୧୦ ହଜାରରୁ ଊର୍ଧ୍ୱ ଅଣପଞ୍ଜିକୃତ ବାଇକ ବୁଲୁଛି

୩ ହଜାର ବାଇକ୍‌ ଜବତ, ୫ଲକ୍ଷ ଜୋରିମାନା ଆଦାୟ

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ୧୦ହଜାରରୁ ଊର୍ଧ୍ୱ ଅଣପଞ୍ଜିକୃତ ଓ ନମ୍ବର ପ୍ଲେଟ ବିହୀନ ବାଇକ ବୁଲୁଛି। ତେବେ ୪ମାସ ତଳେ ଆରଟିଓ ଭାବେ ଯୋଗ ଦେଇଥିବା ପ୍ରହ୍ଲାଦ କୁମାର ବେହେରା ଏଭଳି ବେଆଇନ କାମରେ ଅଙ୍କୁଶ ଲଗାଇବାକୁ ପଦକ୍ଷେପ ଗ୍ରହଣ କରିଛନ୍ତି। ଏଭଳି ବାଇକ ବୁଲୁଥିବା ଖବର ପାଇ ସେ ଜିଲ୍ଲାର ବିଭିନ୍ନ ସ୍ଥାନରେ ମୋଟର ସାଇକେଲ ଯାଞ୍ଚ କରିବା ପରେ ପାଖାପାଖି ୩ ହଜାର ମୋଟର ସାଇକେଲ ଜବତ କରିବା ସହ ୫ ଲକ୍ଷରୁ ଊର୍ଧ୍ୱ ଟଙ୍କା ଜୋରିମାନା ଆଦାୟ କରିଛନ୍ତି। ଏବେ ବି ଚଢାଉ ଜାରି ରହିଥିବା ବେଳେ ପ୍ରତିଦିନ ୧୦ରୁ ୧୫ ବାଇକ ଜବତ କରାଯାଉଛି। ଏମଭିଆଇ ସଲିଳ କୁମାର ସେଠୀଙ୍କ କହିବା ଅନୁଯାୟୀ ମୋଟର ସାଇକେଲର କୌଣସି କଗଜପତ୍ର ନକରି ଲୋକେ ବାଇକ ଚଲାଉଥିବା ବେଳେ କିଛି ଜଣ ବେଆଇନ କାମରେ ବି ବାଇକକୁ ବ୍ୟବହାର କରୁଛନ୍ତି।

ବିଭିନ୍ନ ସ୍ଥାନରେ ଯାଞ୍ଚ ବେଳେ ୧୦ଟି ଗାଡିକୁ ଜବତ କରାଯାଇ ମାଲିକଙ୍କୁ ଜୋରିମାନା ନୋଟିସ ଦିଆଯାଇଥିବା କହିଛନ୍ତି। କେବଳ ମୋଟର ସାଇକେଲ ନୁହେଁ ଟ୍ରାକ୍ଟର ଏବଂ ଚାରି ଚକିଆ ଯାନ ମଧ୍ୟ ଏଭଳି ବୁଲୁଥିବା ଦେଖିବାକୁ ମିଳିଛି। ବିଶେଷକରି ଛତିଶଗଡର ଗାଡି ଗୁଡିକ ଜିଲ୍ଲାରେ ବୁଲୁଥିବା ଅନୁମାନ କରାଯାଏ। ଏହି ଗାଡି ଗୁଡିକ ବେଆଇନ କାମରେ ନିୟୋଜିତ କରାଯାଉଥିବା ଜଣାପଡିଛି। କିନ୍ତୁ ଆଞ୍ଚଳିକ ପରିବହନ କେନ୍ଦ୍ର ତରଫରୁ ଘନ ଘନ ଚଢାଉ ପରେ ଏହି ଗାଡି ଗୁଡିକ ଏବେ ଆଉ ବଜାରରେ ବୁଲୁନଥିବା ଜଣାପଡିଛି। ତେବେ ଆରଟିଓ ଶ୍ରୀ ବେହେରାଙ୍କ କହିବା ଅନୁଯାୟୀ ଯଦି କେହି ଭୁଲ ବଶତଃ ନିଜର ଗାଡିର ପଞ୍ଜୀକରଣ କରାଇ ନାହାନ୍ତି, ତେବେ ତୁରନ୍ତ ଆଞ୍ଚଳିକ ପରିବହନ କେନ୍ଦ୍ରକୁ ଆସି ପଞ୍ଜୀକରଣ କରାଇବାକୁ କହିଛନ୍ତି। ଯଦି ଜାଣିଶୁଣି ଅବହେଳା କରାଯାଏ ସେମାନଙ୍କ ବିରୋଧରେ ଆଇନ ଅନୁଯାୟୀ ଦଣ୍ଡିତ କରାଯିବ ବୋଲି କହିଥିଲେ। ତେବେ ଏଭଳି ବେନାମୀ ଦୁଇ ଚକିଆ ଏବଂ ଚାରିଚକିଆ ଯାନକୁ ରୋକିବାରେ ବିଭାଗ କେତେ ସଫଳ ହେଉଛି ଦେଖିବାକୁ ବାକି ରହିଲା।

ସମ୍ବନ୍ଧିତ ଖବର