ପୁଣି ଅନ୍ଧବିଶ୍ୱାସ ନେଲା ମହିଳାଙ୍କ ଜୀବନ:ଡାହାଣୀ ସନ୍ଦେହରେ ମହିଳାଙ୍କୁ ନିର୍ମମ ହତ୍ୟା

ଚିତ୍ରଡ଼ା: ଆଦିବାସୀବହୁଳ ମୟୂରଭଞ୍ଜ ଜିଲ୍ଲାରେ ଅନ୍ଧବିଶ୍ୱାସ କମିବାର ନାଁ ଧରୁନାହିଁ। ଏଥିପାଇଁ ବାରମ୍ବାର ନିରୀହ ଜୀବନ ବଳିପଡୁଛି। ସଦ୍ୟ ଏପରି ଏକ ଘଟଣା ସମଗ୍ର ମୟୂରଭଂଜ ଜିଲ୍ଲାରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ଡାହାଣୀ ସନ୍ଦେହରେ ଜଣେ ମହିଳାଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଛି। ପୁଲିସ ଅଭିଯୁକ୍ତକୁ ଗିରଫ କରିଛି। ହତ୍ୟାର ଶିକାର ହୋଇଛନ୍ତି ମୋରଡ଼ା ଥାନା ଅଧୀନ ପଳାସମୁଣ୍ଡୁଳି ପଞ୍ଚାୟତ ଖୁରୁଣ୍ଟିଆ-ବାରହାଜାବୁଡ଼ା ଭୂମିଜସାହିର ହରେକୃଷ୍ଣ ସିଂଙ୍କ ପତ୍ନୀ ସୁନି(୫୫)। ତାଙ୍କୁ ଉକ୍ତ ଗ୍ରାମର ନରସିଂହ ସିଂଙ୍କ ପୁଅ ବାୟା ହତ୍ୟା କରିଥିବା ହରେକୃଷ୍ଣ ମୋରଡ଼ା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତିକରି ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।
ବାରିପଦାରୁ ସନ୍ଧାନୀ କୁକୁର ସହିତ ସାଇଣ୍ଟିଫିକ ଟିମ୍‌ ଆସି ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହିତ ନମୁନା ସଂଗ୍ରହ କରିଥିଲେ। ବେତନଟୀ ଏସ୍‌ଡିପିଓ ଗୋବିନ୍ଦ ସେଠୀ, ମୋରଡ଼ା ଥାନା ଆଇଆଇସି ଯୋଗେନ୍ଦ୍ର ମଲ୍ଲିକ, ଏସ୍‌ଆଇ ମହେଶ୍ୱର ବେହେରା, ଚିତ୍ରଡା ଫାଣ୍ଡି ଅଧିକାରୀ ରାଜେନ୍ଦ୍ର ମଣ୍ଡଳ ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ। ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହିତ ପୁଲିସ ଏ ନେଇ ୭/୧୯ ନମ୍ବରରେ ଏକ ହତ୍ୟା ମାମଲା ରୁଜୁକରିଛି। ତେବେ ହତ୍ୟାକାଣ୍ଡର କାରଣ ଅନ୍ଧବିଶ୍ୱାସ ବୋଲି ଚର୍ଚ୍ଚା ହେଉଥିବା ବେଳେ ପୂର୍ବ ଶତ୍ରୁତା ମଧ୍ୟ ଅନ୍ୟତମ କାରଣ ବୋଲି କୁହାଯାଉଛି।
ସୂଚନା ଅନୁସାରେ, ବୁଧବାର ବିଳମ୍ବିତ ରାତିରେ ସୁନିଙ୍କୁ ଅଭିଯୁକ୍ତ ବାୟା ଘରୁ ବାଡ଼େଇ ବାଡ଼େଇ ନେଇଯାଇଥିଲା। ଏହାପରେ ନିକଟସ୍ଥ ଏକ ନିଛାଟିଆ ସ୍ଥାନରେ ଏକ ଚାଦରରେ ବେକ ସହିତ ମୁଁହକୁ ଚିପି ଦେବା ସହିତ ଏକ କଟୁରିରେ ଆକ୍ରମଣ କରିଥିଲା। ଫଳରେ ଘଟଣାସ୍ଥଳରେ ସୁନିଙ୍କ ମୃତ୍ୟୁ ହୋଇଯାଇଥିଲା। ବିଳମ୍ବିତ ରାତିରେ ଘଟଣା ଘଟିଥିବା ବେଳେ ସୁନିଙ୍କ ପରିବାର ଲୋକେ ମଧ୍ୟ କିଛି ଜାଣି ପାରିନଥିଲେ। ସକାଳୁ ସୁନି ଘରେ ନଥିବା ଦେଖି ପରିବାର ଲୋକେ ତାଙ୍କୁ ଖୋଜାଖୋଜି କରିଥିଲେ। ତେବେ ନିକଟସ୍ଥ ଏକ ନିଛାଟିଆ ସ୍ଥାନରେ ଏକ ଶବ ପଡ଼ିଥିବା ଦେଖି ଲୋକେ ପୁଲିସକୁ ଖବର ଦେଇଥିଲେ। ଖବରପାଇ ପୁଲିସ ସାଇଣ୍ଟିଫିକ୍‌ ଟିମ୍‌ ଓ ସନ୍ଧାନୀ କୁକୁର ସହିତ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା। ଶବଟି ସୁନିଙ୍କର ବୋଲି ଜଣାପଡ଼ିବା ପରେ ସୁନିଙ୍କ ସ୍ୱାମୀ ହରେକୃଷ୍ଣ ଏ ନେଇ ଲିଖିତ ଅଭିଯୋଗ କରିଥିଲେ।
ସୂଚନାଯୋଗ୍ୟ ଯେ, ସୁନିଙ୍କୁ ଡାହାଣୀ ସନ୍ଦେହ କରି ପୂର୍ବରୁ ବାୟା ଗାଳିଗୁଲଜ କରିବା ସହିତ ଆକ୍ରମଣ ମଧ୍ୟ କରିଥିଲା। ସୁନିଙ୍କ ପରିବାରକୁ ଆକ୍ରମଣ କରି ଅଭିଯୁକ୍ତ ପୂର୍ବରୁ ଜେଲ ବି ଯାଇଥିଲା। ଏହି ପରିପ୍ରେକ୍ଷୀରେ ମୃତ ସୁନିଙ୍କ ସ୍ୱାମୀ ହରେକୃଷ୍ଣଙ୍କ ଅଭିଯୋଗ ଅନୁସାରେ, ପୂର୍ବ ଶତ୍ରୁତା ଏବଂ ଗୁଣି ଗାରେଡ଼ିକୁ କେନ୍ଦ୍ରକରି ବାୟା ସୁନିଙ୍କୁ ହତ୍ୟା କରିଥିବା ଏସ୍‌ଡିପିଓ ଶ୍ରୀ ସେଠୀ କହିଛନ୍ତି। ଅଭିଯୋଗକୁ ଭିତ୍ତି କରି ତଦନ୍ତ ଆରମ୍ଭ କରାଯାଇଥିଲା ଏବଂ ମାମଲା ରୁଜୁ କରାଯିବା ସହିତ ଶବ ବ୍ୟବଚ୍ଛେଦ ପାଇଁ ପଠାଯାଇଛି। ତେବେ ଅଭିଯୁକ୍ତକୁ ପୁଲିସ ଗିରଫ କରିଛି ବୋଲି ସେ ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର