ଲୁହାପଥର ଟ୍ରକ ପାଇଁ ଟ୍ରାଫିକ ଜାମ୍‌

ରୁଟ୍ ବଦଳାଉଛନ୍ତି ଯାତ୍ରୀବାହୀ ଗାଡ଼ି

ଆନନ୍ଦପୁର: ୨୦ ନମ୍ବର ଜାତୀୟ ରାଜପଥ ବେଲବାହାଳି ପୋଲରେ ସାଂଘାତିକ ପରିସ୍ଥିତି। ପୋଲ ଉପରେ ଏକା ସାଙ୍ଗରେ ଦୁଇଟି ଟ୍ରକ ଅତିକ୍ରମ କରି ପାରୁନଥିବାରୁ ଘଣ୍ଟାଘଣ୍ଟା ଧରି ରାସ୍ତା ଏକପ୍ରକାର ବନ୍ଦ ହୋଇଯାଉଛି। ଲୁହାପଥର ପରିବହନ ପ୍ରତିଯୋଗିତାକୁ ନେଇ ଏଭଳି ସ୍ଥିତି ସୃଷ୍ଟି ହୋଇଥିବା ବେଳେ ଏଥିପାଇଁ ଯାତ୍ରୀମାନେ ହନ୍ତସନ୍ତ ହେଉଛନ୍ତି। ପୋଲ ଉପରେ ସବୁବେଳେ ଟ୍ରାଫିକ ଜାମ୍‌ ଯୋଗୁଁ ଚାରିଚକିଆ, ଯାତ୍ରୀବାହୀ ଗାଡ଼ିଗୁଡ଼ିକ ଏବେ ରୁଟ୍ ବଦଳାଇବାକୁ ବାଧ୍ୟ ହେଉଛନ୍ତି।
କେନ୍ଦୁଝରର ବିଭିନ୍ନ ଖଣିରୁ ଲୁହାପଥର ପରିବହନ କରାଯାଉଛି। ଲୁହାପଥର ବୋଝେଇ ଟ୍ରକ ସଂଖ୍ୟା ଦିନକୁ ଦିନ ବଢ଼ି ଚାଲିଛି। ଜିଲ୍ଲା ତଥା ରାଜ୍ୟ ବାହାରର ଟ୍ରକ ଗୁଡ଼ିକ କେନ୍ଦୁଝରର ବିଭିନ୍ନ ଖଣି ଖାଦାନକୁ ଆସୁଛନ୍ତି। ରାଜ୍ୟ ବାହାରର ୨୪ଚକିଆ ଟ୍ରକ ଲୁହାପଥର ପରିବହନ କାର୍ଯ୍ୟରେ ନିୟୋଜିତ ହୋଇଥିବାରୁ ଟ୍ରାଫିକ ସମସ୍ୟା ଅଧିକ ଜଟିଳ ହେଉଛି। ଅଧିକ ସଂଖ୍ୟାକ ଟ୍ରକ ଚଳାଚଳ ଯୋଗୁଁ ବେଲବାହାଳି ପୋଲରେ ସମସ୍ୟା ଦେଖାଦେଇଛି। ଏହି ଅଣଓସାରିଆ ପୋଲ ଉପରେ ଏକସଙ୍ଗେ ଦୁଇଟି ଟ୍ରକ ଅତିକ୍ରମ କରିବା ସମ୍ଭବ ହେଉନାହିଁ। ପୋଲର ଉଭୟ ପାର୍ଶ୍ବରେ ଅନେକ ଗାଡ଼ି ଅଟକି ରହୁଛି। ଗୋଟିଏ ପ‌ଟେ ବାରିଗାଁ ଅନ୍ୟପଟେ ହସନପୁର ଟୋଲଗେଟ୍ ପର୍ଯ୍ୟନ୍ତ ଟ୍ରକ ଗୁଡ଼ିକ ଅଟକି ରହିବା ଯୋଗୁଁ ଛୋଟଗାଡ଼ି ଓ ବସ୍‌ରେ ଯାଉଥିବା‌ ଲୋକେ ହନ୍ତସନ୍ତ ହେଉଛନ୍ତି। ରାତିରେ ଅଧିକ ଟ୍ରାଫିକ ଜାମ୍‌ ହେଉଥିବା ଅଭିଯୋଗ ହୋଇଛି। ଏଥିରୁ ବର୍ତ୍ତିବା‌ ପାଇଁ ଚାରିଚକିଆ ଗାଡ଼ି ଓ ବାଇକ୍ ଗୁଡ଼ିକ ରୁଟ୍‌ ବଦଳାଇ ଦେଓଗାଁ କିମ୍ବା ସରେଇଁ ରାସ୍ତାରେ ଯିବାକୁ ବାଧ୍ୟ ହେଉଛନ୍ତି।
ଆଗାମୀ ଦିନରେ ଟ୍ରକ ଚଳାଚଳକୁ ନିୟନ୍ତ୍ରଣ କରାନଗଲେ ପରିସ୍ଥିତି ଅଧିକ ଜଟିଳ ହେବା ସହ ପୋଲ ଭାଙ୍ଗିବାର ଆଶଙ୍କା ରହିଛି। ନୂତନ ପୋଲ ନିର୍ମାଣ ହେଉନଥିବାରୁ କୌଣସି ମୁହୂର୍ତ୍ତରେ ଯାଜପୁର-ଆନନ୍ଦପୁର ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ ହେବାର ସମ୍ଭାବନା ରହିଛି। ଜିଲ୍ଲା ପ୍ରଶାସନ ଏନେଇ ତୁରନ୍ତ ପଦକ୍ଷେପ ନନେଲେ ଆଗାମୀ ଦିନରେ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରାଯିବ ବୋଲି ଜିଲ୍ଲା ପରିଷଦ ସଦସ୍ୟ ପ୍ରଭାକର ସାହୁ କହିଛନ୍ତି।

ସମ୍ବନ୍ଧିତ ଖବର