପତରିଆ ପ୍ରଜନନ

ବାରଙ୍ଗ : ବୁଧବାର ଭୋର୍‌ ପ୍ରାୟ ସାଢ଼େ ୩ଟାରେ ନନ୍ଦନକାନନ ପ୍ରାଣୀ ଉଦ୍ୟାନର ବୁଢ଼ା କଲରାପତରିଆ ମଙ୍ଗଳ ଆଖି ବୁଜିଛି। ୧୮ ନମ୍ବର ଖୁଆଡ଼ରେ ରହୁଥିବା ମଙ୍ଗଳକୁ ୧୬ ବର୍ଷ ବୟସ ହୋଇଥିଲା। ବାର୍ଦ୍ଧକ୍ୟଜନିତ ଅସୁସ୍ଥତା ଓ ପରେ ନିମୋନିଆରେ ପୀଡ଼ିତ ହୋଇ ତା’ର ମୃତ୍ୟୁ ଘଟିଛି। ନନ୍ଦନକାନନରେ କଲପତରିଆ ପ୍ରଜନନ ସଫଳ ହେଉନଥିବାରୁ ଧୀରେଧୀରେ ଏହି ପ୍ରଜାତିର ବାଘ ସଂଖ୍ୟା କମିବା‌ରେ ଲାଗିଛି।

ସୂଚନାନୁସାରେ ଗତ ୮ତାରିଖରେ ମଙ୍ଗଳ ଅଚାନକ ଅସୁସ୍ଥ ହୋଇପଡ଼ିଥିଲା ଓ ଆଉ ଖାଦ୍ୟ ଗ୍ରହଣ କରିନଥିଲା। ତେଣୁ ତାକୁ ପ୍ରାଣୀ ଚିକିତ୍ସା କେନ୍ଦ୍ରକୁ ଆଣି ଅଲଗା ରଖାଯାଇଥିଲା ଓ ଏକ ଯନ୍ତାରେ ରଖି ଚିକିତ୍ସା କରାଯାଇଥିଲା। କିନ୍ତୁ ଚିକିତ୍ସାଧୀନ ଅବସ୍ଥାରେ ତା’ର ମୃତ୍ୟୁ ହୋଇଛି। ଆଜି ଓୟୁଏଟି ପ୍ରାଣୀ ନିଦାନ ବିଭାଗର ଆସିଷ୍ଟାଣ୍ଟ ପ୍ରଫେସର ପ୍ରସନ୍ନ ରଥ ନନ୍ଦନକାନନରେ ପହଞ୍ଚି ଶବ ବ୍ୟବଚ୍ଛେଦ କରିଛନ୍ତି। ବାର୍ଦ୍ଧକ୍ୟଜନିତ ଅସୁସ୍ଥତା କାରଣରୁ ମଙ୍ଗଳର ଅଧିକାଂଶ ଦାନ୍ତ ଝଡ଼ି ପଡ଼ିଥିବା ବେଳେ ପାକସ୍ଥଳୀ, ଖାଦ୍ୟନଳୀ ଓ ଫୁସଫୁସ୍ ଦୁର୍ବଳ ହୋଇଯାଇଥିଲା ବୋଲି ଶବ ବ୍ୟବଚ୍ଛେଦ ବେଳେ ଜଣାପଡ଼ିଛି।

ସୂଚନାଯୋଗ୍ୟ ମଙ୍ଗଳ ଏକ ବନ୍ଧ୍ୟାକରଣ ହୋଇଥିବା କଲରାପତରିଆ ବାଘ। ୨୦୦୬ ମସିହା ମେ ୧ ତାରିଖରେ ମଙ୍ଗଳ ପଞ୍ଜାବ ସତ୍‌ବୀରସ୍ଥିତ ମହିନ୍ଦ୍ରା ଚୌଧୁରୀ ପ୍ରାଣୀ ଉଦ୍ୟାନରେ ଜନ୍ମଲାଭ କରିଥିଲା। ତାକୁ ୨୦୧୨ ମାର୍ଚ୍ଚ ୧୦ ତାରିଖରେ ନନ୍ଦନକାନନକୁ ଅଣାଯାଇଥିଲା। ମଙ୍ଗଳର ମୃତ୍ୟୁ ପରେ ଏବେ ନନ୍ଦନକାନନରେ ୩ଟି ‌ଅଣ୍ଡିରା ଓ ୩ ମାଈ କଲରାପତରିଆ ଅଛନ୍ତି। ପରିତାପର କଥା କଲରାପତରିଆ ବାଘ ପ୍ରଜନନ ସଫଳ ହୋଇପାରିନା‌ହିଁ। ଅବଶ୍ୟ ‘ବର୍ଷା’ ଦୁଇ ଥର ମା’ ହୋଇଥିଲା। କିନ୍ତୁ ସେ ଦୁଇ ଥରଯାକ ନିଜ ଛୁଆଙ୍କୁ ମାରି ଖାଇଦେଇଥିଲା। ପ୍ରଥମ ଥର ଦୁଇ ଛୁଆଙ୍କୁ ମାରି ଖାଇଦେବା ପରେ ଦ୍ବିତୀୟ ଥର ତା’ ଛୁଆଙ୍କୁ ବଞ୍ଚାଇବାକୁ ଉଦ୍ୟମ କରାଯାଇଥିଲା। କେତେବେଳେ ଜନ୍ମ କରିବ ଜାଣିବା ପାଇଁ ସିସିଟିଭି ଲଗା ଯାଇଥିଲା। କିନ୍ତୁ ତାହା ବି ସଫଳ ହୋଇନଥିଲା।

ସମ୍ବନ୍ଧିତ ଖବର