ଦୁଇ ଦେଶୀ ବନ୍ଧୁକ ଜବତ, ୨ଶିକାରୀ ଗିରଫ

ଝରିଗାଁ: ବନ୍ୟଜନ୍ତୁ ଶିକାର କରିବାକୁ ଯୋଜନା କରିବା ସମୟରେ ନବରଙ୍ଗପୁର ଜିଲ୍ଲା ଝରିଗାଁ ବନାଞ୍ଚଳ ଅନ୍ତର୍ଗତ ପାନାବେଡ଼ା ସଂରକ୍ଷିତ ଜଙ୍ଗଲରୁ ବନ ବିଭାଗ ପକ୍ଷରୁ ୨ଜଣ ଶିକାରୀଙ୍କୁ ଅଟକ ରଖାଯାଇଛି। ସେହିପରି ଶିକାରୀଙ୍କ ଠାରୁ ୨ଟି ଦେଶୀ ବନ୍ଧୁକ ଜବତ କରାଯାଇଛି।
ସୂଚନା ଅନୁଯାୟୀ, ଝରିଗାଁ ବନ ବିଭାଗ କର୍ମଚ‌ାରୀଙ୍କ ସହ ଭୁବନେଶ୍ବରରୁ ଆସିଥିବା ବନ୍ୟଜନ୍ତୁ ବିଶେଷଜ୍ଞ ଦଳର ତିନି ଜଣିଆ ଟିମ୍‌ ଆଜି ପାନାବେଡ଼ା ସଂରକ୍ଷିତ ଜଙ୍ଗଲର ଘୁମୁରମୁଣ୍ଡି ଜଙ୍ଗଲକୁ ବନ୍ୟଜନ୍ତୁଙ୍କ ତଦାରଖ କରିବାକୁ ଯାଇଥିଲେ। ଏହି ଟିମ୍‌ ଜଙ୍ଗଲରେ ଥିବା ଜନ୍ତୁ ମାନଙ୍କ ଫଟୋ ଉଠାଉଥିଲେ। ଏହି ସମୟରେ ଜଙ୍ଗଲ ଭିତରେ ଏକ ଚାଳ ଘରେ ୪ଜଣ ରହିଥିବା ବେଳେ ପ୍ରାୟ ୨୦ଜଣ କିଛି ବନ୍ୟଜନ୍ତୁଙ୍କୁ ଘଉଡାଉଥିବା ଏହି ଟିମ୍‌ ଦେଖିବାକୁ ପାଇଥିଲେ। ବନ୍ୟଜନ୍ତୁ ଗୁଡ଼ିକ ଚାଳ ଘର ନିକଟରେ ପହଞ୍ଚିବା ମା‌ତ୍ରେ ଶିକାର କରିବାକୁ ଯୋଜନା କରାଯାଇଥିଲା। କିନ୍ତୁ ଠିକଣା ସମୟରେ ବନ ବିଭାଗର ଟିମ୍‌ ପହଞ୍ଚି ଉକ୍ତ ଯୋଜନାକୁ ଫେଲ୍‌ କରିଦେଇଥିଲେ। ବନ ବିଭାଗ ଟିମ୍‌କୁ ଦେଖି ବନ୍ୟଜନ୍ତୁଙ୍କୁ ଘଉଡ଼ାଉଥିବା ୨୦ଜଣ ଫେରାର ହୋଇଯାଇଥିଲେ। କିନ୍ତୁ ଚାଳିଅା ଘରେ ଥିବା ଚନ୍ଦାହାଣ୍ଡି ବ୍ଲକ କୁହୁଡ଼ି ଗ୍ରାମର ଅରିକ୍ଷିତ ଭୁଞ୍ଜିଆ(୩୬), ବିକ୍ରମ ଭୂଞ୍ଜିଆ(୩୬), ମନୋହର ପୂଜାରୀ(୪୦), ଗଜେନ୍ଦ୍ର ସୁନା(୩୫)ଙ୍କୁ ବନ ବିଭାଗ ଅଧିକାରୀ କାବୁ କରିବା ସହ ସେମାନଙ୍କ ଠାରୁ ୨ଟି ଦେଶୀ ବନ୍ଧୁକ ଜବତ କରିଥିଲେ। ପରେ ଅଟକ ୪ଜଣଙ୍କୁ ଝରିଗଁା ବନ ବିଭାଗ କାର୍ଯ୍ୟାଳୟରେ ଅଟକ ରଖାଯାଇ ପଚରାଉଚରା କରାଯାଇଥିଲା। ଏମାନଙ୍କ ମଧ୍ୟରୁ ଅରିକ୍ଷିତ ଓ ବିକ୍ରମ ବନ୍ୟଜନ୍ତୁ ଶିକାର କରିବାକୁ ଯୋଜନା କରୁଥିବା ଜଣାପଡିବା ପରେ ବନ ବିଭାଗ ଉଭୟଙ୍କୁ ଗିରଫ କରି କୋର୍ଟଚ ଚାଲାଣ କରିଛି। ଅନ୍ୟ ୨ଜଣ ନିର୍ଦୋଷ ଥିବା କହି ଛାଡ଼ି ଦିଆଯାଇଛି। ଏହି ଚଢ଼ାଉରେ ଭୁବନେଶ୍ବରରୁ ଆସିଥିବା ୩ଜଣ ଅଧିକାରୀଙ୍କ ସହ ଝରିଗାଁ ରେଞ୍ଜର ମୁକୁନ୍ଦ ଦିଶାରୀ, ଫରେଷ୍ଟର ବିପିନ ହରିଜନ, ହରେଲାଲ ନିହାଲ, ଚନ୍ଦ୍ରଧ୍ବଜ ଲିମାତା ଏବଂ ପାରାଷ୍ଟାଫ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର