ସୁବର୍ଣ୍ଣପୁର: ବିୟର ପାର୍ଲରରେ ହତ୍ୟାକାଣ୍ଡ, ଆତ୍ମସମର୍ପଣ ପରେ ଅଭିଯୁକ୍ତ ଗିରଫ

ବିନିକା: ମଦ ପିଇବା ପାଇର୍ ବିୟର ପାର୍ଲରକୁ ଯାଇଥିବା ୨ ଜଣ ଯୁବକଙ୍କ ମଧ୍ୟରେ ଯୁକ୍ତିତର୍କ ହେବାରୁ ଜଣେ ଯୁବକ ଉତ୍ତେଜିତ ହୋଇ ସ୍ଥାନୀୟ ଅଗ୍ନିଶମ କାର୍ଯ୍ୟାଳୟରେ କାର୍ଯ୍ୟରତ ଜଣେ କର୍ମଚାରୀଙ୍କୁ ନୃଶଂସ ଭାବେ ହତ୍ୟା କରିଛି। ସୁବର୍ଣ୍ଣପୁର ଜିଲ୍ଲାର ବିନିକାରେ ବୁଧବାର ସକାଳ ୯ଟାରେ ଏହି ହତ୍ୟାକାଣ୍ଡ ଘଟଣା ଘଯିଛି।

ରିପୋର୍ଟ ଅନୁସାରେ ନୂଆବଜାରସ୍ଥିତ ବିୟର ପାର୍ଲରରେ ବିନିକା ଥାନା ଅନ୍ତର୍ଗତ ଗାନ୍ଧୀନଗରପଡ଼ାର ଟିକୁ ଅଜଗର (୩୨) ନାମକ ଜଣେ ଯୁବକ ଅଗ୍ନିଶମ ବିଭାଗରେ କାର୍ଯ୍ୟରତ ଦୁଷ୍ମନ୍ତ କିଷାନଙ୍କୁ ହତ୍ୟା କରିଛି। ସୁନ୍ଦରଗଡ଼ ଜିଲ୍ଲାର ଲହୁଣୀପଡ଼ା ଥାନା ଅନ୍ତର୍ଗତ କୁଦ୍ରା ଗ୍ରାମର ଦୁଷ୍ମନ୍ତ ଏଠାରେ ଅଗ୍ନିଶମ ବିଭାଗରେ କାର୍ଯ୍ୟରତ ଥିଲେ। ଆଜି ସକାଳ ୯ଟାରେ ସେ ବିୟର ପାର୍ଲରକୁ ଯାଇଥିଲେ। ସେଠାରେ ଟିକୁ ଅଜଗର ସହିତ ଯୁକ୍ତିତର୍କ ହୋଇଥିଲା। ଉତ୍ତେଜିତ ଟିକୁ ଏକ କଟୁରୀ ଆଣି ଦୁଷ୍ମନ୍ତଙ୍କ ଗଳା କାଟି ଦେଇଥିଲା। ଘଟଣାସ୍ଥଳରେ ଦୁଷ୍ମନ୍ତଙ୍କର ମୃତ୍ୟୁ ହୋଇ ଯାଇଥିଲା।

ହତ୍ୟାକାଣ୍ଡ ପରେ ଟିକୁ ପୁଲିସ ନିକଟରେ ଯାଇ ଆତ୍ମସମର୍ପଣ କରିଥିଲା। ପୁଲିସ ଟିକୁକୁ ଗିରଫ କରିବା ପରେ ଘଟଣାସ୍ଥଳକୁ ଯାଇ ଦୁଷ୍ମନ୍ତର ମୃତଦେହକୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଜବତ କରିଛି। ପୁଲିସ ଘଟଣାର ତଦନ୍ତ କରୁଛି।

ସମ୍ବନ୍ଧିତ ଖବର