୫ଦିନ ପରେ ଖୋଲିଲା ଜୟପୁର-କୋରାପୁଟ ଘାଟି ରାସ୍ତା

ଜୟପୁର: ଦୀର୍ଘ ୫ଦିନ ପରେ ଜୟପୁର-କୋରାପୁଟ ଘାଟିର ରାସ୍ତା ଖୋଲିଛି। ଆଜି ଦୁର୍ଘଟଣାଗ୍ରସ୍ତ ଗ୍ୟାସ ଟ୍ୟାଙ୍କରରେ ଶେଷ ଆଡ଼କୁ ଥିବା ଗ୍ୟାସ୍ ସବୁ ବାହାରକୁ ସଂପୁର୍ଣ୍ଣ ରୁପେ ଛାଡ଼ି ଦିଆଯାଇଥିଲା। ୩୦୦ମିଟର ପର୍ଯ୍ୟନ୍ତ ନିଶେଧ ଜାରୀ କରି ପୁଲିସ କିମ୍ବା ପ୍ରଶାସନିକ ଅଧିକାରୀ ଆଦି କାହାରିକୁ ବି ଛଡ଼ା ଯାଇ ନଥିଲା।

ଏଚପିସିଏଲରୁ ଆସିଥିବା ସ୍ବତନ୍ତ୍ର ଟିମ୍, ଅଗ୍ନିଶମ ବିଭାଗ ଆଦି ଉପସ୍ଥିତ ରହି ଗ୍ୟାସ୍ ଟ୍ୟାଙ୍କରକୁ ସଂପୁର୍ଣ୍ଣ ରୁପେ ଖାଲି କରିଥିଲେ। ଆସନ୍ତାକାଲି ଜୟପୁର ଏବଂ ନବରଙ୍ଗପୁର ଗସ୍ତରେ ଆସୁଥିବା ମୁଖ୍ୟଶାସନ ସଚିବଙ୍କ ଗସ୍ତ ପାଇଁ ପ୍ରସ୍ତୁତିକୁ ଯାଇ ଜିଲ୍ଲାପାଳ ଅବଦାଲ୍ ଏମ୍ ଆଖତର , ଏଚପିସିଏଲ୍ ଗ୍ୟାସ୍ କଂପାନୀର ଜିଏମ୍ ଧର୍ମେନ୍ଦ୍ର ବେଉରା, ଅତିରିକ୍ତ ତହସିଲଦାର ଅଶ୍ବିନୀ ମହାପାତ୍ର ,ଜୟପୁର ଏସଡିପିଓ ଅରୁପ ଅଭିଶେଖ ବେହେରା, ସଦରଥାନା ଅଧିକାରୀ ଆଦିତ୍ୟ ମହାକୁର, ସହକାରୀ ଅଗ୍ନିଶମ ଅଧିକାରୀ କୁନୁ ନାୟକ ପ୍ରମୁଖ ଘଟଣାସ୍ଥଳରେ ଉପସ୍ଥିତ ରହିଥିଲେ। ଗତ କାଲି ଦୁର୍ଘଟଣାଗ୍ରସ୍ତ ହୋଇଥିବା ଦୁଇଟି ଯାକ ଟ୍ରକକୁ ବି ସେଠାରୁ ହଟାଯାଇଛି। ଆଜି ସକାଳ ଠାରୁ ଗ୍ୟାସ୍ ଖାଲି କରିବା ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ମଧ୍ୟାହ୍ନ ସାଢ଼େ ୩ଟା ବେଳେ ସରିଥିଲା। କୋରାପୁଟ-ଜୟପୁର ଜାତୀୟରାଜପଥ ୨୬କୁ ଗତ ୫ଦିନ ହେବ ବନ୍ଦ ରଖାଯାଇଥିବା ବେଳେ ସଂଧ୍ୟାରୁ ଖୋଲାଯାଇଛି ବୋଲି ଏସଡିପିଓ ଓସଦରଥାନା ଅଧିକାରୀ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର