କରୋନାରେ ଜିତିଲେ, ଦୁର୍ଘଟଣାରେ ଚାଲିଗଲେ; ମର୍ମନ୍ତୁଦ ଦୁର୍ଘଟଣା ନେଲା ମା’ଝିଅଙ୍କ ଜୀବନ

ସୁନ୍ଦରଗଡ଼/ହେମଗିର: କରୋନା ଯୁଦ୍ଧରେ ଜିତିଥିଲେ, କିନ୍ତୁ ଘରକୁ ଫେରିବା ବାଟରେ ଦୁର୍ଘଟଣାରେ ମହିଳାଙ୍କ ଜୀବନ ଚାଲିଗଲା। ସାଥୀରେ ଝିଅ ବି ବୁଜିଲେ ଆଖି। ଆଉ ଦୁର୍ଘଟଣାରେ ଗୁରୁତର ଆହତ ହେଲା ପୁଅ। ଆଜି ଅପରାହ୍ନ ୨ଟାରେ ସମ୍ବଲପୁର ଜିଲ୍ଲା ଶାସନ ବାଇପାସ ନିକଟ ପେଟ୍ରୋଲ ପମ୍ପ ସମ୍ମୁଖରେ ଏମିତି ଏକ ଛାତିଥରା ଦୁର୍ଘଟଣା ଘଟିଥିଲା। ମୃତା ମା’ ଝିଅ ହେଲେ ସୁନ୍ଦରଗଡ଼ ଜିଲ୍ଲା ହେମଗିର ଥାନା ଟିକିଲିପଡ଼ି ବିଜଲି ଭୋଇ (୫୬) ଓ ରବିନା (୨୦)। ଗୁରୁତର ପୁଅ ଦୋଳମାଧବ (୨୩)ଙ୍କୁ ଉଦ୍ଧାର କରି ବୁର୍ଲା ଡାକ୍ତରଖାନାକୁ ନିଆଯାଇଛି।

ମା’ ବିଜଲି ଭୋଇ କରୋନା ଆକ୍ରାନ୍ତ ହୋଇ ସମ୍ବଲପୁରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହୋଇ ସୁସ୍ଥ ହୋଇଥିଲେ। ଆଜି ଅପରାହ୍ନରେ ପୁଅ ଦୋଳମାଧବ ଓ ଝିଅ ରବିନା ଏକ ମହିନ୍ଦ୍ର କାର୍ ( ଓଡି-୧୬ଇ-୯୭୦୦)ରେ ସମ୍ବଲପୁରରୁ ମା’ଙ୍କୁ ନେଇ ଫେରୁଥିଲେ। ପୁଅ ଗାଡ଼ି ଚଲାଉଥିଲା। ଠିକ୍ ୨ଟାରେ ଶାସନ ବାଇପାସ୍ ନିକଟରେ ଥିବା ପେଟ୍ରୋଲ ପମ୍ପ ସମ୍ମୁଖରେ କାର୍ ଟି ଭାରସାମ୍ୟ ହରାଇ ଛିଡ଼ା ହୋଇଥିବା ଏକ ହାଇୱାକୁ ପଛପଟୁ ଧକ୍କା ଦେଇଥିଲା।

ଦୁର୍ଘଟଣାରେ କାର୍ ଟି ଭାଙ୍ଗି ଚୂରମାର୍ ହୋଇଯାଇଥିବା ବେଳେ ମା’ ଓ ଝିଅ ଘଟଣାସ୍ଥଳରେ ହିଁ ପ୍ରାଣ ହରାଇଥିଲେ। ଦୁର୍ଘଟଣାରେ ପୁଅ ଦୋଳମାଧବ ଗୁରୁତର ଆହତ ହୋଇଥିଲେ। ଶାସନ ଥାନା ପୁଲିସ ଓ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ପହଞ୍ଚି ସମସ୍ତଙ୍କୁ ଗାଡ଼ିରୁ ବାହାର କରିଥିଲା। ପୁଲିସ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହିତ ଦୁର୍ଘଟଣାଗ୍ରସ୍ତ ଗାଡ଼ି ଦୁଇଟିକୁ ଜବତ କରି ଅଧିକ ତଦନ୍ତ ଚଳାଇଛି। କରୋନରେ ସୁସ୍ଥ ହୋଇ ଫେରୁଥିବା ମା’ ସହ ଝିଅର ଶୋଚନୀୟ ମୃତ୍ୟୁ ଟିକିଲିପଡ଼ାରେ ଶୋକର ଛାୟା ଖେଳାଇ ଦେଇଛି।

ସମ୍ବନ୍ଧିତ ଖବର