ହାଇୱେରେ ଫାଙ୍କା ଗୁଳିଚାଳନା କରି ନଗଦ ୧.୮୦ ଲକ୍ଷ, ଅଳଙ୍କାର ଲୁଟ୍

କାର୍ ଛାଡ଼ି ଡକାୟତ ଗ୍ୟାଙ୍ଗ୍‌ ଚମ୍ପଟ୍‌

ଗଞ୍ଜାମ : ଗଞ୍ଜାମ ଜିଲ୍ଲା ରମ୍ଭା ଥାନା ଅଧୀନ ହୁମ୍ମା-ପୁରୁଷୋତ୍ତମପୁର ରାଜପଥ (୩) ହୁମ୍ବୁରି-ସନ୍ତୋଷପୁର ଛକରେ କୁଖ୍ୟାତ ଅପରାଧୀ ସନ୍ତୋଷ ରେଡ୍ଡୀ ଓ ତା’ର ଗ୍ୟାଙ୍ଗ୍ ବଡ଼ଧରଣର ଡକାୟତି ଘଟାଇଛନ୍ତି। ବ୍ରହ୍ମପୁର ନିକଟ ସଦର ଥାନା ଅଧୀନ ଗୋଷ୍ଠୀଚରଣ ପାଢ଼ୀ ଓ ତାଙ୍କର ୨ ଜଣ ସହଯୋଗୀଙ୍କୁ ମାଉଜର୍ ଦେଖାଇ ପାଞ୍ଚ ରାଉଣ୍ଡ ବ୍ଲାଙ୍କ୍‌ ଫାୟାରିଂ କରି ୧ଲକ୍ଷ ୮୦ ହଜାର ଟଙ୍କା ଓ ଲକ୍ଷାଧକ ଟଙ୍କାର ସୁନା ଅଳଙ୍କାର ଲୁଟି ନେଇଛନ୍ତି। ମାଉଜର୍‌ର ବନେଟ୍ ମାଡ଼ରେ ଗୋଷ୍ଠୀ ଓ ତାଙ୍କର ଦୁଇଜଣ ସହଯୋଗୀ ଏସ୍‌.ଯୁଧିଷ୍ଠିର ରେଡ୍ଡୀ ଏବଂ ରାକେଶ ପ୍ରଧାନ ଆହତ ହୋଇଛନ୍ତି।

ଗୋଷ୍ଠୀ (୪୮) ଋଷିକୁଲ୍ୟା ନଦୀରେ ଥିବା ବ୍ରଜଘାଟ ବାଲିଘାଟରେ ସୁପରଭାଇଜର୍‌ ଭାବେ କାମ କରୁଛନ୍ତି। ଗତକାଲି ରାତିରେ ସେ ବାଲି କିଣା ବାବଦରେ ଏକ ଲକ୍ଷ ୮୦ହଜାର ଟଙ୍କା ଧରି ଦୁଇ ସହଯୋଗୀଙ୍କ ସହ ବାଇକ୍‌ରେ ବ୍ରହ୍ମପୁର ଯାଉଥିଲେ। ଏହି ସମୟରେ ସନ୍ତୋଷପୁର ଛକ-ସାନଗୋପାଳପୁର ରାସ୍ତା ମଧ୍ୟରେ ହଠାତ୍ ଏକ ସ୍ବିଫଟ୍ କାର (ଓଡ଼ି-୦୨-୪୭୦୦) ଆସି ବାଇକ୍ ସମ୍ମୁଖରେ ଅଟକିଥିଲା। ‌କାର୍‌ରେ ବସିଥିବା ସନ୍ତୋଷ ଓ ତା’ର ଅନ୍ୟ ୫ ଜଣ ସହଯୋଗୀ ସମସ୍ତଙ୍କୁ ରାସ୍ତାକଡ଼ ବିଲମାଳକୁ ଟାଣି ନେଇଥିଲେ। ଗୋଷ୍ଠୀ ପିନ୍ଧିଥବା ତିନିଭରି ଓଜନର ସୁନାଚେନ୍ ଓ ଅଧଭରି ଓଜନର ସୁନାମୁଦି ଛଡ଼ାଇନେଇଥିଲେ। ଆଉ ବାଇକ୍ ଚାବି ନେଇ ଡିକି ଭିତରେ ଥିବା ଏକଲକ୍ଷ ୮୦ହଜାର ଟଙ୍କା ଲୁଟ୍ କରିନେଇଥିଲେ। ଏହାସହ ମାଉଜର୍ ବନେଟରେ ତିନିଜଣଙ୍କ ମୁଣ୍ଡକୁ ପିଟି ରକ୍ତାକ୍ତ କରି ବିରୁଳିଗଡ଼ ରାସ୍ତା ଦେଇ ଚମ୍ପଟ୍ ମାରିଥିଲେ। ଏତିକିରେ ଆତଙ୍କ ଥମି ନଥିଲା। ରାସ୍ତା ଦେଇ ଯାଉଥିବା ‌ଲୋକଙ୍କୁ ଡକାୟତ ଗ୍ୟାଙ୍ଗ ପାଞ୍ଚ ରାଉଣ୍ଡ୍ ବ୍ଲାଙ୍କ ଫାୟାରିଂ କରିଥିଲେ।

ସୂଚନା ପାଇ ରମ୍ଭା ଥାନାଧିକାରୀ ଦୀପ୍ତିରଞ୍ଜନ ବେହେରାଙ୍କ ନେତୃତ୍ବରେ ଏକ ଟିମ୍ ଧରପଗଡ଼ ଆରମ୍ଭ କରିଥିଲେ। ରମ୍ଭା, ବିରୁଳିଗଡ଼, ପୁରୁଷୋତ୍ତମପୁର ଓ ଖଣ୍ଡଦେଉଳି ରାସ୍ତାକୁ ସିଲ କରାଯାଇଥିଲା। ଅପରାଧୀମାନେ କାରରେ ଭୁବନେଶ୍ବର ପଳାଇବାକୁ ଚେଷ୍ଟା କରିଥିଲେ। ତେବେ ପୁଲିସ ଫୋର୍ସ ଦେଖି କାରରୁ ଓହ୍ଲାଇ ବିଲମାଳକୁ ଦୌଡ଼ି ଫେରାର ହୋଇଯାଇଥିଲେ। ପୁଲିସ ଉକ୍ତ କାରକୁ ଜବତ କରିଛି। ରମ୍ଭା ଥାନାରେ ସନ୍ତୋଷ ସମେତ ୬ଜଣଙ୍କ ନାମରେ କେସ୍ ନମ୍ବର ୪୦୪ ଅନୁସାରେ ମାମଲା ରୁଜୁ ହୋଇଛି। ପୁଲିସ ବିଭିନ୍ନ ଜାଗାରେ ଚଢ଼ଉ ଜାରି ରଖିଛି।
୮ ମାସ ତଳେ ସନ୍ତୋଷ ଡକାୟତି ଯୋଜନା ମାମଲାରେ ଗିରଫ ହୋଇ ଜେଲ୍ ଯାଇଥିଲା। ଜେଲରୁ ଆସିବା ପରେ ପୁଣି ସେ ଅପରାଧ ନେଟୱର୍କକୁ ସକ୍ରିୟ କରିଛି। ତା’ ନାମରେ ପୂର୍ବରୁ ରମ୍ଭା, ପୁରୁଷୋତ୍ତମପୁର ଓ ଗଞ୍ଜାମ ଥାନାରେ ୧୫ରୁ ଅଧିକ ଅପରାଧିକ ମାମଲା ରହିଛି।

ସମ୍ବନ୍ଧିତ ଖବର