ସାପ କାମୁଡ଼ାରେ ଷଷ୍ଠ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ

ବାଲିପାଟଣା: ଖୋର୍ଦ୍ଧା ଜିଲ୍ଲା ବାଲିପାଟଣା ବ୍ଲକ ଭାକର ସାହି ଭୋଇସାହିରେ ଆଜି ସାପ କାମୁଡ଼ାରେ ଜଣେ ନାବାଳକଙ୍କ ମୃତ୍ୟୁ ଘଟିଛି। ସେ ହେଲେ ଗୁଆପୁର ପଞ୍ଚାୟତ ବଗପଦା ଗ୍ରାମର ନାରଣ ଭୋଇଙ୍କ ପୁଅ ବବୁଲ। ସୂଚନା ଅନୁସାରେ, ବବୁଲ ଭାକରସାହି ଭୋଇସାହିର ଅଜା ଅନାମ ଭୋଇଙ୍କ ଘରେ ରହି ସ୍ଥାନୀୟ ବିଦ୍ୟାଳୟରେ ଷଷ୍ଠ ଶ୍ରେଣୀରେ ପାଠପଢୁଥିଲା।

ଆଜି ନାବାଳକ ଜଣଙ୍କ ଘରେ ଶୋଇଥିଲେ। ପ୍ରାୟ ସାଢେ ୩ ଟା ବେଳେ ପରିବାର ଲୋକ ପୁଅକୁ ଡାକିଥିଲେ।ହେଲେ ସେତେବେଳକୁ ସେ ନିସ୍ତେଜ ହୋଇଯାଇଥିଲେ। ସାପ କାମୁଡି ଥିବା ସ୍ଥାନରୁ ରକ୍ତ ଝରୁଥିବା ଦେଖିଥିଲେ। ପରିବାର ଲୋକେ ସେହି ଘରେ ମଧ୍ୟ ସାପକୁ ଠାବ କରିଥିଲେ। ତୁରନ୍ତ ତାଙ୍କୁ ଅଟୋ ଯୋଗେ ଅଡ଼ସପୁର ମେଡିକାଲକୁ ନିଆଯାଇଥିଲା। ସେଠାରୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରା ଯାଇଥିଲା। ହେଲେ ଚିକିତ୍ସା ଦାୟିତ୍ୱରେ ଥିବା ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ଆସନ୍ତାକାଲି କଟକ ମେଡିକାଲରେ ଶଵ ବ୍ୟବଛେଦ ହେବ ବୋଲି ସୂଚନା ମିଳିଛି। ନାବାଳକଙ୍କ ଅକାଳ ବିୟୋଗରେ ସ୍ଥାନୀୟ ଅଞ୍ଚଳରେ ଗଭୀର ଶୋକର ଛାୟା ଖେଳିଯାଇଛି। ଉକ୍ତ ପରିବାରକୁ ସରକାରୀ ସହାୟତା ଯୋଗାଇ ଦେବାକୁ ବିଭିନ୍ନ ମହଲରୁ ଦାବି ହୋଇଛି।

ସମ୍ବନ୍ଧିତ ଖବର