ମନରେଗା ଯୋଜନାରେ ପୁଣି ବ୍ୟବହାର ହେଉଛି ମେସିନ୍, ଜେସିବି ଲଗାଇ ତିଆରି ହେଉଛି ନୂତନ ରାସ୍ତା  

ରାଇଘର: ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ଏକ ଉପାନ୍ତ ଅଞ୍ଚଳ ହୋଇଥିବା ବେଳେ ତଦାରଖର ଅଭାବରୁ ଏହି ଅଞ୍ଚଳରେ ହେଉଥିବା ଉନ୍ନୟନମୂଳକ କାର୍ଯ୍ୟରେ ଘୋର ଅନିୟମିତତା ହେଉଥିବା ଦେଖିବାକୁ ମିଳିଛି l ଏହି ବ୍ଲକରେ କାର୍ଯ୍ୟକାରୀ ହେଉଥିବା ମନରେଗା ଯୋଜନାର ପ୍ରାୟ ସମସ୍ତ କାର୍ଯ୍ୟରେ ଏଠି ଖୁଲମଖୁଲା ଜେସିବି ବ୍ୟବହାର ହେଉଥିବା ବେଳେ ବ୍ଲକଠାରୁ ଆରମ୍ଭ କରି ଜିଲ୍ଲାସ୍ତରର ଅଧିକାରୀ ସବୁ ଜାଣି ଚୁପ୍ ରହୁଛନ୍ତି।  ଗତ କିଛି ଦିନ ପୂର୍ବେ ଦେବାଗାଁ ପଞ୍ଚାୟତର ରାଉତପାରା ଗ୍ରାମ ଠାରେ ମନରେଗା ଯୋଜନାରେ ନିର୍ମାଣ ହେଉଥିବା ରାସ୍ତା କାମରେ ମେସିନ୍ ବ୍ୟବହାର କରାଯାଉଥିବା ଘଟଣା ଗଣମାଧ୍ୟମରେ ପ୍ରକାଶ ପାଇଥିଲା।

ବିଭାଗୀୟ ଅଧିକାରୀ ଏଥିପ୍ରତି କୌଣସି ପଦକ୍ଷେପ ଗ୍ରହଣ କରିନଥିବା ବେଳେ ପୁଣି ଏଭଳି ବେନିୟମ କାର୍ଯ୍ୟ ସାମ୍ନାକୁ ଆସିଛି। ରାଇଘର ସୀମାନ୍ତରେ ଥିବା ଗୋନା ଗ୍ରାମପଞ୍ଚାଯତର ବରାହଗୁଡ଼ା ଠାରେ ମନରେଗା ଯୋଜନାରେ ନିର୍ମାଣ ହେଉଥିବା ନୂତନ  ରାସ୍ତାରେ ଜେସିବି ବ୍ୟବହାର କରାଯାଉଥିବା ଦେଖିବାକୁ ମିଳିଛି।

ସୂଚନା ଅନୁଯାୟୀ ବରାହଗୁଡ଼ା ଠାରୁ ମୁଣ୍ଡରପାରା ପର୍ଯ୍ୟନ୍ତ ନୂତନ ରାସ୍ତା ନିର୍ମାଣ ହେଉଛି।  ମନରେଗା ଯୋଜନାରେ ନିର୍ମାଣ ହେଉଥିବା ଏହି ରାସ୍ତା କାର୍ଯ୍ୟର କୋଡ୍ ନମ୍ବର ୧୦୪୧୦୪୭୯ ରହିଥିବା ବେଳେ ମୋଟ ଅଟ୍ଟକଳ ମୂଲ୍ୟ ୭ ଲକ୍ଷ ଟଙ୍କା ରହିଛି। ଗତ ୧ ବର୍ଷ ପୂର୍ବେ ଅର୍ଥାତ ୨୦୧୯ – ୨୦ ଆର୍ଥିକ ବର୍ଷରେ ଏହି କାମ ମନରେଗା ଯୋଜନାରେ ଅନ୍ତର୍ଭୁକ୍ତ ହୋଇଥିବା ବେଳେ ଏହି ରାସ୍ତା କାର୍ଯ୍ୟ ଏବେ ଆରମ୍ଭ ହୋଇଛି। ଉପାନ୍ତ ଅଞ୍ଚଳ ହୋଇଥିବାରୁ ବିଭାଗୀୟ ଅଧିକାରୀଙ୍କ ପାଦ ପଡୁନଥିବାରୁ ଏହି ରାସ୍ତା କାର୍ଯ୍ୟରେ ଖୁଲମଖୁଲା ନିୟମ ଉଲ୍ଲଂଘନ କରି ଜେସିବି ବ୍ୟବହାର କରାଯାଉଛି। ଏଥିସହିତ ଜିଲ୍ଲାରେ ମନରେଗା ଯୋଜନାର ତଦାରଖ କରିବାକୁ ଅମ୍ବୁଡଷ୍ ମ୍ୟାନ୍ ପଦବୀରେ କେହି ନଥିବାରୁ ଜିଲ୍ଲା ସ୍ତରରେ ମନରେଗା ଯୋଜନାର କାମରେ ଅନିୟମିତତା ହେଉଥିବା ଦେଖିବାକୁ ମିଳିଛି। ଉକ୍ତ ପଞ୍ଚାୟତରେ କାର୍ଯ୍ୟରତ ଜି ଆର୍ ଏସ ଦିବାସ ସିକଦାରଙ୍କୁ ପଚାରିବାରୁ ସେ ଶ୍ରମିକ ଲଗାଇ କାମ ହେଉଛି କହି କଥାଟିକୁ ଏଡ଼ାଇ ଦେଇଥିଲେ। ଅପରପକ୍ଷରେ ଜେସିବି ଲଗାଇ କାମ କରୁଥିବା ବେଳେ ମାଷ୍ଟର୍ ରୁଲ୍ ରେ କେଉଁ ଶ୍ରମିକଙ୍କ ତାଲିକା ରହିବ ତାହା ଏବେ ପ୍ରଶ୍ନବାଚୀ ସୃଷ୍ଟି କରିଛି।

ସମ୍ବନ୍ଧିତ ଖବର