ଜଙ୍ଗଲରୁ ମିଳିଲା ମାନବ କଙ୍କାଳ; ଗୋଟିଏ ଗୋଡ ଗାଏବ୍ : ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଜାଣିଲା ପୁଲିସ

ପୋଲସରା/ବ୍ରହ୍ମପୁର: ଆଜି ସକାଳେ ଗଞ୍ଜାମ ଜିଲ୍ଲା ପୋଲସରା ଥାନା ପୁଲିସ ବେରୁଆଁବାଡ଼ି ଗାଁ ନିକଟସ୍ଥ ଜଙ୍ଗଲରୁ ଏକ ମାନବ କଙ୍କାଳ ଜବତ କରିଛି। କଙ୍କାଳ ସମ୍ପର୍କରେ ସୂଚନା ପାଇ ପୋଲସରା ଥାନା ପୁଲିସ ସାଇଣ୍ଟିଫିକ୍‌ ଟିମ୍‌ ସହିତ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି। ମୃତକଙ୍କର ଶରୀରର ସମସ୍ତ ଅଙ୍ଗ ଥିବା ବେଳେ ଗୋଟିଏ ଗୋଡ଼ ନାହିଁ।

ମିଳିଥିବା ସୂଚନା ଅନୁଯାୟୀ, ବେରୁଆବାଡ଼ି ଗାଁ ଠାରୁ ପ୍ରାୟ ଏକ କିଲୋମିଟର ଜଙ୍ଗଲରେ ଏକ କଙ୍କାଳ ପଡ଼ିଥିବା ନେଇ ଗାଈ ଚରାଉଥିବା ଜଣେ ବ୍ୟକ୍ତି ଦେଖି ଗାଁ ଲୋକଙ୍କୁ କହିଥିଲେ। କ୍ରମେ ଏ ସମ୍ପର୍କିତ ଏକ ଫଟୋ ଉଠାଯାଇ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ପୁଲିସ ଏ ନେଇ ତଦନ୍ତ ଆରମ୍ଭ କରିଥିଲା। ଘଟଣାସ୍ଥଳରେ ଖପୁରି, ପଞ୍ଜରା, ହାତ ଠାରୁ ଆରମ୍ଭ କରି ସମସ୍ତ ଶରୀରର କଙ୍କାଳ ଥିବା ବେଳେ ଗୋଟିଏ ଗୋଡ଼ ନ ଥିବା ଦେଖିବାକୁ ମିଳିଛି। ଘଟଣାସ୍ଥଳରେ ଗୋଟିଏ ଲୁଙ୍ଗି, ପ୍ୟାଣ୍ଟ ଓ ଗଞ୍ଜି ମଧ୍ୟ ପଡ଼ିଛି। ତେବେ ଏହି କଙ୍କାଳ ଯାହାର ତାଙ୍କର ବୟସ ଆନୁମାନିକ ୪୦ ବର୍ଷ ହେବ ବୋଲି ପୁଲିସ କହିଛି ଓ ଏହା ଏକ ପୁରୁଷର କଙ୍କାଳ ବୋଲି ପ୍ରାଥମିକ ତଦନ୍ତରୁ ଜଣାଯାଇଛିି। ତେବେ ଏହା ଏକ ହତ୍ୟାକାଣ୍ଡ କିମ୍ବା ଅସ୍ୱାଭାବିକ ମୃତ୍ୟୁ ତାହା ଫୋରେନସିକ୍‌ ଯାଞ୍ଚ ପରେ ଜଣାପଡ଼ିବ ବୋଲି ପୁଲିସ କହିଛି।

ସମ୍ବନ୍ଧିତ ଖବର