ମାଓବାଦୀ ପରିଚୟ ଦେଇ ଡକାୟତି ଉଦ୍ୟମ: ୬ ଅନ୍ତଃରାଜ୍ୟ ଡକାୟତ ଗିରଫ, ମାରଣାସ୍ତ୍ର ଜବତ

ନୂଆପଡ଼ା: ନୂଆପଡ଼ା ଜିଲ୍ଲା ଧରମବନ୍ଧା ଥାନା ଅମାନାରା ଗ୍ରାମରେ ମାଓବାଦୀ ପରିଚୟ ଦେଇ ଡକାୟତି ଉଦ୍ୟମ କରୁଥିବା ୬ ଜଣ ଅନ୍ତଃରାଜ୍ୟ ଡକାୟତଙ୍କୁ ନୂଆପଡ଼ା ପୁଲିସ୍ ଗିରଫ କରିଛି। ସେମାନଙ୍କଠାରୁ ମାରଣାସ୍ତ୍ର ଜବତ କରାଯିବା ସହ ସମସ୍ତ ଅଭିଯୁକ୍ତଙ୍କୁ କୋର୍ଟଚାଲାଣ କରାଯାଇଥିବା ଏସ୍‌ପି ଜି.ଆର. ରାଘବେନ୍ଦ୍ର ରେଡ୍ଡୀ ନୂଆପଡ଼ା ଥାନାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ଏସ୍‌ପିଙ୍କ ସୂଚନା ଅନୁସାରେ, ଧରମବନ୍ଧା ଥାନା ଅମାନାରା ଗ୍ରାମର ମାଟିନ୍ ବାଇ ସାହୁଙ୍କ ଘରକୁ ଗତ ୩୧ ଭୋର୍‌ ୩ଟାରେ ୬ ଜଣ ବ୍ୟକ୍ତି ଆସିଥିଲେ। ମାଓବାଦୀ ପରିଚୟ ଦେଇ ଲାଲ୍‌ ସଲାମ କହି ତେଳ ଓ ଚାଉଳ ଦେବାକୁ କହିଥିଲେ। ମାଟିନ୍‌ ବର୍ତ୍ତମାନ ମୋ ପାଖରେ ନାହିଁ, ଆସନ୍ତାକାଲି ଆସିକି ନେଇଯିବ ବୋଲି କହିବାରୁ ସେମାନେ ଘରର ତାଲାକୁ ଭାଙ୍ଗି ଦେଇଥିଲେ। ଡକାୟତମାନେ ଚାଲିଯିବା ପରେ ମାଟିନ ତାଙ୍କ ଦୁଇ ପୁଅଙ୍କୁ ଫୋନ କରି ଘଟଣା ବିଷୟରେ କହିଥିଲେ। ସକାଳେ ମାଟିନ୍‌ ଧରମବନ୍ଧା ଥାନାରେ ପହଞ୍ଚି ଘଟଣା ସମ୍ପର୍କରେ ଅଭିଯୋଗ କରିଥିଲେ। ଏନେଇ ପୁଲିସ୍ ଏକ ମାମଲା ରୁଜୁକରି ତଦନ୍ତ ଆରମ୍ଭ କରିଥିଲା।

ଏସ୍‌ପିଙ୍କ ତତ୍ତ୍ବାବଧାନରେ ଏସ୍‌ଡିପିଓ ପ୍ରଶାନ୍ତ ପଟ୍ଟନାୟକଙ୍କ ନିର୍ଦେଶକ୍ରମେ ଧରମବନ୍ଧା ଥାନାଧିକାରୀ ବିନୋଦ ବିହାରୀ ସେଠୀ, ଖରିଆରରୋଡ଼ ଜୋଙ୍କ ଥାନାଧିକାରୀ କୈଳାସ ଚନ୍ଦ୍ର ସେଠୀ, ଲଖନା ଥାନାଧିକାରୀ ଗୁରୁବେଦ କର୍ମ, ନୂଆପଡ଼ା ଥାନାଧିକାରୀ ନିର୍ମଳ ପାଣିଗ୍ରାହୀ, ଜୋଙ୍କ ଥାନା ଏସ୍‌ଆଇ ଅରବିନ୍ଦ ମେହେର ପ୍ରମୁଖ ୬ ଜଣିଆ ଟିମ୍‌ ଗଠନ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲେ। ଏହି ଘଟଣାରେ ସଂପୃକ୍ତ ଥିବା ଜାଣିବା ପରେ ପୁଲିସ୍‌ ଛତିଶଗଡ଼ ରାଜ୍ୟ ମହାସମୁନ୍ଦ ଜିଲ୍ଲା ଖଲ୍ଲାରି ଥାନା ମନ୍ଦାରପଡ଼ା ଗ୍ରାମର ମୁକେଶ ୟାଦବ (୩୦), ଖଲ୍ଲାରି ଥାନା ଭୀମଖୋଜ ଗ୍ରାମର ଓମପ୍ରକାଶ ବରିହା (୨୩), ଖଲ୍ଲାରି ୱାର୍ଡନଂ ୧୨ର ମହାବୀର ୟାଦବ (୨୨), ରାୟପୁର ଉର୍ଲା ଥାନା ରାଜେନ୍ଦ୍ରନଗରର ଦୀପକ ରାୟ (୨୬), ରାୟପୁର ଖମତରି ଗ୍ରାମର ଅବିନାଶ ସିଂ (୨୪) ଓ ନୂଆପଡ଼ା ଜିଲ୍ଲା ଖରିଆରରୋଡ଼ ଜୋଙ୍କ ଥାନା ବଜାରପଡ଼ାର ସୁନୀଲ ଚନ୍ଦ୍ରକାରଙ୍କୁ ଗିରଫ କରିଥିଲେ। ଅଭିଯୁକ୍ତଙ୍କୁ ପଚରାଉଚୁରା ପରେ ପରେ ପୁଲିସ୍‌ ଆଗରେ ଡକାୟତି କରୁଥିବା ସ୍ବୀକାର କରିଥିଲେ। ସେମାନଙ୍କଠାରୁ ୨ଟି ଖଣ୍ଡା, ଗୋଟିଏ କଟର୍‌, ଗୋଟିଏ ଛୁରି ସହ ମୋବାଇଲ ଫୋନ ଓ ଏକ ବାଇକ୍ (ସିଜି ୦୬ ଜିଟି ୪୯୪୩) ଜବତ କରାଯାଇଥିଲା। ଘଟଣାର ମାଷ୍ଟରମାଇଣ୍ଡ କହାଯାଉଥିବା ଖଲ୍ଲାରିର ରାଜୁ ବର୍ତ୍ତମାନ ମଧ୍ୟ ଫେରାର୍ ଥିବାରୁ ତାକୁ ଗିରଫ କରାଯିବା ପାଇଁ ତଦନ୍ତ ଜାରି ରହିଥିବା ଏସ୍‌ପି ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର