ହାତୀ ପାଇଁ ସବୁ ଅନ୍ଧାର:ସୁରକ୍ଷା ଆଳରେ ବିଦ୍ୟୁତ୍‌ କାଟ : ପାଳନ ହେଉନି ଗାଇଡ୍‌ ଲାଇନ

କ’ଣ କହୁଛି ନିୟମ

କେନ୍ଦ୍ର ବିଦ୍ୟୁତ୍‌ ପ୍ରାଧିକରଣର ଅଧିନିୟମ ୨୦୧୦ର ଭ‌ାରତୀୟ ବିଦ୍ୟୁତ୍‌ ନିୟମ (୧୯୫୬) ଓ ନିୟମ ୫୮ ଅନୁସାରେ ବିଦ୍ୟୁତ୍‌ ତାରର ଉଚ୍ଚତା ୪.୬ ମିଟର ବା ୧୫.୦୯ ଫୁଟରୁ ତଳକୁ ହେବା କଥା ନୁହେଁ। ଯଦି ୧୧ ହଜାର ଭୋଲ୍‌ଟର ଉଚ୍ଚଶକ୍ତିସଂପନ୍ନ ବିଦ୍ୟୁତ୍‌ ସରବରାହ ହେଉଥାଏ ତେବେ ସେହି ତାରର ଉଚ୍ଚତା ଭୂମିଠାରୁ ୫.୨ ମିଟର ବା ୧୭.୦୬ ଫୁଟ ରହିବା ଉଚିତ।
ଅନ୍ୟପଟେ ଗୋଟିଏ ଭାରତୀୟ ତଥା ଏସୀୟ ହାତୀର ଉଚ୍ଚତା ସାଧାରଣତଃ ୨ରୁ ୩.୫ ମିଟର ବା ସାଢ଼େ ୬ ଫୁଟରୁ ସାଢ଼େ ୧୧ ଫୁଟ ପର୍ଯ୍ୟନ୍ତ ରହୁଛି। ତେଣୁ ନିର୍ଦେଶାବଳୀ ଅନୁସାରେ ଯଦି ସମସ୍ତ ବିଦ୍ୟୁତ୍‌ ତାରଗୁଡ଼ିକୁ ୧୫ରୁ ୧୭ ଫୁଟ ଉଚ୍ଚତାର ଟଣାଯାଏ ତେବେ ହାତୀପଲ ଏହାର ସଂସ୍ପର୍ଶରେ ଆସିବାର ଆଶଙ୍କା ହ୍ରାସ ପାଇବ। ତା’ ସହିତ ଦୁର୍ଘଟଣା ବି ଟଳିଯିବ। ଆଉ ଲାଇନ୍‌ କାଟିବାର ଆବଶ୍ୟକତା ରହିବ ନାହିଁ।

କେନ୍ଦୁଝର: ହାତୀ ପାଇଁ ଅନ୍ଧାର ହେଉଛି ଗଁାରୁ ସହର। ବିଜୁଳି କାଟ୍‌ ଯୋଗୁ ହାତୀଙ୍କୁ ତ ସୁରକ୍ଷା ମିଳୁଛି ନିଶ୍ଚିତ। ବନ କର୍ମଚାରୀ ଓ ବିଦ୍ୟୁତ୍‌ କର୍ମଚାରୀ ମଧ୍ୟ ନିଶ୍ଚିନ୍ତରେ ନିଦ୍ରା ଯାଉଛନ୍ତି। ନା ହାତୀ ମରିବାର ଭୟ ଅଛି, ନା ଚାକିରି ଯିବାର! ‘ନ ରହେଗା ବଁାଶ ନ ବଜେଗି ବଁାଶୁରୀ’। ଏହି ନୀତି ଆପଣାଇଛି ଏବେ ବିଦ୍ୟୁତ୍‌ ବିଭାଗ।
ଢେଙ୍କାନାଳରେ ଅକ୍ଟୋବର ୨୬ରେ ୧୧ କେଭି ବିଦ୍ୟୁତ୍‌ ତାରରେ ଲାଗି ୭ ହାତୀ ମରିବା ପରେ ବିଭାଗୀୟ କର୍ମଚାରୀମାନେ ଆଉ ବିପଦ ଉଠାଇବାକୁ ଚାହୁଁନାହାନ୍ତି। ଗତ ନଭେମ୍ବର ୧୫ ତାରିଖରେ ମୟୂରଭଞ୍ଜ ଜିଲ୍ଲାର ସାନସରାଶପଶି ଗ୍ରାମରେ ମଧ୍ୟ ଅନୁରୂପ ଭାବେ ଉଚ୍ଚଶକ୍ତିସଂପନ୍ନ ବିଦ୍ୟୁତ୍‌ ତାରରେ ଲାଗି ଗୋଟିଏ ହାତୀ ମରିଛି।
ଏସବୁ ହାତୀ ମୃତ୍ୟୁ ଘଟଣା ପରେ ସୁରକ୍ଷା ଦୃଷ୍ଟିରୁ କେନ୍ଦୁଝର ଜିଲ୍ଲାରେ ବିଦ୍ୟୁତ୍‌ କାଟ୍‌ ଏକ ସହଜ ଉପାୟ ହୋଇଛି। ଏହା ହାତୀ ଓ ବନ ତଥା ବିଦ୍ୟୁତ୍‌ ବିଭାଗ କର୍ମଚାରୀଙ୍କ ଚାକିରିକୁ ସୁରକ୍ଷିତ ରଖୁଥାଇପାରେ, କିନ୍ତୁ ହଜାର ହଜାର ବିଦ୍ୟୁତ୍‌ ଉପଭୋକ୍ତାଙ୍କୁ ଅନ୍ଧକାର ମୁହଁକୁ ଠେଲି ଦେଇଛି। ସଂଜ ନଇଁଲେ ସବୁଆଡ଼େ ଅନ୍ଧାର ଛାଇଯାଉଛି। ସାଧାରଣ କାମଟିଏ ହୋଇପାରୁନି। ଦୋକାନବଜାର, ବ୍ୟବସାୟିକ କାରବାର ଠପ୍‌ ହୋଇଯାଉଛି। ଆଗକୁ ପରୀକ୍ଷା ସମୟ ଆସୁଥିଲାବେଳେ ଏଭଳି ସ୍ଥିତିରେ ଛାତ୍ରଛାତ୍ରୀଙ୍କ ପାଠପଢ଼ା କେତେ ପ୍ରଭାବିତ ହେଉଛି ତାହା ଅନୁଧ୍ୟାନର ବିଷୟ।
ବିଦ୍ୟୁତ୍‌ ବିଭାଗ ନିଜର ଦୋଷତ୍ରୁଟି ସୁଧାରିବା ତଥା କମ୍‌ ଉଚ୍ଚରେ ଯାଇଥିବା ତାର ଓ ଖୁଣ୍ଟକୁ ଠିକ୍‌ ଉଚ୍ଚତାରେ ରଖିବା ପରିବର୍ତ୍ତେ ଲାଇନ୍‌ କାଟି ଉପଭୋକ୍ତାଙ୍କୁ ସେବାରୁ ବଞ୍ଚିତ କରିବାକୁ ଉଚିତ ମଣୁଛି। ଏ କ୍ଷେତ୍ରରେ ବିଭାଗର ନିର୍ଦେଶାବଳୀକୁ ପାଳନ କରାଯାଉନାହିଁ। ଯଦି ନିର୍ଦେଶାବଳୀ ଅନୁସାରେ ନିର୍ଦ୍ଧାରିତ ଉଚ୍ଚତାରେ ଖୁଣ୍ଟ ପୋତି ତାର ଟଣାଯାଇଥାନ୍ତା ତେବେ ଲାଇନ୍‌ କାଟିବାର ଆବଶ୍ୟକତା ନଥାନ୍ତା।
ଏଠାରେ ଉଲ୍ଲେଖ କରାଯାଇପାରେ ଯେ ବିଦ୍ୟୁତ୍‌ ଆଘାତଜନିତ ହାତୀ ମୃତ୍ୟୁ ଘଟଣା ଓଡ଼ିଶାରେ ଉଦ୍‌ବେଗଜନକ ଭାବେ ବୃଦ୍ଧି ପାଇଛି। ୨୦୧୦ରୁ ଏଯାଏ ବିଦ୍ୟୁତ୍‌ ଆଘାତରେ ମୋଟ ୯୧ଟି ହାତୀଙ୍କ ମୃତ୍ୟୁ ଘଟିଥିବା ପରିସଂଖ୍ୟାନରୁ ଜଣାପଡ଼ିଛି।
କେନ୍ଦୁଝର ଜିଲ୍ଲାର ବଡ଼ବିଲ, ଚମ୍ପୁଆ, ରେଞ୍ଜ୍‌ରେ ହାତୀ ଚଳପ୍ରଚଳ ଓ ଉପଦ୍ରବ ସାଧାରଣ ଘଟଣା। ଏମିତି ଆଜି ମଧ୍ୟ ଯୋଡ଼ା ବ୍ଲକ ଅଞ୍ଚଳରେ ହାତୀ ଆକ୍ରମଣରେ ଜଣେ ଆହତ ହୋଇଛନ୍ତି। ଏହାଛଡ଼ା, ଝୁମ୍ପୁରା, ସଦର ବ୍ଲକ ଓ ବାଂଶପାଳ, ତେଲକୋଇ ଓ ହରିଚନ୍ଦନପୁର ତଥା ଘଟଗଁା ବ୍ଲକ ଅଞ୍ଚଳରେ ମଧ୍ୟ ହାତୀ ଉପଦ୍ରବ ସାଧାରଣ ଘଟଣା।
ଏଣୁ ହାତୀ ପାଇଁ ଜିଲ୍ଲାବ୍ୟାପୀ ବିଦ୍ୟୁତ୍‌ କାଟ୍‌ ସାଧାରଣ ସମସ୍ୟାରେ ପରିଣତ ହୋଇଛି। କେବଳ କେନ୍ଦୁଝର ସହରରେ ଦିନକୁ ୮/୧୦ ଘଣ୍ଟା ବିଭିନ୍ନ ସମୟରେ ବିଦ୍ୟୁତ କାଟ ହେଉଛି। ଗ୍ରାମାଞ୍ଚଳ କଥା କିଏ ପଚାରେ। ବିଦ୍ୟୁତ୍‌ ପରିବହନ ପାଇଁ ଅତ୍ୟାଧୁନିକ ପ୍ରଯୁକ୍ତି, କେବଲ ବ୍ୟବସ୍ଥା କରାଯାଉନାହିଁ। ସାଧାରଣ ଲୋକଙ୍କ ପାଇଁ ଏହାଦ୍ବାରା ସମସ୍ୟା ସୃଷ୍ଟି କରାଯାଉଥିବା ବୁଦ୍ଧିଜୀବୀମାନେ ମତପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର