ବିଷାକ୍ତ ଛତୁ ଖାଇ ୧୧ ଅସୁସ୍ଥ

ଜୟପୁର: ଜୟପୁର ପୌରପାଳିକା ଅନ୍ତର୍ଗତ ବାପୁଜୀ ନଗର ଅଞ୍ଚଳରେ ବିଷାକ୍ତ ଛତୁ ଖାଇ ଦୁଇଟି ପରିବାରର ୧୧ଜଣ ଅସୁସ୍ଥ ହୋଇଛନ୍ତି। ଗତକାଲି ରାତିରେ ସେମାନଙ୍କୁ ସ୍ଥାନୀୟ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରି ଚିକିତ୍ସା କରାଯାଉଛି। ସେମାନେ ହେଲେ ଗୋଟିଏ ପରିବାର ଭାନୁ ସୁନା, ସୁନିତା ସୁନା, ଇନ୍ଦ୍ର ସୁନା, ଜମୁନା ସାଗର, ଜିତୁ ସୁନା, କୈଳାସ ସୁନା, ଧନୁ ସାଗର, ମହାଦେବ ସୁନା, ମନୋଜ କୁମାର ସାଗର ଓ ଅନ୍ୟ ଏକ ପରିବାରର ପହିଲି ସୂର୍ଯ୍ୟ, ଧନାଇ ସୂର୍ଯ୍ୟ, ରଥ ସୂର୍ଯ୍ୟ ପ୍ରମୁଖ। ଏଥିସହ ବାରିଣିପୁଟ ଅଞ୍ଚଳରେ ମଧ୍ୟ ଜଣେ ଛତୁ ଖାଇ ଅସୁସ୍ଥ ହୋଇଥିବା ବେଳେ ତାଙ୍କ ପରିଚୟ ଜଣାପଡିନାହିଁ।
ସୂଚନଯୋଗ୍ୟ, ଗତକାଲି ବାପୁଜୀନଗର ଅଞ୍ଚଳକୁ କେହି ଜଣେ ଛତୁ ବିକ୍ରି କରିବାକୁ ଆଣିଥିଲେ। ସେହି ଯୁବକଙ୍କ ଠାରୁ ସାହିର କିଛି ଜଣ ଛତୁ କିଣି ଘରକୁ ଆଣିଥିଲେ। ସେହି ଛତୁକୁ ଭାନୁ ସୁନାଙ୍କ ପରିବାରରେ ରୋଷେଇ କରି ରାତିରେ ଖାଇଥିଲେ। ଏହାର କିଛି ସମୟ ପରେ ପରିବାର ସଦସ୍ୟ ବାନ୍ତି କରିଥିଲେ। ବାରମ୍ବାର ବାନ୍ତି ହୋଇ ଦୁର୍ବଳ ହୋଇଯିବାରୁ ଅସୁସ୍ଥ ମାନଙ୍କୁ ମେଡିକାଲରେ ଭର୍ତି କରାଯାଇଥିଲା। ସେହିପରି ରଥ ସୂର୍ଯ୍ୟଙ୍କ ପରିବାର ସଦସ୍ୟମାନେ ମଧ୍ୟ ଛତୁ ଖାଇ ଅସୁସ୍ଥ ହୋଇଥିଲେ। ସେମାନଙ୍କୁ ମଧ୍ୟ ବିଳମ୍ବିତ ରାତିରେ ଚିକିତ୍ସାଳୟରେ ଭର୍ତ୍ତି କରି ଚିକିତ୍ସା କରାଯାଇଥିଲା।

ସମ୍ବନ୍ଧିତ ଖବର