ବିଷାକ୍ତ ଭୋଗ ଖାଇ ୫୦୦ରୁ ଊର୍ଦ୍ଧ୍ୱ ଅସୁସ୍ଥ :ବିଷାକ୍ତ ଗାଈ କ୍ଷୀରରେ ପ୍ରସ୍ତୁତ ହୋଇଥିଲା ଭୋଗ

ପାଗଳା କୁକୁର କାମୁଡାରେ ୨ରୁ ଊର୍ଦ୍ଧ୍ୱ ଗାଈ ମୃତ

ମାଲକାନଗିରି/କୋରୁକୋଣ୍ଡା/ବାଲିମେଳା: ବିଷାକ୍ତ ଗାଈ କ୍ଷୀରରେ ପ୍ରସ୍ତୁତ ହୋଇଥିବା ଭୋଗ ଖାଇ ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ଅନ୍ତର୍ଗତ ଏମଭି-୩୫ଗାଁର ୫ଶହରୁ ଊର୍ଧ୍ୱ ଲୋକ ଅସୁସ୍ଥ ହୋଇଛନ୍ତି। ଗାଁରେ ଡାକ୍ତରୀ ଦଳ ପହଞ୍ଚି ସ୍ୱାସ୍ଥ୍ୟ ପରୀକ୍ଷା କରି ଔଷଧ ଦେବାରୁ ଲୋକଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସ୍ଥିର ରହିଥିବା ଜଣାପଡ଼ିଛି। ସେହିପରି ପଶୁ ସଂପଦ ବିଭାଗ କର୍ମଚାରୀ ଓ ଡାକ୍ତର ପହଞ୍ଚି ଗୃହପାଳିତ ପଶୁଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରିଛନ୍ତି। ପାଗଳା କୁକୁର କାମୁଡ଼ିଥିବା ଗାଈ କ୍ଷୀରରେ ଭୋଗ ପ୍ରସ୍ତୁତ କରାଯାଇଥିବାରୁ ବିଷକ୍ରିୟା ହୋଇ ଏଭଳି ଘଟଣା ଘଟିଥିବା କୁହଯାଉଛି। ଅପରପକ୍ଷରେ ଗାଁରେ ୨ରୁ ଊର୍ଧ୍ୱ ଗାଈ କୁକୁର ବିଷ ସଂକ୍ରମଣ ହୋଇ ମରି ଯାଇଥିବା ସୂଚନା ମିଳିଛି।
ଗ୍ରାମବାସୀଙ୍କ କହିବା ହେଲା କିଛି ଦିନ ଗାଁର ଦୀପକ ମଣ୍ଡଳଙ୍କ ଘରେ ଶନୀ ପୂଜା ହୋଇଥିଲା। ପୂଜା ଶେଷ ହେବାପରେ ଲୋକଙ୍କୁ ଭୋଗ ଖାଇବାକୁ ଦିଆଯାଇଥିଲା। ୫ଶହରୁ ଊର୍ଧ୍ୱ ଲୋକ ଭୋଗ ଖାଇଥିବା ବେଳେ ଭଲରେ ଭଲରେ ସମସ୍ତେ ଘରକୁ ଫେରିଥିଲେ। ତେବେ ଦିନେ ଦୁଇ ଦିନ ପରେ ଜଣ ଜଣ ହୋଇ ଭୋଗ ଖାଇଥିବା ଲୋକ ଅସୁସ୍ଥ ଅନୁଭବ କରିଥିଲେ। ମୁଣ୍ଡ ବୁଲାଇବା ସହ କିଛି ଜଣ ବାନ୍ତି ମଧ୍ୟ କରିଥିଲେ। ଦୁର୍ବଳ ଅନୁଭବ କରିବାରୁ ବହୁ ଜଣ ନିକଟସ୍ଥ କୋରୁକୋଣ୍ଡା ମେଡିକାଲକୁ ଯାଇଥିଲେ। ଗୋଟିଏ ଗାଁର ଶତାଧିକ ଲୋକ ଏମିତି ଅସୁସ୍ଥ ହେବା ଘଟଣା ଅସ୍ୱାଭାବିକ ମନେ ହୋଇଥିଲା। ତେଣୁ ଗ୍ରାମବାସୀ ଏଭଳି ପରିସ୍ଥିତି ସୃଷ୍ଟି ହେବା ପଛର ଅସଲ କାରଣ ଖୋଜିବା ଆରମ୍ଭ କରିଥିଲେ। କାରଣ ଖୋଜିବା ମଧ୍ୟରେ ଗାଁରେ ଦୁଇରୁ ଊର୍ଧ୍ୱ ଗାଈ ପାଗଳ କୁକୁର କାମୁଡ଼ି ଦେବାରୁ ମରିଗଲେ। ସେଥିମଧ୍ୟରୁ ଗୋଟିଏ ଗାଈ ଦୀପକ ମଣ୍ଡଳଙ୍କର ରହିଥିଲା। ଯାହାଫଳରେ ଲୋକେ ସ୍ପଷ୍ଟ ହୋଇଗଲେ ଯେ ସେହି ଗାଈର କ୍ଷୀରରେ ପ୍ରସ୍ତୁତ ଭୋଗ ଖାଇବାରୁ ଏମିତି ସମସ୍ୟା ହେଲା। ଆଉ ବିଳମ୍ବ ନକରି ଲୋକେ ଜିଲ୍ଲା ଚିକିତ୍ସା ଅଧିକାରୀ ଏବଂ ଜିଲ୍ଲା ପଶୁ ଚିକିତ୍ସା ଅଧିକାରୀଙ୍କୁ ଅବଗତ କରାଇଥିଲେ। ଖବର ପାଇ ସୋମବାର ଦିନ ଜିଲ୍ଲା ଚିକିତ୍ସାଳୟ ଏବଂ ପଶୁ ଚିକିତ୍ସାଳୟର ଦୁଇଟି ଦଳ ଗ୍ରାମରେ ପହଞ୍ଚିଥିଲେ। ଲୋକଙ୍କୁ ଟୀକା ଦେବା ସହ ଗାଈଗୋରୁଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରି ଔଷଧ ଦିଆଯାଇଥିଲା। ଏହି ଘଟଣା ପରେ ଲୋକେ ଆତଙ୍କିତ ହୋଇପଡିଥିଲେ। ଡାକ୍ତରୀ ଦଳର ଚିକିତ୍ସା ଏବଂ ସାନ୍ତ୍ୱନା ପରେ ଲୋକେ ସ୍ୱାଭାବିକ ଅବସ୍ଥାକୁ ଫେରିଛନ୍ତି।

ସମ୍ବନ୍ଧିତ ଖବର