ଛାତ୍ରୀଙ୍କୁ ପ୍ରେମ ନିବେଦନ:ଶିକ୍ଷକଙ୍କ ବିରୋଧରେ ଏତଲା

ମାଲକାନଗିରି/ପଡିଆ: ମାଲକାନଗିରିରେ ଛାତ୍ରୀଙ୍କ ପ୍ରତି ହେଉଥିବା ଅସଦାଚରଣ ଦିନକୁ ଦିନ ବଢିବାରେ ଲାଗିଛି। ଗତ କିଛି ଦିନ ତଳେ ମାଲକାନଗିରି ନିକଟସ୍ଥ ଶିଖପାଲ୍ଲୀରେ ଛାତ୍ରୀ ଅସଦାଚରଣ ଯୋଗୁଁ ଆତ୍ମହତ୍ୟା ଘଟଣା ଥମିନଥିବା ବେଳେ ପୁଣି ମାଲକାନଗିରି ଜିଲ୍ଲା ପଡିଆ ବ୍ଲକର ବାପନପାଲ୍ଲୀ ଠାରେ ରହିଥିବା ଆଦର୍ଶ ବିଦ୍ୟାଳୟରେ ଜଣେ ଛାତ୍ରୀଙ୍କୁ ସେହି ସ୍କୁଲର ହିନ୍ଦୀ ଶିକ୍ଷକ ପ୍ରେମ ନିବେଦନ କରିଥିବା ଅଭିଯୋଗ ହୋଇଛି। ଏମଭି-୯୬ରେ ବାସ କରୁଥିବା ଛାତ୍ରୀଙ୍କ ବାପା ଆଜି ପଡିଆ ଥାନାରେ ଏନେଇ ଏତଲା ଦେଇଛନ୍ତି। ଏତଲାକୁ ଭିତ୍ତିକରି ପୋଲିସ ତଦନ୍ତ ଚଳାଇଥିବା ଜଣାପଡିଛି।
ଘଟଣା ଅନୁଯାୟୀ ବାପନପାଲ୍ଲୀ ଆଦର୍ଶ ବିଦ୍ୟାଳୟରେ ଅଧ୍ୟୟନ କରୁଥିବା ଦଶମ ଶ୍ରେଣୀର ଛାତ୍ରୀକୁ ସେହି ବିଦ୍ୟାଳୟର ହିନ୍ଦୀ ଶିକ୍ଷକ ଏକୁଟିଆ ଡାକି ଆଇ ଲଭ ୟୁ, ଆଇ ୱାନଟେଡ କିସ ୟୁ ଏବଂ ମୁଁ ତୋତେ ବାହା ହେବାକୁ ଚାହୁଁଛି ବୋଲି କହିଥିବା ଅଭିଯୋଗ ହୋଇଛି। ଛାତ୍ରୀଙ୍କୁ ଏନେଇ ବାହାରେ କାହାକୁ କିଛି ନକହିବାକୁ ଶିକ୍ଷକ ଜଣକ ନେହୁରା ହୋଇଥିଲେ। ପୂର୍ବରୁ ଛାତ୍ରୀକୁ ଶପଥ କରାଇଥିଲେ ଯେ ସେ ଯାହା କହିବେ ସେ ହଁ କିମ୍ବା ନା’ରେ ଜବାବ ଦେବେ। ଛାତ୍ରୀ ଜଣକ ନା’ କହିବା ପରେ ଶିକ୍ଷକ ଏହି ଘଟଣାକୁ ଏଠାରେ ଦବାଇବା ସହ ଆଗକୁ ନବଢାଇବା ପାଇଁ ଛାତ୍ରୀଙ୍କୁ ନେହୁରା ହୋଇଥିଲେ।

ପୁଣି ଯେମିତି ଆଗ ଭଳି ବ୍ୟବହାର କରୁଥିଲ ସେହିପରି ବ୍ୟବହାର କରିବା ପାଇଁ କହିଥିଲେ। ତେବେ ଛାତ୍ରୀ ଜଣକ ଏନେଇ ପରିବାର ଲୋକଙ୍କ ଆଗରେ କହିବା ପରେ ବାପା ତୁରନ୍ତ ସ୍କୁଲ କର୍ତ୍ତୃପକ୍ଷଙ୍କୁ ଜଣାଇଥିଲେ। ଏହି ଘଟଣାକୁ ବିଦ୍ୟାଳୟରେ ସମାଧାନ କରିବାକୁ ଚେଷ୍ଟା କରାଯାଇଥିଲା। କିନ୍ତୁ ଛାତ୍ରୀ ଜଣକ ଘଟଣାର ପରଦିନ ଠାରୁ ସ୍କୁଲକୁ ଯାଉନଥିବା ବେଳେ ଘରେ ସବୁବେଳେ କାନ୍ଦୁଥିବା ବାପା ଅଭିଯୋଗ କରିଥିଲେ। ଝିଅର ପାଠ ପଢାରେ ଡୋରି ଲାଗିଯିବା ଭୟରେ ସେ ତୁରନ୍ତ ଶିକ୍ଷକଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର