ଦଣ୍ଡମୁକ୍ତ ହେଲା ଦଣ୍ଡିପଦର: ମାଓଗଡ଼ରେ ଜନସମ୍ପର୍କ ଶିବିର କଲା ପୁଲିସ ଟିମ୍‌

ମାଲକାନଗିରି: ଲାଲବାହିନୀର ଲାଲଗଡ଼ ଭାବେ ପରିଚିତ ଥିଲା ଦଣ୍ଡିପଦର। ପ୍ରତିବନ୍ଧକ ସାଜିଥିଲା ସରକାରୀ ଯୋଜନା। ମୋବାଇଲ୍ ବ୍ୟବହାର ଉପରେ କଟକଣା ରହିଥିଲା। ଯିଏ ମୋବାଇଲକୁ ବ୍ୟବହାର କରୁଥିଲେ ସେମାନଙ୍କୁ ପ୍ରଜା କୋର୍ଟରେ ଦଣ୍ଡିତ ହେବାକୁ ପଡୁଥିଲା। ବର୍ଷ ବର୍ଷ ଧରି ମାଓ ଦମନ ପାଇଁ ପୁଲିସ ଓ ବିଏସ୍‌ଏଫ୍‌ ପକ୍ଷରୁ ଲଢ଼େଇ ଜାରି ରହିଥିଲା। ବର୍ତ୍ତମାନ ସେହି ସମୟର ପରିବର୍ତ୍ତନ ଘଟିଛି। ମାଓପ୍ରବଣ ଇଲକା ଭାବେ ପରିଚିତ ମାଥିଲି ବ୍ଲକ ଅନ୍ତର୍ଗତ ଦଣ୍ଡିପଦର ଗ୍ରାମରେ ଆଜି ମାଲକାନଗିରି ପୁଲିସ ପହଞ୍ଚିଛି। ପୁଲିସ ପକ୍ଷରୁ ସେଠାରେ ଆଜି ଜନ ସମ୍ପର୍କ ଶିବିର ଅନୁଷ୍ଠିତ ହୋଇଯାଇଛି।

ମାଥିଲି ବ୍ଲକର ମହୁପଦର ପଞ୍ଚାୟତ ଅନ୍ତର୍ଗତ ଦଣ୍ଡିପଦର ଗ୍ରାମରେ ଆଜି ମାଲକାନଗିରି ଏସ୍‌ପି ନିତେଶ ୱାଧୱାନୀ, ଏଏସପି ଅପରେସନ ମନୋଜ କୁମାର ସିଂ, ମାଥିଲି ଥାନା ଅଧିକାରୀ ରଞ୍ଜନ କୁମାର ମାଝୀ ଓ ବିଏସଏଫ୍ ଅଧିକାରୀ ସେଠାରେ ପହଞ୍ଚିଥିଲେ। ଗ୍ରାମବାସୀ ସେମାନଙ୍କୁ ପୁଷ୍ପଗୁଚ୍ଛ ଦେଇ ପାଛୋଟି ନେଇଥିଲେ। ସେଠାରେ ପୁଲିସ ପକ୍ଷରୁ ଜନସମ୍ପର୍କ ଶିବିର ଆୟୋଜିତ ହୋଇଥିଲା। ସେଠାରେ ଲୋକଙ୍କ ମାଗଣା ସ୍ବାସ୍ଥ୍ୟ ପରୀକ୍ଷା କରିବା ସହ ଔଷଧ ପ୍ରଦାନ କରାଯାଇଥିଲା। ପିଲାମାନଙ୍କୁ ବହି, ଖାତା, ବ୍ୟାଗ୍ ପାଠପଢ଼ା ସାମଗ୍ରୀ ପ୍ରଦାନ କରାଯାଇଛି। ଏଥିସହ ଟିଭି, ମୋବାଇଲ ଓ ନିତ୍ୟବ୍ୟବାହାର ସାମଗ୍ରୀ ପ୍ରଦାନ କରାଯାଇଛି। ଏହି ଅବସରରେ ସେଠାରେ ଭଲିବଲ ମ୍ୟାଚ୍ ମଧ୍ୟ ଅନୁଷ୍ଠିତ ହୋଇଥିଲା। ଦଣ୍ଡିପଦର ଗ୍ରାମ ସହିତ ନିକଟର ଗ୍ରାମର ପାଖାପାଖି ୫ ଶହରୁ ଅଧିକ ଲୋକ ଜମା ହୋଇଥିଲେ।

ଦଣ୍ଡିପଦର ଗ୍ରାମରେ ଗମନାଗମନର ସୁବିଧା ନଥିବା ବେଳେ ‌ଲୋକ‌େ ମୌଳିକ ସୁବିଧା ପାଇପାରୁନଥିଲେ। ସେହି ଅଞ୍ଚଳରେ ମାଓବାଦୀ ଗତିବିଧି ଚରମ ସୀମାରେ ପହଞ୍‌ଚିଥିଲା। ସେଠାରେ ମାଓବାଦୀମାନେ ବିଭିନ୍ନ ସମୟରେ ପ୍ରଜାକୋର୍ଟ କରିଥିଲେ। ଏଥିସହ ସେଠାରେ ପ୍ରଜାକୋର୍ଟ କରିବା ସହ ବିଭିନ୍ନ ହିସାଂକାଣ୍ଡର ଯୋଜନା ପ୍ରସ୍ତୁତ କରୁଥିଲେ। ମୋବାଇଲ ବ୍ୟବହାର କରୁଥିବା ଯୁବକମାଙ୍କୁ ସେଠାରେ ଦଣ୍ଡ ଦେଉଥିଲେ। ଦଣ୍ଡପାଇବା ଭୟରେ ସେଠାରୁ ମାଥିଲି ବ୍ଲକ ମୁଖ୍ୟାଳୟକୁ ଲୋକ‌େ ଆସିବାକୁ ଭୟ କରୁଥିଲେ। ପାହଡିଆ ଗ୍ରାମବାସୀ ସର୍ବଦା ଭୟ ଓ ଆତଙ୍କରେ ଜୀବନଯାପନ କରୁଥିଲେ। ଗତବର୍ଷ ପର୍ଯ୍ୟନ୍ତ ସେଠାକୁ ରାସ୍ତା ଓ ବିଜୁଳି ବ୍ୟବସ୍ଥା ନଥିବା ବେଳେ ମାଓ ଉପଦ୍ରବ ରହୁଥିଲା। କିନ୍ତୁ ଆଜି ‌ସେଠାକୁ ଗମନାଗମନ ପାଇଁ ରାସ୍ତା ନିର୍ମାଣ କରାଯାଉଥିବା ବେଳେ ଗାଁରେ ବିଜୁଳି ପହଞ୍ଚି ପାରିଛି। ଲୋକେ ଏବେ ବିକାଶକୁ ସ୍ବାଗତ କରୁଛନ୍ତି। ଗ୍ରାମବାସୀଙ୍କ ମନୋବଳ ଅତ୍ୟନ୍ତ ଉଚ୍ଚ ଏବଂ ସେମାନେ ନିଜ ଅଞ୍ଚଳରେ ମାଓବାଦୀ କାର୍ଯ୍ୟକଳାପକୁ ମୂଳୋତ୍ପାଟନ ନକରିବାକୁ ଶପଥ ନେଇଥିବା ନେଇ ମାଲକାନଗିରି ଏସପି ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର