ମଝି ରାସ୍ତାରେ ଫସିଲା ଟ୍ରକ୍‌

କେନ୍ଦୁଝର: ୨୦ ନମ୍ବର ଜାତୀୟ ରାଜପଥ ନିର୍ମାଣ କାମ ଅତ୍ୟନ୍ତ ନିମ୍ନମାନର ହୋଇଥିବା ଅଭିଯୋଗ ହୋଇଛି। ଫଳରେ ରାସ୍ତାରେ ବିରାଟ ବିରାଟ ଖାଲ ସୃଷ୍ଟି ହୋଇଛି। ନିର୍ମାଣ କାମ କରିଥିବା ଠିକାସଂସ୍ଥା ଗାୟତ୍ରୀ କମ୍ପାନି ରାସ୍ତା ମରାମତି ପ୍ରତି ଆଖିବୁଜି ଦେଇ କେବଳ ଟୋଲ୍‌ ଆଦାୟରେ‌ ମାତିଛି। ଭଙ୍ଗାଦଦରା ଓ ଖାଲଖମାରେ ପରିପୂର୍ଣ୍ଣ ରାସ୍ତାରେ ଲୋକଙ୍କୁ ଯାତାୟାତ କରିବାରେ ସମସ୍ୟା ହେଉଛି। ବିଭିନ୍ନ ସମୟରେ ଦୁର୍ଘଟଣା ଘଟି ଲୋକେ ମୃତାହତ ହେଉଛନ୍ତି। ଆଜି ବାଲିଆଗୋଡ଼ା ନିକଟରେ ରାସ୍ତା ମଝିରେ ଥିବା ଖାଲରେ ଏକ ୧୪ ଚକିଆ ଟ୍ରକ୍‌ ଫସିଯିବାରୁ ଉକ୍ତ ରାସ୍ତା‌ରେ ଗାଡ଼ିମୋଟର ଚଳାଚଳ ବାଧାପ୍ରାପ୍ତ ହୋଇଛି।
ଆଜି ସକାଳ ୯ଟା ବେଳେ ଏକ ମାଲ୍‌ବାହୀ ୧୪ ଚକିଆ ଟ୍ରକ୍‌ କେନ୍ଦୁଝର ପଟୁ ବଡ଼ବିଲ ଆଡ଼କୁ ଯାଉଥିଲା। ବାଲିଆଗୋଡ଼ା ନିକଟରେ ୨୦ ନମ୍ବର ଜାତୀୟ ରାଜପଥରେ ହୋଇଥିବା ବିଶାଳ ଖାଲରେ ଟ୍ରକ୍‌ଟି ଫସିଯାଇଥିଲା। ଆଉ ବାହାରି ପାରିନଥିଲା। ରାସ୍ତା ମଝିରେ ଟ୍ରକ୍‌ ଫସି ରହିବା ଯୋଗୁଁ ଉକ୍ତ ରାସ୍ତା ଦେଇ ଗାଡ଼ି ଚଳାଚଳ ବାଧାପ୍ରାପ୍ତ ହୋଇଥିଲା। ରାଜପଥର ଡାହାଣ ପାର୍ଶ୍ବ ରାସ୍ତାରେ ଭାରଯାନ ଗୁଡ଼ିକ ଯାତାୟାତ କରିଥିଲା। ଦୀର୍ଘ ୭ ଘଣ୍ଟା ଧରି ଟ୍ରକ୍‌ଟି ରାସ୍ତାରେ ଫସି ରହିବା ପରେ ଅପରାହଣ ୪ଟା ବେଳେ ବାହାର କରାଯାଇ ରାସ୍ତାକଡ଼କୁ ଅଣାଯାଇଥିଲା।
ଅଧାପନ୍ତରିଆ ରାସ୍ତାରେ ଗାୟତ୍ରୀ କମ୍ପାନି ଟୋଲ୍‌ ଆଦାୟ କରୁଥିବା ବେଳେ ଏଥିପ୍ରତି ସମ୍ପୂର୍ଣ୍ଣ ଆଖିବୁଜି ଦେଇଛନ୍ତି ଉଭୟ ଜିଲ୍ଲା ପ୍ରଶାସନ ଓ ଏନ୍‌ଏଚ୍‌ଏଆଇ। ଲୋକେ ମଧ୍ୟ ଚୁପ୍‌। ଯଦି କିଏ କେତେବେଳେ ପାଟି ଖୋଲିଲା ତେବେ ଠିକାସଂସ୍ଥା କର୍ତ୍ତୃପକ୍ଷ ବଳ ପ୍ରୟୋଗ କରି ସେମାନଙ୍କୁ ଧମକ ଚମକ ଦେଇ ଚୁପ୍‌ କରାଇ ଦେଉଥିବା ଅଭିଯୋଗ ହେଉଛି। ଜିଲ୍ଲା ପ୍ରଶାସନ ଓ ଏନ୍‌ଏଚ୍‌ଏଆଇ କର୍ତ୍ତୃପକ୍ଷ ଏ ଦିଗରେ ତ୍ବରିତ ପଦକ୍ଷେପ ନେବାକୁ ଲୋକେ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର