ବସ୍ ମାଲିକଙ୍କ ଆକ୍ରମଣରେ ଡ୍ରାଇଭର ଗୁରୁତର, ପ୍ରତିବାଦରେ ରାସ୍ତାରୋକ

ବୈପାରିଗୁଡା: ବସ୍ ମାଲିକଙ୍କ ଆକ୍ରମଣରେ ଡ୍ରାଇଭର ଗୁରୁତର ଭାବେ ଆହତ ହେବା ଘଟଣାକୁ ନେଇ ମଙ୍ଗଳବାର କୋରାପୁଟ ଜିଲ୍ଲା ଘରୋଇ ବସ୍ ଡ୍ରାଇଭର ସଂଘ ତରଫରୁ ରାସ୍ତା ରୋକ କରାଯାଇଥିଲା। ଘଟଣା ଅନୁଯାୟୀ, ଭୁବନେଶ୍ୱର ଠାରୁ ମାଲକାନଗିରି ଚଳାଚଳ କରୁଥିବା ରିଲାଏନ୍ସ ନାମକ ବସରେ ବିଭୁ ପ୍ରସାଦ ଜେନା ଡ୍ରାଇଭର ରୂପେ କାମ କରନ୍ତି। ଗତ ଦୁଇ ଦିନ ତଳେ ବସ୍ ନେଇ ବିଭୁ ପ୍ରସାଦ ବରମୁଣ୍ଡା ବସଷ୍ଟାଣ୍ଡରୁ ବାହାରିବା ପରେ ଜଣେ ଯାତ୍ରୀ ଗାଡ଼ିକୁ ଅଟକାଇ ଥିଲେ।

ତେବେ ରାସ୍ତା ଉପରେ ଗାଡ଼ି ରଖିଲେ ଟ୍ରାଫିକ ଜାମ୍ ହୋଇଯିବାର ଆଶଙ୍କା ରହିଥିବାରୁ ସେ ଗାଡ଼ି ଅଟକାଇ ନଥିଲେ। ଯାହାକୁ ନେଇ ଯାତ୍ରୀ ଜଣକ ବସ୍ ମାଲିକ ନିକଟରେ ଅଭିଯୋଗ କରିଥିଲେ। ଯାହାକୁ ନେଇ ବସ୍ ମାଲିକ ବିଭୁ ପ୍ରସାଦଙ୍କୁ ମାଡ଼ ମାରିଥିଲେ।ବିଭୁ ପ୍ରସାଦ ଗୁରୁତର ଭାବେ ଆହତ ହୋଇ ନିଜ ଗ୍ରାମ ବୈପାରିଗୁଡାକୁ ଫେରି ଆସିଥିଲେ। ଏହାକୁ ନେଇ କୋରାପୁଟ ଜିଲ୍ଲା ଘରୋଇ ବସ୍ ଡ୍ରାଇଭର ସଂଘର କର୍ମକର୍ତ୍ତା ତଥା ସଭ୍ୟ ବୈପାରିଗୁଡା ପହଞ୍ଚି ପ୍ରତିବାଦ ସ୍ବରୂପ ରାସ୍ତା ରୋକ୍ କରିଥିଲେ। ଖବର ପାଇ ବୈପାରିଗୁଡା ଆଇଆଇସି ଅଶ୍ଵିନୀ ପଟ୍ଟନାୟକ ଏବଂ ତହସିଲଦାର କୈଳାସ ଚନ୍ଦ୍ର ତ୍ରିପାଠୀ ଘଟଣାସ୍ଥଳରେ ପହଞ୍ଚିଥିଲେ। ବସ୍ ସବୁ ଅଟକିବା ସହ ଯାତ୍ରୀମାନଙ୍କ ଦୁରାବସ୍ଥା ପ୍ରତି ଦୃଷ୍ଟି ଦେଇ କୋରାପୁଟ ଜିଲ୍ଲା ଘରୋଇ ଡ୍ରାଇଭର ସଂଘର କର୍ମକର୍ତ୍ତାଙ୍କ ସହ ତହସିଲଦାର ଏବଂ ଆଇଆଇସି ଆଲୋଚନା କରିଥିଲେ। ଏହାପରେ ତହସିଲଦାର ରିଲାଏନ୍ସ ବସ୍ ମାଲିକ ବୁଟୁ ମହାନ୍ତିଙ୍କ ସହ ଯୋଗାଯୋଗ କରିଥିଲେ। ବସ୍ ମାଲିକ ବୁଟୁ ମହାନ୍ତି ନିଜ ଭୁଲ୍ ମାନିବା ସହ ବିଭୁ ପ୍ରସାଦଙ୍କ ଚିକିତ୍ସା ପାଇଁ ଆବଶ୍ୟକୀୟ ଅର୍ଥ ପ୍ରଦାନ ପାଇଁ ରାଜି ହେବାସହ ସେ ଯେତେଦିନ ଯାଏ ବିଶ୍ରାମ ନେବେ, ସେତିକି ଦିନର ଦରମା ମଧ୍ୟ ପ୍ରଦାନ କରିବେ ବୋଲି ପ୍ରତିଶୃତି ଦେବାପରେ ରାସ୍ତା ରୋକ ହଟିଥିଲା। ଜିଲ୍ଲା ଡ୍ରାଇଭର ସଂଘ ତରଫରୁ ସଂପାଦକ ରାଜୀବ ଟାକ୍ରୀ,ସହ ସଂପାଦକ ସନ୍ତୋଷ ହନ୍ତାଳ, ଉପସଭାପତି ପିଙ୍କୁ ଖୋସଲା, କୋଷାଧ୍ୟକ୍ଷ ରମେଶ ଚନ୍ଦ୍ର ପାତ୍ର, ବୈପାରିଗୁଡା ସଂଘ ତରଫରୁ ଉମା ଶଙ୍କର ଗୈାଡ,ଠେକି ଭାଇ ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ।

ସମ୍ବନ୍ଧିତ ଖବର