ନାବାଳିକା କଲେଜ ଛାତ୍ରୀଙ୍କୁ ଦୁଷ୍କର୍ମ ପରେ ଫିନାଇଲ ପିଆଇ ହତ୍ୟା ଉଦ୍ୟମ

ବଣାଇଗଡ଼: ଗତକାଲି ଦିନବେଳେ ବଣାଇଗଡ଼ ସହରର ଜଗନ୍ନାଥପୁର ଅଞ୍ଚଳରେ ଜଣେ ନାବାଳିକା କଲେଜ ଛାତ୍ରୀଙ୍କୁ ଘରେ ଏକୁଟିଆ ଥିବା ସମୟରେ ଜଣେ ଯୁବକ ପ୍ରଥମେ ବଳପୂର୍ବକ ଦୁଷ୍କର୍ମ କରିବା ପରେ ଫିନାଇଲ୍‌ ପିଆଇ ହତ୍ୟା ଉଦ୍ୟମ କରିବା ଘଟଣା ଚାଞ୍ଚଲ୍ୟ ଖେଳାଇଦେଇଛି। ଆଜି ସନ୍ଧ୍ୟାରେ ବଣାଇ ଥାନାରେ ମାମଲା ରୁଜୁ ହେବାପରେ ପୁଲିସ ଅଭିଯୁକ୍ତ ଯୁବକକୁ ଥାନାରେ ଅଟକ ରଖି ଘଟଣାର ତଦନ୍ତ ଚଳାଇଛି। ଅନ୍ୟ ପକ୍ଷରେ ନାବାଳିକା ଛାତ୍ରୀ ଜଣକ ରାଉରକେଲା ସରକାରୀ ଚିକିତ୍ସାଳୟରେ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଥିବା ସୂଚନା ମିଳିଛି।

ଘଟଣାରୁ ପ୍ରକାଶ ଯେ ଜଗନ୍ନାଥପୁର ଅଞ୍ଚଳରେ ଜଣେ ବ୍ୟବସାୟୀ ସପରିବାର ରହିଆସୁଥିଲେ। ପାଖରେ ପଡୋଶୀ ଭାବେ ରହୁଥିବା ଅନ୍ୟ ଏକ ପରିବାରର ଜଣେ ଯୁବକ (୨୪) ଏହି ନାବାଳିକା କଲେଜ ଛାତ୍ରୀ (୧୬)ଙ୍କୁ ଦୁଷ୍କର୍ମ କରିବା ପାଇଁ ପୂର୍ବରୁ ସୁଯୋଗ ଖୋଜି ଆସୁଥିଲା। ଗତକାଲି ଛାତ୍ରୀ ଜଣକ ଘରେ ଏକୁଟିଆ ସୁଯୋଗ ନେଇ ଅଭିଯୁକ୍ତ ଯୁବକ ଜଣକ ଘରେ ପଶି ତାଙ୍କୁ ବଳପୂର୍ବକ ଦୁଷ୍କର୍ମ କରିଥିଲା। ପରେ ନାବାଳିକା ଜଣକ ସଂଜ୍ଞାହୀନ ହୋଇ ପଡିଯିବା ପରେ ତାଙ୍କୁ ମୁହଁରେ ପାଣି ଛିଞ୍ଚି ହୋସ ଆଣିଥିଲା ଯୁବକ ଜଣକ।

ତେବେ କାଳେ ଏହି ଘଟଣା ପ୍ରଘଟ ହୋଇଯିବ ବୋଲି ଆଶଙ୍କା କରି ନାବାଳିକାଙ୍କୁ ଘରେ ଥିବା ଫିନାଇଲ ପିଆଇଦେଇ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା। କିଛି ସମୟ ପରେ ପରିବାର ଲୋକେ ଘରକୁ ଆସି ଝିଅକୁ ସଂଜ୍ଞାହୀନ ଅବସ୍ଥାରେ ଦେଖିବାକୁ ପାଇଥିଲେ। ସେମାନେ ତାଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ବଣାଇ ଓ ପରେ ରାଉରକେଲା ସରକାରୀ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ଆଜି ନାବାଳିକାଙ୍କର ସଂଜ୍ଞା ଆସିବା ପରେ ବି ସେ କଥାବାର୍ତା କରି ପାରି ନଥିଲେ। କିନ୍ତୁ ଏକ କାଗଜରେ ଘଟଣା ସଂପର୍କରେ ଲେଖିବା ପରେ ଏହି ଘଟଣା ଜଣାପଡିଥିଲା। ସଙ୍ଗେ ସଙ୍ଗେ ପରିବାର ଲୋକେ ରାଉରକେଲାରୁ ବଣାଇ ଆସି ଏତଲା ଦେବାପରେ ପୁଲିସ ଏହି ଘଟଣାକୁ ଗୁରୁତର ଭାବେ ଗ୍ରହଣ କରି ଅଭିଯୁକ୍ତକୁ ଥାନାରେ ଅଟକ ରଖି ତଦନ୍ତ ଚଳାଇଥିବା ଜଣାପଡିଛି।

ସମ୍ବନ୍ଧିତ ଖବର