ଜୋର୍ ଧରିଲା ମେଡ଼ିକାଲ୍ କ‌ଲେଜ ପ୍ରତିଷ୍ଠା ଦାବି, ଅନଶନରେ ବସିଲା ଯୁବ ବିକାଶ ପରିଷଦ

‘ଦାବି ପୂରଣ ଦିଗରେ ପଦକ୍ଷେପ ନ ନେଲେ ଆନ୍ଦୋଳନ ତୀବ୍ରତର ହେବ’

ରାୟଗଡ଼ା: ରାୟଗଡ଼ାରେ ମେଡ଼ିକାଲ୍ କଲେଜ ପ୍ରତିଷ୍ଠା ଦାବିରେ ଚାଲିଥିବା ଆନ୍ଦୋଳନ ଆଜି ଆଉ ଦୁଇ ପାଦ ଆଗକୁ ବଢ଼ିଛି। ପ୍ରତିଶ୍ରୁତି ଦେଇ ରାଜ୍ୟ ସରକାର ରାୟଗଡ଼ାବାସୀଙ୍କୁ ଠକି ଚାଲିଥିବା ବେଳେ ଗୋଟିଏ ପରେ ଗୋଟିଏ ପଡୋଶୀ ଜିଲ୍ଲାରେ ସ୍ବାସ୍ଥ୍ୟ ଭିତ୍ତିଭୂମିକୁ ସୁଦୃଢ଼ କରି ଚାଲିଛନ୍ତି। ନିକଟରେ ସରକାର କନ୍ଧମାଳରେ ମେଡ଼ିକାଲ୍ କଲେଜ ପ୍ରତିଷ୍ଠା ନେଇ ଘୋ‌ଷଣା କରିବା ପରେ ରାୟଗଡ଼ାରେ ଜନ ଅସନ୍ତୋଷ ତୀବ୍ର ହେବାରେ ଲାଗିଛି। ପ୍ରତିବାଦରେ ଯୁବ ବିକାଶ ପରିଷଦ ଆଜି ୧୨ ଘଣ୍ଟିଆ ଅନଶନ କରିଛି। ଅନଶନକୁ ବିଜେପି ମଧ୍ୟ ସମର୍ଥନ କରିଥିବା ଜିଲ୍ଲା ବିଜେପି ସଭାପତି ଶିବ ପଟ୍ଟନାୟକ ସୂଚନା ଦେଇଛନ୍ତି।

ଜିଲ୍ଲାରେ ସ୍ୱାସ୍ଥ୍ୟସେବା ସଂପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇ ପଡିଥିବାରୁ ସୁପର ସ୍ପେସିଆଲିଷ୍ଟ୍ ହସ୍ପିଟାଲ ଓ ମେଡିକାଲ କଲେଜ ପ୍ରତିଷ୍ଠାର ଆବଶ୍ୟକତା ରହିଛି। ପୂର୍ବରୁ ଜିଲ୍ଲାର ମିଳିତ ସଂଗଠନ ପକ୍ଷରୁ ମୁଖ୍ୟ ଶାସନ ସଚିବ, ଉନ୍ନୟନ କମିଶନର, ୫-ଟି ସଚିବଙ୍କୁ ସାକ୍ଷାତ କରି ଜିଲ୍ଲାର ନେତୃବୃନ୍ଦ ସ୍ମାରକପତ୍ର ପ୍ରଦାନ କରିବା ସହ ଏ ସଂପର୍କରେ ଆଲୋଚନା କରିଥିଲେ। ମେଡ଼ିକାଲ୍ କଲେଜ ପୂର୍ବରୁ ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସୁପର ସ୍ପେସିଆଲିଷ୍ଟ୍ ହସପିଟାଲରେ ପରିଣତ କରିବାକୁ ସରକାର ପ୍ରତିଶ୍ରୁତି ଦେଇଥିଲେ। ଯାହା ଆଜି ପର୍ଯ୍ୟନ୍ତ କାର୍ଯ୍ୟକାରୀ ହୋଇପାରିନି। ଏ ନେଇ ଯୁବ ବିକାଶ ପରିଷଦ ତରଫରୁ ଏକ ଦାବି ପତ୍ର ମୁଖ୍ୟମନ୍ତ୍ରୀଙ୍କ ଉଦ୍ୟେଶରେ ଜିଲ୍ଲାପାଳଙ୍କ ଜରିଆରେ ପ୍ରଦାନ କରାଯାଇଥିଲା । ୨୨ ତାରିଖ ସୁଦ୍ଧା ସରକାରଙ୍କ ତରଫରୁ ମେଡିକାଲ କଲେଜ ଏବଂ ସୁପର ସ୍ପେଶିଆଲିଷ୍ଟ ହସ୍ପିଟାଲ ପ୍ରତିଷ୍ଠା ଦିଗରେ ପଦକ୍ଷେପ ଗ୍ରହଣ ନ କରାଗଲେ ଯୁବ ବିକାଶ ପରିଷଦ ଅନଶନ କରିବ ବୋଲି ଚେତାବନୀ ଦେଇଥିଲା। ଯୁବ ବିକାଶ ପରିଷଦର ସଭାପତି ଶିବାଜୀ ଦାଶ କରିଛନ୍ତି, ରାୟଗଡ଼ା ଜିଲ୍ଲା ଗଠନକୁ ୨୮ ବର୍ଷ ବିତିଯାଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ଜିଲ୍ଲାବାସୀ ଶତ ପ୍ରତିଶତ ସ୍ୱାସ୍ଥ୍ୟ ସେବା ପାଇବାରୁ ବଂଚିତ ଅଛନ୍ତି । ରାୟଗଡ଼ା ଜିଲ୍ଲା ଏକ ଆଦିବାସୀ ଅଧ୍ୟୁଷିତ ଜିଲ୍ଲା ହୋଇଥିବାରୁ ଏଠାରେ ବସବାସ କରୁଥିବା ଜିଲ୍ଲାବାସୀ ସେପରି ଆର୍ଥିକ ସ୍ୱଚ୍ଛଳ ନୁହଁନ୍ତି।

ଜିଲ୍ଲାରେ ଆବଶ୍ୟକୀୟ ସ୍ୱାସ୍ଥ୍ୟ ସେବା ନଥିବାରୁ ସାମାନ୍ୟ ରୋଗୀମାନେ ଅର୍ଥ ଅଭାବରୁ ବାହରକୁ ଚିକିତ୍ସା ପାଇଁ ଯାଇନପାରି ମୃତ୍ୟୁବରଣ କରୁଛନ୍ତି।  ତେଣୁ ରାୟଗଡ଼ାରେ ମେଡିକାଲ କଲେଜ/ ସୁପର ସ୍ପେଶିଆଲିଷ୍ଟ ହସ୍ପିଟାଲର ଆବଶ୍ୟକତା ରହିଛି। ଆଗାମୀ ଜାନୁୟାରୀ ୧୧, ୨୦୨୧ ସୁଦ୍ଧା ସରକାର ଉପରୋକ୍ତ ଦାବି ପୂରଣ ନ କରନ୍ତି ତାହା ହେଲେ ଯୁବ ବିକାଶ ପରିଷଦ ତରଫରୁ ଜାନୁଆରୀ ୧୨ ତାରିଖରୁ ୭୨ ଘଣ୍ଟା ଧରି ଆମରଣ ଅନଶନ ପ୍ରଦର୍ଶନ କରାଯିବ ବୋଲି ସୂଚନା ଦେଇଛନ୍ତି ସଭାପତି ଶ୍ରୀ ଦାଶ। ଅନଶନ‌ରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ପରିଷଦ ଉପାଧ୍ୟକ୍ଷା ବୀଣାପାଣି ସାହୁକାର, ରବିନ୍ଦ୍ର ପାଣିଗ୍ରାହୀ, ଅମରେନ୍ଦ୍ର ନାଥ, ସାମ୍ବାଦିକ ଅମୂଲ୍ୟରତ୍ନ ସାହୁ, ନିରଂଜନ ପାଳ, ରବିନ୍ଦ୍ର ପାଟ୍ଟଖଣ୍ଡାଳ, ଦିଲ୍ଲୀପ କୁମାର ମିଶ୍ର, ଦୟାନନ୍ଦ ଖାଡଙ୍ଗା, ମନୋଜ ସାହୁ, ବିଶ୍ୱନାଥ ଭୂୟାଁ, ଦୀପକ ପୃଷ୍ଟି, ଗୁରୁପ୍ରସାଦ ସାହୁ, ସୁବାଷ ସୂର୍ଯ୍ୟା, ସି. ଏଚ୍. ଗଣେଶ୍ୱର ରାଓ, ଯୁବ ବିକାଶ ପରିଷଦର ସଂପାଦକ କୃଷ୍ଣ ପ୍ରସାଦ ମିଶ୍ର, ପୁତୁଲ ପାଢୀ, ଗୋପିନାଥ ଗୌଡ, ଗଣେଶ ସାହୁ, ନୀଳାଚଳ ଜେନା, ଦିବାକର ଗୌଡ ପ୍ରମୁଖ ସାମିଲ୍ ହୋଇଥିଲେ।

 

ସମ୍ବନ୍ଧିତ ଖବର