ବ୍ୟବସାୟୀଙ୍କଠୁ ଲୁଟିନେଲେ ସାଢ଼େ ୪ ଲକ୍ଷ

ବେତନଟୀ/ବୈଶିଙ୍ଗା : ବୈଶିଙ୍ଗା ଥାନା ଅଧୀନ ବୈଶିଙ୍ଗା ଆଗ୍ରିଆ ନିକଟରେ ଗତକାଲି ଟାଟା ଏସିଇରେ ଯାଉଥିବା ଦୁଇ ଯୁବକଙ୍କ ନିକଟରୁ ଲୁଟେରାମାନେ ସାଢ଼େ ୪ ଲକ୍ଷ ଟଙ୍କା ଲୁଟିନେଇ ପଳାଇଛନ୍ତି। ଏ ନେଇ ଗତ ରାତିରେ ଥାନାରେ ମୌଖିକ ଅଭିଯୋଗ ହୋଇଥିବା ବେଳେ ଆଜି ଏତଲା ଦିଆଯାଇଛି। ଲୁଟ୍‌ର ଶିକାର ହୋଇଥିବା ତନ୍ମୟ କୁମାର ଦାସଙ୍କ ଘର ବାଲେଶ୍ୱର। ସେ ଗତକାଲି ବାରିପଦାରେ ପଲିଥିନ ବିକ୍ରିକରି ଟଙ୍କା ସହ ଟାଟା ଏସିଇରେ ଫେରୁଥିବା ବେଳେ ଲୁଟେରାଙ୍କ ହାବୁଡ଼ରେ ପଡ଼ିଥିଲେ। ପଛପଟୁ ଆସୁଥିବା ଏକ ଧଳା ରଙ୍ଗର ସ୍ୱିପ୍ଟ ତାଙ୍କ ଗାଡ଼ି ଆଗରେ ହଠାତ ବ୍ରେକ୍‌ ଦେବାରୁ ଟାଟା ଏସିଇ ଡ୍ରାଇଭର ବାଧ୍ୟହୋଇ ଗାଡ଼ି ଅଟକାଇଥିଲା। ଏତିକି ବେଳେ କାର୍‌ରୁ ବାହାରି ୪ ଜଣ ଲୁଟେରା ତନ୍ମୟଙ୍କଠାରୁ ଟଙ୍କା ବ୍ୟାଗ୍‌ ଝାମ୍ପିନେଇ ବାଲେଶ୍ୱର ଅଭିମୁଖେ ଦ୍ରୁତ ଗତିରେ ପଳାଇଥିଲେ ବୋଲି ତନ୍ମୟ ଏତଲାରେ ଦର୍ଶାଇଛନ୍ତି। ଗତକାଲି ମୌଖିକ ଅଭିଯୋଗ ପାଇବା ମାତ୍ରେ ବୈଶିଙ୍ଗା ଆଇଆଇସି ରେଣୁବାଳା ସାହୁ, ବେତନଟୀ ଆଇଆଇସି ଗୋବିନ୍ଦଚନ୍ଦ୍ର ବେହେରା ଓ ଅନ୍ୟ ପୁଲିସ ଅଧିକାରୀ ବିଭିନ୍ନ ରାସ୍ତାରେ ଯାଞ୍ଚ କଡାକଡି କରିଥିଲେ। ହେଲେ କିଛି ଫଳ ହୋଇ ନଥିଲା। ପୁଲିସ ଏନେଇ ଆଜି କେସ୍‌ ନମ୍ବର ୪୭/୨୦୧୮ରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧିତ ଖବର