କପ୍ତିପଦା/ନୂଆସାହି : ମୟୂରଭଞ୍ଜ ଜିଲ୍ଲା ଶିମିଳିପାଳ ପାଦଦେଶରେ ଥିବା କପ୍ତିପଦା ରେଞ୍ଜ୍ ଅଧୀନ ପୋଡାଡିହା ସେକ୍ସନରେ ଆଜି ଶିକାରୀମାନେ ଏକ ଶମ୍ବର ଶିକାର କରିଛନ୍ତି। ତୀର ମାଡ଼ରେ ଘାଇଲା ହୋଇ ଜନ୍ତୁଟି ପୋଡ଼ାଡିହା ଗାଁ ଭିତରେ ପଶିଆସିବାରୁ ଶିକାରୀମାନେ ନେଇପାରି ନାହାନ୍ତି। ଶମ୍ବରକୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଥିଲେ ହେଁ ତା’ର ଜୀବନ ବଞ୍ଚାଇବାରେ ବନ ବିଭାଗ ବିଫଳ ହୋଇଛି।
Sambad is now on WhatsApp
Join and get latest news updates delivered to you via WhatsApp
ପୋଡାଡିହା ପ୍ରାଣୀ ଚିକିତ୍ସାଳୟ ପାର୍ଶ୍ୱରେ ଥିବା ବାଉଁଶବଣ ଭିତରେ ତୀରବିଦ୍ଧ ଅବସ୍ଥାରେ ଏହି ଜଙ୍ଗଲୀ ଜୀବଟିକୁ ଆଜି ସକାଳେ ଗ୍ରାମବାସୀ ଦେଖିଥିଲେ। ଗ୍ରାମବାସୀଙ୍କଠୁ ଖବର ପାଇ ବନ କର୍ମଚାରୀମାନେ ପହଞ୍ଚି ତାକୁ ଧରିବାକୁ ଉଦ୍ୟମ କରି ବାଉଁଶ ବଣ ଚାରିପଟେ ଜାଲ ଘେରାଇଥିଲେ। ଦେହରେ ତୀର ଲାଖିଥିବାରୁ ବିପଦ ଆଶଙ୍କାରେ ବାରିପଦାରୁ ଜନ୍ତୁ ଉଦ୍ଧାରକାରୀ ଦଳକୁ ଡକାଯାଇଥିଲା। ଏହି ଟିମ୍ ମଧ୍ୟାହ୍ନରେ ଆସି ଟ୍ରାଙ୍କୁଲାଇଜର ପ୍ରୟୋଗ କରି ଆହତ ଶମ୍ବରକୁ ଧରିଥିଲେ। ପରେ ତୀରକୁ ବାହାର କରି ଚିକିତ୍ସା ଆରମ୍ଭ କରାଯାଇଥିଲା। ସେତେବେଳେ ଜୀବଟିର ମୃତ୍ୟୁ ହୋଇଥିଲା। ମୃତଦେହକୁ ନଳଖଞ୍ଜା ବିଟ୍ ହାଉସରେ ରଖାଯାଇଛି। ଆସନ୍ତାକାଲି ଶବ ବ୍ୟବଚ୍ଛେଦ ପରେ ପୋତିଦିଆଯିବ ବୋଲି କପ୍ତିପଦା ରେଞ୍ଜର ମହେଶ୍ୱର ସିଂ ସୂଚନା ଦେଇଛନ୍ତି।