ଥାନାରେ ନାବାଳକଙ୍କୁ ଥାର୍ଡ ଡିଗ୍ରୀ! ଗୋଇଠା, ବୁଟ୍‌ରେ ପାଦ ଦଳିଦେବା ସହିତ ବିଦ୍ୟୁତ ଚେଙ୍କର ଅଭିଯୋଗ

ଚାଇଲ୍‌ଡ ଲାଇନ୍‌, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀଙ୍କୁ ତଦନ୍ତ ନିର୍ଦ୍ଦେଶ

ରାଉରକେଲା : ନିକଟ ଅତୀତରେ ଘଟିଥିବା ଏକାଧିକ ଘଟଣା ପୁଲିସ ବ୍ୟବସ୍ଥା ଉପରୁ ସାଧାରଣ ଜନତାଙ୍କର ଆସ୍ଥା ତୁଟିଯିବା ଭଳି ସ୍ଥିତି ସୃଷ୍ଟି କରିଛି। ତଥାପି ବ୍ୟବସ୍ଥାରେ ପରିବର୍ତ୍ତନ ହେଉ ନାହିଁ। ଏଭଳି ଆଉ ଏକ ଘଟଣା ଘଟିଛି ରାଉରକେଲାରେ। ମୋବାଇଲ ଚୋରି ଅଭିଯୋଗରେ ଜଣେ ନାବାଳକଙ୍କୁ ଥାନାକୁ ଉଠାଇ ଆଣି ଭୀଷଣ ମାଡ ମରାଯାଇଥିବା ଅଭିଯୋଗ ହୋଇଛି। କେବଳ ସେତିକି ନୁହେଁ, ତାଙ୍କୁ ଠିକ୍‌ ସମୟରେ ଖାଇବାକୁ ନଯାଇ ରାତି ସାରା ନିର୍ଯ୍ୟାତନା ଦେବା ସହ ପରଦିନ ସକାଳେ ଧମକ ଚମକ ଦେଇ ଛାଡି ଦିଆଯାଇଥିଲା ବୋଲି ନାବାଳକ ଜଣକ ନିଜେ କହୁଛନ୍ତି। ଯଦି ବି ନାବାଳକ ଜଣକ ମୋବାଇଲ ଚୋରି କରିଥିଲେ, ତାକୁ ଥାନାକୁ ଉଠାଇ ଆଣି ନିର୍ଧୁମ ମାଡ ମାରିବା ଓ ବାଳସୁଧାର ଗୃହକୁ ନ ପଠାଇ ରାତି ସାରା ଥାନାରେ ରଖି ନିର୍ଯାତନା ଦେବା ପ୍ରସଙ୍ଗରେ ରାଉରକେଲା ପୁଲିସ ବର୍ତ୍ତମାନ କାଠଗଡ଼ାରେ।

ରାଉରକେଲା ଟିମ୍ବର କଲୋନି ଅଞ୍ଚଳରେ ବାପ-ମା ଛେଉଣ୍ଡ ଜଣେ ନବମ ଶ୍ରେଣୀର ଛାତ୍ର ତାଙ୍କ ଆଈଙ୍କ ପାଖରେ ରହି ପାଠ ପଢ଼ନ୍ତି। ସିଡବ୍ଲ୍ୟୁସିକୁ ଦେଇଥିବା ଲିଖିତ ଅଭିଯୋଗରେ ସ୍ଥାନୀୟ ଅଞ୍ଚଳର ସମାଜସେବୀ ପ୍ରମିଳା ଦାସ କହିଛନ୍ତି, ନାବାଳକ ଜଣକ ପ୍ରାୟ ମାସେ ତଳେ ମା’ ବୈଷ୍ଣଦେବୀ ଦେବୀ ମନ୍ଦିର ଯିବା ସିଢ଼ି ନିକଟରୁ ଏକ ସାମ୍‌ସଙ୍ଗ ମୋବାଇଲ ପାଇଥିଲେ। ମୋବାଇଲଟି ବନ୍ଦ ଥିଲା। ତା’କୁ ଖୋଲିବାକୁ ସେ ନିକଟସ୍ଥ ଦୋକାନକୁ ନେଇଥିଲେ। ଦୋକାନୀ ମଧ୍ୟ ମୋବାଇଲଟିକୁ ଖୋଲି ପାରି ନଥିଲେ। ଶେଷରେ ନାବାଳକ ‌ମୋବାଇଲ ଖୋଲିବାକୁ ତାଙ୍କର ଜଣେ ସାଙ୍ଗକୁ ଦେଖାଇଥିଲେ। ସେ ମଧ୍ୟ ଖୋଲି ପାରି ନଥିଲା। କହିଥିଲା, ‌‘ତୋର ତ ମୋବାଇଲ ଅଛି। କିନ୍ତୁ ମୋ’ର ନାହିଁ। ଅନ୍‌-ଲାଇନ୍‌ରେ ପାଠ ପଢ଼ିବାରେ ଅସୁବିଧା ହେଉଛି, ମୋତେ ଏ ମୋବାଇଲ ଦେଇ ‌ଦେ’। ମୁଁ ୧୫୦୦ ଟଙ୍କା ‌ଦେବି।’ ନାବାଳକ ତା’ପରେ ୧୫୦୦ ଟଙ୍କାରେ ମୋବାଇଲଟିକୁ ସାଙ୍ଗକୁ ବିକି ଦେଇଥିଲେ।

ଏସବୁ ପରେ ଗତ ଡିସେମ୍ବର ୨୬ ସକାଳେ ଗୋପବନ୍ଧୁପାଲି ଫାଣ୍ଡି ପୁଲିସ ଟିମ୍ବର କଲୋନିରେ ପହଞ୍ଚିଥିଲା ଓ ମୋବାଇଲ ଚୋରି ଅଭିଯୋଗରେ ନାବାଳକଙ୍କୁ ଫାଣ୍ଡିକୁ ଉଠାଇ ନେଇଥିଲା। ପଚରାଉଚୁରା ପରେ ନାବାଳକଙ୍କୁ ଫାଣ୍ଡିରୁ ଉଦିତନଗର ଥାନାକୁ ନିଆଯାଇଥିଲା।‌ କିଛି ସମୟ ବସାଇବା ପରେ ନାବାଳକଙ୍କୁ ଥାନାର ଭିତରକୁ ରୁମ୍‌ ନିଆଯାଇଥିଲା। ଥାନାର ଜୈନିକ ସବ୍ ଇନ୍ସପେକ୍ଟରଙ୍କ ସମେତ ଅନ୍ୟ ତିନିଜଣ ନାବାଳକଙ୍କୁ ଗାଳିଗୁଲଜ ଓ ଧମକଚମକ ଦେଇଥିଲେ। ତା’ପରେ ତାଙ୍କୁ ଗୋଇଠା ମାରିବା ସହିତ ପାଦକୁ ବୁଟ୍‌ରେ ଦଳି ମାଡ ମାରିଥିଲେ। ପୂର୍ବାହ୍ନ ୧୧ଟାରୁ ରାତି ପ୍ରାୟ ୮ଟା ପର୍ଯ୍ୟନ୍ତ କିଛି ଖାଇବାକୁ ନ ଦେଇ ସେମିତି ବସାଇଥିଲେ। ରାତି ୮ଟା ପରେ କିଛି ଖାଇିବାକୁ ଦିଆ ଯାଇଥିଲା। ପୁଣି ରାତି ପ୍ରାୟ ସାଢ଼େ ୯ଟାରେ ଭିତର ରୁମ୍‌ ଭିତରକୁ ଡାକି ନିଆ ଯାଇଥିଲା। ତାଙ୍କୁ ପ୍ୟାଣ୍ଟ ସାର୍ଟ ଖୋଲିବାକୁ ଆଦେଶ ଦିଆ ଯାଇଥିଲା। ନାବାଳକ ନ ଖୋଲିବାରୁ ଥାନାର ଜୈନିକ ସବ୍‌ଇନ୍ସପେକ୍ଟର ଚାପୁଡା ମାରିଥିଲେ। ଅଧିକ ମାଡ ଭୟରେ ନାବାଳକ ସାର୍ଟ ପ୍ୟାଣ୍ଟ ଖୋଲିବା ପରେ ତାଙ୍କୁ ବିଦ୍ୟୁତ୍‌ ଚେଙ୍କ ଦିଆ ଯାଇଥିଲା। ସେ କିଣିଥିବା ନୂଆ ମୋବାଇଲକୁ ମଧ୍ୟ ପୁଲିସ ନେଇ ଯାଇଥିଲା, ଯଦିଓ ତା’ର କିଣା ରସିଦ ତାଙ୍କ ପାଖରେ ଅଛି। ଶେଷରେ ‘ମାଡ଼ ମାରିବା କଥା କାହାକୁ କହିବୁ ନାହିଁ, କି ଡାକ୍ତରଖାନାକୁ ଯିବୁ ନାହିଁ, ନ ହେଲେ ପୁଣି ଥାନାକୁ ଉଠାଇ ଆଣିବୁ’ ଏମିତି ଧମକ ଦେଇ ପୁଲିସ ପରଦିନ, ଅର୍ଥାତ୍‌ ଡିସେମ୍ବର ୨୭ରେ ଥାନାରୁ ନାବାଳକଙ୍କୁ ଛାଡି ଦେଇଥିଲେ। ଭୟରେ ନାବାଳକ ସେକଥା ନିଜ ଆଈଙ୍କୁ ବି କହି ନଥିଲେ। କିନ୍ତୁ ଦେହ ମାଲିସ କରିବାବେଳେ ମାଡ଼ ଖାଇଥିବା ସ୍ଥାନକୁ ଆଈ ଛୁଇଁବାବେଳେ ନାବାଳକ ଯନ୍ତ୍ରଣାରେ କାନ୍ଦି ଉଠିବାରୁ ସବୁ କଥା ଜଣା ପଡ଼ି ଯାଇଥିଲା। ପରେ ଦୁହେଁ ସମାଜସେବୀ ପ୍ରମିଳା ଦାସଙ୍କୁ ପୁଲିସର ସେ ଅମାନୁଷିକ କାର୍ଯ୍ୟ ସଂକ୍ରାନ୍ତରେ କହିଥିଲେ। ସମାଜସେବୀ ଶ୍ରୀମତୀ ଦାସ ଏ ସଂକ୍ରାନ୍ତରେ ଗତ ଡିସେମ୍ବର ୨୯ରେ ସିଡବ୍ଲ୍ୟୁସି ଅଧ୍ୟକ୍ଷ ରାମଚନ୍ଦ୍ର ବେହେରାଙ୍କ ନିକଟରେ ଲିଖିତ ଅଭିଯୋଗ କରିଥିଲେ। ତାଙ୍କୁ ଦିଆ ଯାଇଥିବା ନିର୍ଯାତନା ସଂପର୍କରେ ନାବାଳକଙ୍କ ବୟାନର ଭିଡିଓ ମଧ୍ୟ ବର୍ତ୍ତମାନ ଗଣମାଧ୍ୟମ ପାଖରେ।

ଏହି ସମ୍ବେଦନଶୀଳ ଘଟଣାର ଖବର ଜିଲ୍ଲା ଶିଶୁ କଲ୍ୟାଣ କମିଟି (ସିଡବ୍ଲ୍ୟୁସି) ପାଖରେ ପହଞ୍ଚିବା ପରେ ତଦନ୍ତ ଆରମ୍ଭ କରିଛନ୍ତି ଚାଇଲ୍‌ଡ ଲାଇନ୍‌ ଟିମ୍‌। ଅବଶ୍ୟ ତଦନ୍ତ ରିପୋର୍ଟ ଏବେ ସୁଦ୍ଧା ସିଡବ୍ଲ୍ୟୁସି ନିକଟରେ ପହଞ୍ଚି ନାହିଁ। ତେବେ ନାବାଳିକଙ୍କ ସ୍ବାସ୍ଥ୍ୟ ପରୀକ୍ଷା ରିପୋର୍ଟ ଓ ଚାଇଲ୍‌ଡ ଲାଇନ୍ ଟିମ୍‌ ସଦସ୍ୟଙ୍କ ତଦନ୍ତରୁ ନାବାଳକଙ୍କୁ ଥାନାରେ ଭିତରେ ଅକଥନୀୟ ନିର୍ଯାତନା ଦିଆଯିବା ସହ ମାଡ ମରାଯାଇଥିବା ସିଡବ୍ଲ୍ୟୁସି ଅଧ୍ୟକ୍ଷ ରାମଚନ୍ଦ୍ର ବେହେରା କହିଛନ୍ତି। ଅଫିସିଆଲ୍‌ ରିପୋର୍ଟ ଆସିବା ପରେ ନାବାଳକଙ୍କୁ ନ୍ୟାୟ ପାଇଁ ସିଡବ୍ଲ୍ୟୁସି ପକ୍ଷରୁ ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି ସେ କହିଛନ୍ତି। ତେବେ ଆଉ ଗୋଟିଏ ଆଶ୍ଚର୍ଯ୍ୟର କଥା ହେଉଛି, ସିଡବ୍ଲ୍ୟୁସି ଘଟଣାର ତଦନ୍ତ ପାଇଁ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ (ଡିସିପିଓ)ଙ୍କୁ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ କୌଣସି ଅଜଣା କାରଣରୁ ଅଦ୍ୟାବଧି ଡିସିପିଓ ଘଟଣା ତଦନ୍ତ ଆରମ୍ଭ କରି ନାହାନ୍ତି। ତାଙ୍କର ଏ ଚୁପ୍‌ ବସିବାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଅନ୍ୟପକ୍ଷରେ ଡିଏସ୍‌ପି ଅସୀମ ପଣ୍ଡାଙ୍କୁ ପଚାରିବାରୁ ସେ ଏ ବିଷୟରେ କିଛି ଜାଣି ନାହାନ୍ତି ବୋଲି କହିଛନ୍ତି।

ସମ୍ବନ୍ଧିତ ଖବର