ବାପନପାଲ୍ଲୀରେ ମାଓ ବିରୋଧୀ ପୋଷ୍ଟର

ମାଲକାନଗିରି : ମାଲକାନଗିରି ଜିଲ୍ଲା ପଡିଆ ବ୍ଲକର ବାପନପାଲ୍ଲୀରେ ମାଓବାଦୀ ବିରୋଧୀ ପୋଷ୍ଟର ଲାଗିଥିବା ଦେଖିବାକୁ ମିଳିଛି। ହିଂସାମୁକ୍ତ ଅଭିଯାନ ତରଫରୁ କାଲିମେଳା ଆଂଚଳିକ ଦଲମକୁ ଟାର୍ଗେଟ କରି ଏହି ପୋଷ୍ଟର ମରାଯାଇଛି। ଭୋକ ବିକଳରେ ତାଟିଆ କାମୁଡିବା ବନ୍ଦ କର ବୋଲି ଉଲ୍ଲେଖ କରାଯାଇଛି। ଭଲମନ୍ଦକୁ ବାଟ ଅଛି ତ ବନ୍ଧୁକ ଛାଡି ଜିଲ୍ଲାର ବିକାଶ କାର୍ଯ୍ୟରେ ଭାଗିଦାରୀ ହୁଅ ବୋଲି କୁହାଯାଇଛି। ନଚେତ ଅଖା ଧୋଉଥିବ ଓ ଗୁଣ ଗାଉଥିବ ବୋଲି ଚେତାବନୀ ଦିଆଯାଇଛି। କିଛି ଦିନ ତଳେ ଚିତ୍ରକୋଣ୍ଡା ଅଂଚଳରେ ଏବଂ ପଡିଆ ଅଂଚଳରେ ମାଓବାଦୀମାନେ ପୋଷ୍ଟର ମାରି ପ୍ରତିକ୍ରିୟା ରଖିଥିଲେ। ଆଜି ଏହାର ଜବାବ ରଖିଛନ୍ତି ହିଂସାମୁକ୍ତ ଅଭିଯାନର ଆବାହକ ଭାରତ ଭୂଷଣ।

କୁରୁବ ମାଓବାଦୀଙ୍କ ପୈତୃକ ସଂପତ୍ତି ନୁହଁ ବୋଲି ପୂର୍ବରୁ କୁହାଯାଇଛି ଏବଂ ଏବେ ବି କୁହାଯାଉଛି। ସାଧାରଣ ଜନତା ଆଦିବାସୀଙ୍କ ବିକାଶ ବିରୋଧୀ, ସୁଭବିଷ୍ୟତ ବିରୋଧୀ ଓ ବଂଶ ବିରୋଧୀ ମାଓବାଦୀଙ୍କୁ ପଚାରି ସ୍କୁଲ, ହାଟବଜାର, ମେଡିକାଲକୁ କ’ଣ ନକ୍ସଲଙ୍କୁ ଯିବେ। ମାଓବାଦୀଙ୍କୁ ପଚାରି ଚାଷ କରିବେ ତଥା ଗାଁ ଛାଡିବେ ଓ ଗାଁକୁ ଆସିବେ। ଓଡିଶା ରାଜ୍ୟ ମାଓବାଦୀ କିମ୍ବା କାଲିମେଳା ଏରିଆ କମିଟି ବର୍ତ୍ତମାନ ସମୟରେ କେତେ ଶକ୍ତିଶାଳୀ ତାହା ଗତ ଚାରିଦିନ ପୂର୍ବେ ଜାରି କରିଥିବା ପ୍ରେସ ନୋଟରୁ ତାହାର ପ୍ରମାଣ ମିଳିଛି। ମିଛ ବିପ୍ଳବର ସମାପ୍ତ ଦ୍ୱାରରେ ଶେଷ ନିଃଶ୍ୱାସ ମାରୁଥିବା ମାଓବାଦୀ ମିଛ ବାହାସ୍ପଟ ମାରିବା ବନ୍ଦ କର। ତୁମର ମାଓବାଦୀ ପାର୍ଟିକୁ ଏବଂ ତୁମର ଚାଇନା ମାଓନେତାଙ୍କୁ ଉପାଡି ଫୋପାଡି ଦିଆଯିବ। ଦୀର୍ଘ ୭୧ ବର୍ଷ ପରେ ବି ଯଦି ମାଲକାନଗିରି ଜିଲ୍ଲାରେ ବସବାସ କରୁଥିବା ଆଦିବାସୀଙ୍କ ବିକାଶ ହୋଇପାରିନି ତେବେ ସେଥିପାଇଁ ସରକାର ଯେତିକି ଦାୟୀ ତା ଠାରୁ ୧୦୦ ପ୍ରତିଶତ ଦାୟୀ ତୁମେ, ଆଉ ତୁମର ଚାଇନା ପ୍ରୀତି। ଆଦିବାସୀଙ୍କ ହକ୍‌ ଜଳ, ଜଂଗଲ, ଜମି ସମସ୍ୟାର ସମାଧାନ ପାଇଁ ହାତରେ ରାଷ୍ଟ୍ର ବିରୋଧୀ ବନ୍ଧୁକ ଉଠାଇଥିବା ମାଓବାଦୀ ନିଜର ଦୀର୍ଘ ୫୦ ବର୍ଷର ଆନ୍ଦୋଳନରେ ଜିଲ୍ଲାର ବିକାଶ ଓ ଆଦିବାସୀଙ୍କ ବିକାଶ ପାଇଁ ତଥା ସେମାନଙ୍କର ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ, ପାନୀୟଜଳ, ବିଜୁଳି ଇତ୍ୟାଦି ସମସ୍ୟାର ସମାଧାନ ପାଇଁ କ’ଣ ସବୁ କରିଛ କହିବ କି ବୋଲି ପ୍ରଶ୍ନ କରାଯାଇଛି। ଏସବୁ କରିବା ପରିବର୍ତ୍ତେ ଆଜି ତୁମ ପାଇଁ ଆଦିବାସୀ ଓ ଜିଲ୍ଲାର ସୁଭବିଷ୍ୟତ ମାଟି କାମୁଡି ପଡିଛି।

କଣ କରିଛ ସେ ନିରୀହ ଲୋକଙ୍କ ପାଇଁ ଯେଉଁମାନେ ତୁମ ପାଇଁ ରାସ୍ତାରେ ଲ୍ୟାଣ୍ଡମାଇନ ଲଗାଉଥିଲେ, ନିଜ ସ୍କୁଲରେ ବୋମା ଖଂଜୁଥିଲେ, ଘର ଛାଡି ଜଂଗଲରେ ନିଜର ବସା କଲେ, ତୁମର ମିଛ ବିପ୍ଳବରେ ଏବଂ ତୁମର ଅଂହକାର ପାଇଁ ମରିଗଲେ। କିଛି କରିନାହଁ। ତୁମର ପିଲମାନେ ଦେଶର ବଡ ବଡ ସ୍କୁଲ ଓ କଲେଜରେ ପାଠ ପଢୁଥିବା ବେଳେ ନିରୀହ ଆଦିବାସୀଙ୍କ ପିଲାଙ୍କ କଥା କେବେ ବୁଝିଛ। ସେମାନଙ୍କ ସ୍କୁଲକୁ ସୁରକ୍ଷିତ ରଖିଛ କି। ଏବେ ତୁମ ମିଛ ବିପ୍ଳବର ନାଟକ ବନ୍ଦ କର। କାରଣ ତୁମ ଚିତ୍ର ଆଉ ଚରିତ୍ର କଣ ତାହା ଏବେ କାହାକୁ ଅଛପା ନୁହଁ। ରାଜ୍ୟରେ କିମ୍ବା ମାଲକାନଗିରିରେ ଆଉ ତୁମରି ଆନ୍ଦୋଳନ ବେଶି ଦିନ ନାହିଁ। ହିଂସାମୁକ୍ତ ଅଭିଯାନ ଆଉ ବେଶିଦିନ ଏହା ଚାଲିବାକୁ ଦେବନାହିଁ। ବହୁତ ଶୀଘ୍ର ଏହି ଲଢେଇର ପରିସମାପ୍ତି ଘଟିବ। କିଛି ଦିନ ଅପେକ୍ଷା କର ତୁମକୁ ତୁମର ପ୍ରତ୍ୟେକଟି ହିଂସା ଏବଂ କଲାକର୍ମର ଜବାବ ତୁମକୁ ତୁମ ଭାଷାରେ ମିଳିବ। ସାବଧାନ ହୋଇଯାଅ, କୌଣସି ଦୁର୍ଘଟଣା ଘଟାଇବାରେ ନିବୃତ ରୁହ କାରଣ ଏଥର ତୁମ ବିରୋଧରେ ଲଢେଇ ଏପାର ସେପାର। ମାଓବାଦୀ ପାର୍ଟି ମୁର୍ଦାବାଦ ବୋଲି ପୋଷ୍ଟରରେ ଉଲ୍ଲେଖ ରହିଛି। ତେବେ ଏହି ପୋଷ୍ଟରର ପ୍ରତିକ୍ରିୟା ନକ୍ସଲ କ’ଣ ଦେଉଛନ୍ତି ଦେଖିବାକୁ ବାକି ରହିଲା।

ସମ୍ବନ୍ଧିତ ଖବର