ବାରିପଦା: ଦିନ ଦ୍ୱିପ୍ରହରେ ଲୁଟିଲେ ବ୍ଲାକ ପଲସର ଲୁଟେରା, ଜନଗହଳିପୂର୍ଣ୍ଣ ସ୍ଥାନରୁ ଠିକାଦାରଙ୍କୁ ଲୁଟିଲେ

ବାରିପଦା: ବାରିପଦା ଟାଉନ ଥାନା ଅନ୍ତର୍ଗତ ବଡ଼ବଜାର ଶିତଲା ମନ୍ଦିର ନିକଟରୁ ଜଣେ ଠିକାଦାରଙ୍କ ବାଇକ ଡିକି ଭାଙ୍ଗି ୧ ଲକ୍ଷ ଟଙ୍କା ଲୁଟ ହୋଇଥିବା ଅଭିଯୋଗ ହୋଇଛି। ବାରିପଦା ପୌର ପରିଷଦ ୱାର୍ଡ ନମ୍ବର ୧୭ରେ ରହିଥିବା ଜୀବନ କୁମାର ଦଣ୍ଡପାଟ(୫୨) ଆଜି ସ୍ଥାନୀୟ ବ୍ୟାଙ୍କ ଅଫ ଇଣ୍ଡିଆ ମୁଖ୍ୟ ଶାଖାରୁ ୧ଲକ୍ଷ ଟଙ୍କା ଉଠାଇଥିଲେ। ସମୟ ପ୍ରାୟ ୧୨ ରୁ ୧୨.୧୫ ମଧ୍ୟରେ ଶ୍ରୀ ଦଣ୍ଡପାଟ ବଡ଼ ବଜାରରେ ଥିବା ଏକ ଦୋକାନକୁ ଟେଣ୍ଡର ପେପର ପକେଇବା ପାଇଁ ଆସିଥିଲେ। ଓଡ଼ି-୧୧ -ଏଫ-୮୪୫୫ ନମ୍ବର ବିଶିଷ୍ଟ ଗାଡ଼ି ରଖି ସେ ଦୋକାନ ଭିତରକୁ ଯିବାବେଳେ ମାତ୍ର କିଛି ମିନିଟ ମଧ୍ୟରେ ମୁଖା ପିନ୍ଧିଥିବା ଜଣେ ଅଜଣା ବ୍ୟକ୍ତି ବାଇକ ଡିକି ଭାଙ୍ଗି ସେଥିରେ ଏକ ବ୍ୟାଗରେ ଥିବା ଟଙ୍କା ଧରି ଚମ୍ପଟ ମାରିଥିଲା। ପୂର୍ବରୁ ପାଖରେ ଆଉ ଜଣେ ଏକ କଳା ରଙ୍ଗର ବାଇକ ଷ୍ଟାର୍ଟ କରି ଧରି ଛିଡା ହୋଇଥିବା ଲୁଟର ଶିକାର ହୋଇଥିବା ଶ୍ରୀ ଦଣ୍ଡପାଟ ସୂଚନା ଦେଇଛନ୍ତି। ଲୁଟେରା ଦ୍ବୟ ଟାଉନ ଥାନା ସାମ୍ନା ଦେଇ ଅମ୍ବିକା ମନ୍ଦିର ଦିଗରେ ପଳେଇ ଥିବା ପ୍ରକାଶ। ଏନେଇ ଶ୍ରୀ ଦଣ୍ଡପାଟ ଥାନାରେ ସୂଚନା ଦେବା ସହିତ ଅଭିଯୋଗ ଦେବାନେଇ କହିଛନ୍ତି।

ସମ୍ବନ୍ଧିତ ଖବର