ପୌରକାର୍ଯ୍ୟାଳୟ ସହ ୨ଶ୍ମଶାନ, ପାର୍କ ଓ ବଜାର ହେବ ସ୍ମାର୍ଟ; ସହରର ୩ ପ୍ରବେଶ ପଥରେ ବସିବ ସ୍ବାଗତ ଗେଟ୍

ଟ୍ରାଫିକ ଛକରେ ବିକ୍ରମ ଦେବ ବର୍ମା ଓ ଗାନ୍ଧୀଛକରେ ମହାତ୍ମାଗାନ୍ଧୀଙ୍କ ବସିବ ପ୍ରତିମୂର୍ତ୍ତି

ଜୟପୁର: ଜୟପୁର ପୌରପାଳିକାର ସୌନ୍ଦର୍ଯ୍ୟକରଣ ଓ ସାମଗ୍ରୀକ ବିକାଶ ପାଇଁ ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି ଓ ଉପଜିଲ୍ଲାପାଳ ତଥା ପୌର କାର୍ଯ୍ୟନିର୍ବାହୀ ଅଧିକାରୀ ହେମକାନ୍ତ ସୟ ଅଣ୍ଟାଭିଡ଼ି ବାହାରିଛନ୍ତି। ମୁଖ୍ୟତଃ ପୌରକାର୍ଯ୍ୟାଳୟ, ଭୁତନାଥ ଓ ଡେଙ୍ଗାତୋଟା ଶ୍ମଶାନ, ଦୈନିକ ବଜାର ମଧ୍ୟରେ ୩ମହଲାର ବଜାର ଓ ଗଡ଼ିଆ ଧୋବାସାହିରେ ପାର୍କ ଆଦି ଅତ୍ୟାଧୁନିକ ଜ୍ଞାନ କୌଶଳ ତଥା ସ୍ମାର୍ଟ ଭାବେ ସ୍ଥାପନ କରାଯିବା ପାଇଁ ‌ପ୍ରସ୍ତୁତି ଆରମ୍ଭ ହୋଇଛି। ସେଭଳି ସହରର ୩ ପ୍ରବେଶ ପଥରେ ୩ଟି ସ୍ବାଗତ ଗେଟ୍ ପାରଂପରିକ ଚାଳିଚଳଣୀ, ରିତିନୀତି ତଥା ନୃତ୍ୟ ସଂଗୀତ , ବେଶଭୁଷାକୁ ନେଇ କରାଯିବା ସହ ମହାରାଜା ବିକ୍ରମ ଦେବ ବର୍ମା ଓ ଜାତିର ପିତା ମହାତ୍ମାଗାନ୍ଧୀଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରାଯିବାକୁ ନେଇ ଯୋଜନା କରାଯାଇଛି।

ଆଜି ସହର ଏବଂ ଏହାରି ପରିଧି ମଧ୍ୟରେ କେଉଁ ସ୍ଥାନ ଗୁଡ଼ିକରେ କଣ ସ୍ଥାପନ କରାଯିବ ତାକୁ ନେଇ ବିଧାୟକ ଓ ଉପଜିଲ୍ଲାପାଳ, ଏନଏଚ ନିର୍ବାହୀ ଯନ୍ତ୍ରୀ ଇଂ .ନିହାର ରଂଜନ ବେହେରା,ଏସଡିଓ ବିନୋଦ ଚନ୍ଦ୍ର ବଗର୍ତ୍ତୀ, ଓ ପୌରପାଳିକାର କନିଷ୍ଠ ଯନ୍ତ୍ରୀ ଅଜୟ କୁମାର ଜାନୀ, ପ୍ରତାପ ଚନ୍ଦ୍ର ଆଚାର୍ୟ୍ୟ, ପୌର କର୍ମଚାରୀ, ଦୈନିକ ବଜାରର ସଂପାଦକ ନରେନ୍ଦ୍ର ବେହେରା ଆଦିଙ୍କୁ ନେଇ ସ୍ଥାନ ଚୟନ କରିଥିଲେ।

ଟ୍ରାଫିକ ଛକ ନିକଟରେ ଗୋଲେଇ କରି ସେଠାରେ ମହାରାଜା ବିକ୍ରମ ଦେବ ବର୍ମାଙ୍କ ଜୀବନ୍ତ ପ୍ରତିମୂର୍ତ୍ତି ସ୍ଥାପନ କରାଯିବ। ପ୍ରତିମୂର୍ତ୍ତୀର ସମ୍ମୁଖରେ ପାରମ୍ପରିକ ଢ଼େମସା ନୃତ୍ୟ କରୁଥିବା ମହିଳା ଓ ପୁରୁଷଙ୍କ ପ୍ରତିକୃତିକୁ ସ୍ଥାପନ କରାଯିବ। ବିଧାୟକ ଓ ଉପଜିଲ୍ଲାପାଳ ଏଥି ପାଇଁ ଜାତୀୟ ରାଜପଥ ଅଧିକ୍ଷଣ ଯନ୍ତ୍ରୀଙ୍କୁ ଏ ନେଇ ପ୍ରସ୍ତାବ ରହିତ ଚିଠି କରିବେ। ତା ପରେ ଜାତୀୟ ରାଜପଥ ଉକ୍ତ ସ୍ଥାନକୁ ପୌରପାଳିକାକୁ ହସ୍ତାନ୍ତର କରିବ ବୋଲି ଏନଏଚର ନିର୍ବାହୀ ଯନ୍ତ୍ରୀ ଓ ଏସଡିଓ କହିଥିଲେ। ଗାନ୍ଧିଛକରେ ଏବେ ଥିବା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିକୁ ବାହାର କରି ସେଠାରେ ଜୀବନ୍ତ ତଥା ହାତରେ ବାଡ଼ି ଧରି ଚାଳୁଥିବା ଭଳି ପ୍ରତ୍ୟୟମାନ ହେଉଥିବା ପ୍ରତିମୂର୍ତ୍ତି ବସାଯିବ। ଏଠାରେ ଗାଦବା, ପରଜା ଆଦି ସଂପ୍ରଦାୟର ପାରମ୍ପରିକ ମହିଳା ଓ ପୁରୁଷଙ୍କ ପ୍ରତିକୃତି ବସାଯିବ। ଏଠାରେ ବି ‘ଆଇ ଲଭଜୟପୁର’ର ଲେଖା ବି ବସିବ। ସେଭଳି କୋରାପୁଟ ଘାଟିରୁ ଓହ୍ଲାଇବା ସମୟରେ ସ୍ବାଗତ ବୋର୍ଡ ଲଗାଯିବ।

Sambad

ଏଥି ପାଇଁ ପୂର୍ବରୁ ଚୟନ ହୋଇଥିବା ବାରିଣପୁଟରୁ ସ୍ଥାନକୁ ପରିବର୍ତ୍ତନ କରି ନୂଆରେ ମାଳିଗୁଡା ନିକଟରେ ସ୍ଥାନ ଚୟନ କରାଯାଇଥିଲା। ଜଗଦଲପୁରରେ ଯେଭଳି ଆକର୍ଷଣୀୟ ପାରମ୍ପରିକ ପ୍ରତିମୂର୍ତ୍ତି ଲଗାଯାଇଛି ଠିକ ସେଭଳି ଏହି ସ୍ବାଗତ ବୋର୍ଡ ନିକଟରେ ବି ଲଗାଯିବ। ଟାଉନହଲ ପାର୍ଶ୍ବରେ ଥିବା ଖାଲି ସ୍ଥାନରେ ସହରକୁ ଆସୁଥିବା କାର, ଜିପ ଆଦି ପାର୍କିଂ କରି ରଖିବା ସ୍ଥାନ କରାଯିବା ସହ ଏହାକୁ ଏମ୍ୟୁଜମ୍ୟାଣ୍ଟ ପାର୍କ ଭାବେ ତିଆରି କରାଯାଉଛି। ଏହା ପରିସରରେ ୪୦ଟି ଗାଡ଼ି ପାର୍କିଂ କରି ରଖିବା ଭଳି ପ୍ଲାଟଫର୍ମ ତିଆରି ଚାଳିଛି। ଏହା ସହ ପାଚେରୀ ଚାରି ପାର୍ଶ୍ବରେ ୨୮୦ମିଟରରେ ପଥଚାରୀ ମାନେ ଚାଳିବା ପାଇଁ ଫୁଟପାଥ, ବସିବା ପାଇଁ ଚୈକିର ବ୍ୟବସ୍ଥା ହେବ। ସେଭଳି ଟାଉନହଲର ପାଚେରୀ ଭାଙ୍ଗି ଏଠାରେ ଫୁଡ଼୍ କୋର୍ଟ କରାଯିବ। ସହରର ୪୦ଟି ଉଠା ଦୋକାନୀଙ୍କୁ ଏହି ଫୁଡପାର୍କରେ ବସାଯିବ। ଏହି ନିର୍ମାଣାଧୀନ କାମକୁ ମଧ୍ୟ ଉପଜିଲ୍ଲାପାଳ ଓ ବିଧାୟକ ବୁଲି କାମର ତଦାରଖ କରିଥିଲେ। ଦୈନିକ ବଜାରର ସମ୍ମୁଖରେ ନିର୍ମାଣାଧୀନ ଥିବା ଏଟିଏମ୍ ପାର୍ଶ୍ବ ଖାଲି ସ୍ଥାନ ଓ ନାଳକୁ ସଜାଡାଯାଇ ପ୍ଲାଟଫର୍ମ ତିଆରି ହେବ। ଏଠାରେ ବଜାରର ପ୍ରବେଶସ୍ଥାନରେ ବସୁଥିବା ମହିଳା ବେପାରୀଙ୍କୁ ସେ ସ୍ଥାନ ଦିଆଯାଇ ପ୍ରବେଶ ପଥକୁ ଖାଲି କରାଯିବ। ବଜାରର ସମ୍ମୁଖରେ ଷ୍ଟିଲ ଗେଟ ନିର୍ମାଣ କରାଯିବ।

ସେଭଳି ଦୈନିକ ବଜାର ମଧ୍ୟରେ ପଲିଥିନ ଜରି ପକାଇ ବହୁ ଉଠାଦୋକାନୀ ବସୁଥିବାରୁ ସେଠାରେ ପିଣ୍ଡି ନିର୍ମାଣ କରାଯାଇ ଟିଣ ପକାଯାଇ ସେମାନଙ୍କୁ ଦିଆଯିବ। ସେଭଳି ପୁର୍ବରୁ ମାଛ ଓ ମାଂସ ବଜାର ଥିବା ଏବଂ ଖାଲି ପଡ଼ିଥିବା ସ୍ଥାନରେ ୩ମହଲାର ସ୍ମାର୍ଟ ବଜାର ସହ ଷ୍ଟଲ ବି ନିର୍ମାଣ ହେବ। ମହାରାଣୀପେଟା ଓ ଭଦ୍ରା ସାହି ସମ୍ମୁଖରେ ଥିବା ଷ୍ଟଲ ଗୁଡିକୁ ଭଙ୍ଗାଯାଇ ଏହି ଷ୍ଟଲ ଗୁଡିକୁ ଉକ୍ତ ବେପାରୀଙ୍କୁ ଦିଆଯିବ। ଭଙ୍ଗା ଯାଇଥିବା ସ୍ଥାନରୁ ସ୍ମାର୍ଟ ବଜାରକୁ ସମ୍ମୁଖ ପଟରୁ ରାସ୍ତା ରହିବ। ଏବଂ ବଜାରକୁ ଆସୁଥିବା ଲୋକଙ୍କ ଗାଡି, କାର ଆଦି ପାର୍କିଂ କରିବା ପାଇଁ ସ୍ଥାନ ବାହାରି ପାରିବ ବୋଲି ତଦାରଖ ବେଳେ ଆଲୋଚନ‌ା କରାଯାଇଥିଲା। ପୌରକାର୍ଯ୍ୟାଳୟକୁ ଲାଗିକି ପୁରୁଣା ଉପଖଣ୍ଡ ଚିକିତ୍ସାଳୟ ଏବଂ ଟାଉନହଲକୁ ଲାଗି ରହିଥିବା ପାଚେରୀକୁ ଭାଙ୍ଗି ସେଠାରେ ସ୍ମାର୍ଟ ପୌରକାର୍ଯ୍ୟାଳୟ କରାଯିବ। ସହରର ପ୍ରମୁଖ ଭୁତନାଥ ଓ ଡେଙ୍ଗାତୋଟା ଶ୍ମଶାନକୁ ୧କୋଟି ଟଙ୍କା ବ୍ୟୟରେ ସ୍ମାର୍ଟ ଶ୍ମଶାନରେ ପରିଣତ କରାଯିବ। ଉଭୟ ଶ୍ମଶାନରେ ପର୍ଣ୍ଣେସ ସହ ଅତ୍ୟାଧୁନିକ ବ୍ୟବସ୍ଥା ମଧ୍ୟରେ ଶବ ସଂସ୍କାର କରାଯିବାର ବ୍ୟବସ୍ଥା କରାଯିବ।

ସେଭଳି ଗୋଡ଼ିଆ ଧୋବା ସାହି ନିକଟରେ ଏକ କୋଟି ବ୍ୟୟରେ ସ୍ମାର୍ଟ ପାର୍କ ନିର୍ମାଣ କରାଯିବାର ଯୋଜନା ଚାଳିଛି ବୋଲି କହିଛନ୍ତି ଉପଜିଲ୍ଲାପାଳ ତଥା ପୌରକାର୍ଯ୍ୟାଳୟ ନିର୍ବାହୀ ଅଧିକାରୀ। ସହରର ୩ ପ୍ରବେଶପଥର ସ୍ବାଗତ ଗେଟ୍, ମହାରାଜା ବିକ୍ରମ ଦେବ ବର୍ମା, ମହାତ୍ମାଗାନ୍ଧୀଙ୍କ ଜୀବନ୍ତ ପ୍ରତିକୃତି, ପାରମ୍ପିକ ବେଶବୁଷା, ନୃତ୍ୟଗୀତର ପ୍ରତିମୂର୍ତ୍ତୀ ଆଦି ସହ ଅନ୍ୟାନ୍ୟ ସାମଗ୍ରୀକ ବିକାଶ ପାଇଁ ବିଧାୟକ ପାଣ୍ଠିରୁ ସହଯୋଗ କରିବେ ବୋଲି କହିଛନ୍ତି ବିଧାୟକ ବାହିନୀପତି। ଆସନ୍ତା ବର୍ଷକ ମଧ୍ୟରେ ଏସବୁ ସୌନ୍ଦର୍ଯ୍ୟକରଣ ପ୍ରକଳ୍ପ ଆଦିର କାମ ଶେଷ କରିବାକୁ ଯୋଜନା ରହିଛି। ତେବେ ତାହା ଆଗାମୀ ଦିନରେ କେତେ ଦୁର ସଫଳ ହେଉଛି ତାହା ସମୟ ହିଁ କହିବ।

ସମ୍ବନ୍ଧିତ ଖବର