୧୭ରୁ ବିଜୁ ସ୍ମାରକୀ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ

ଖୋର୍ଦ୍ଧା: ଆସନ୍ତା ୧୭ ତାରିଖରୁ ଖୋର୍ଦ୍ଧା ବିଜେବି ହାଇସ୍କୁଲ ପଡ଼ିଆରେ ବିଜୁ ସ୍ମାରକୀ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହେବ । ଏଥିରେ କେବଳ ରାଜ୍ୟର ବିଜୁ ଯୁବ ଓ ବିଜୁ ଛାତ୍ର ଜନତା ଦଳର ସଦସ୍ୟ ହିଁ ଭାଗ ନେଇପାରିବେ ବୋଲି ଟୁର୍ଣ୍ଣାମେଣ୍ଟର ଆୟୋଜକ କହିଛନ୍ତି ।

ଗତକାଲି ବିଧାୟକ ଜ୍ୟୋତିରୀନ୍ଦ୍ର ନାଥ ମିତ୍ରଙ୍କ ଅଧ୍ୟକ୍ଷତାରେ ଏନେଇ ଏକ ପ୍ରସ୍ତୁତି ବୈଠକ ବସିଥିଲା । ବୈଠକର ସୂଚନାନୁସାରେ, ୧୭ତାରିଖ ଉଦଘାଟନୀ ମ୍ୟାଚ ଥିବା ବେଳେ ୨୪ ତାରିଖରେ ଫାଇନାଲ ମ୍ୟାଚ ଅନୁଷ୍ଠିତ ହେବ । ଅନ୍ତିମ ଦିବସରେ ରାଜ୍ୟ ବିଧାନ ସଭାର ମନ୍ତ୍ରୀ ଓ ବିଧାୟକମାନଙ୍କୁ ନେଇ ଏକ ଦିବାରାତ୍ର ପଦର୍ଶନୀ ମ୍ୟାଚ ଅନୁଷ୍ଠିତ ହେବ ।

ପ୍ରତ୍ୟେକ ଦିନ ଦୁଇ ଗୋଟି ମ୍ୟାଚ ରହିଥିବା ବେଳେ ପ୍ରଥମ ମ୍ୟାଚ ୯ଟାରୁ ଆରମ୍ଭ ହୋଇ ମଧ୍ୟାହ୍ନ ୧୨.୩୦ ଓ ଦ୍ୱିତୀୟ ମ୍ୟାଚ ମଧ୍ୟାହ୍ନ ୧ଘଟିକା ଠାରୁ ଆରମ୍ଭ ହୋଇ ଅପରାହ୍ନ ୪.୩୦ରେ ଶେଷ ହେବ । ପ୍ରତ୍ୟେକ ମ୍ୟାଚ ୧୫ ଓଭର ଓ ଟେନିସ୍ ବଲରେ ଖେଳାଯିବ ।

ପ୍ରିମିୟର ଲିଗ ପାଇଁ ବୌଦ୍ଧ, ପୁରୀ, ଭୁବନେଶ୍ୱର, ଗଞ୍ଜାମ, ଖୋର୍ଦ୍ଧା, ନୟାଗଡ଼ ଜିଲ୍ଲାରୁ ଯୁବ ଓ ଛାତ୍ର ବିଜୁ ଜନତା ଦଳର ଖେଳାଳିମାନେ ଅଂଶ ଗ୍ରହଣ କରିବେ । ବିଜୁ ପ୍ରିମିୟର ଲିଗ୍ ପାଇଁ ଖୋର୍ଦ୍ଧା ଜିଲ୍ଲା ବିଜୁ ଜନତା ଦଳର ସଭାପତି ବିଭୁତି ବଳବନ୍ତରାୟଙ୍କୁ ଅଧ୍ୟକ୍ଷ ଭାବେ ନିଯୁକ୍ତି ଦିଆଯାଇଛି । ଟୁର୍ଣ୍ଣାମେଣ୍ଟର ଉପାଧ୍ୟକ୍ଷ ଭାବେ ଜ୍ୟୋତିରୀନ୍ଦ୍ର ନାଥ ମିତ୍ର ଟୁର୍ଣ୍ଣାମେଣ୍ଟର ପରିଚାଳନା କରିବେ । ଉଦ୍ୟାପନି ଦିବସରେ ୨୫ରୁ ଉର୍ଧ୍ବ ମନ୍ତ୍ରୀ ଓ ବିଧାୟକ ଯୋଗ ଦେଉଥିବାରୁ ସହର ମଧ୍ୟରେ ଏକ ଶୋଭାଯାତ୍ରା କରିବା ପାଇଁ କମିଟି ପକ୍ଷରୁ ନିଷ୍ପତ୍ତି ନିଆଯାଇଛି।

ତେବେ ଟୁର୍ଣ୍ଣାମେଣ୍ଟର ଆୟୋଜନ ଓ ଏଥିରେ ଖୋର୍ଦ୍ଧାର ପୂର୍ବତନ ବିଧାୟକ ତଥା ବର୍ତ୍ତମାନର ବେଗୁନିଆ ବିଧାୟକ ରାଜେନ୍ଦ୍ର ସାହୁଙ୍କୁ ଡକାଯାଇ ନଥିବାକୁ ନେଇ ରାଜନୈତିକ ହଟ୍ଟଚମଟ ଆରମ୍ଭ ହୋଇଯାଇଛି । ସହରରେ ମରାଯାଇଥିବା ବିଭିନ୍ନ ପୋଷ୍ଟରରେ ବେଗୁନିଆ ବିଧାୟକଙ୍କ ଫଟୋ ନଥିବା ଓ ବିଧାୟକଙ୍କ ସମର୍ଥକଙ୍କୁ ଏଥିରେ ସାମିଲ କରାଯାଉ ନଥିବାରୁ ରାଜେନ୍ଦ୍ର ସାହୁଙ୍କ ସମର୍ଥକମାନେ ଟୁର୍ଣ୍ଣାମେଣ୍ଟର ଆୟୋଜନକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ।

ସମ୍ବନ୍ଧିତ ଖବର