ଦୁର୍ଘଟଣା ପୀଡିତ କୋଭିଡ ଯୋଦ୍ଧାଙ୍କୁ ହସ୍ପିଟାଲ୍‌ରେ ପହଞ୍ଚାଇ ବଡ଼ପଣ ଦେଖାଇଲେ ଆରଟିଓ କର୍ମଚାରୀ

ନବରଙ୍ଗପୁର: ନବରଙ୍ଗପୁର ଆରଟିଓ କର୍ମଚାରୀଙ୍କ ବଡ଼ପଣ। ସଡ଼କ ଦୁର୍ଘଟଣାରେ ପୀଡିତ ଜଣେ କୋଭିଡ ଯୋଦ୍ଧା ଆଶାକର୍ମୀଙ୍କୁ ମେଡିକାଲରେ ପହଞ୍ଚାଇ ନବରଙ୍ଗପୁର ଜିଲ୍ଲା ଟ୍ରାଫିକ ସବ ଇନ୍ସପେକ୍ଟର ମିଥୁନ ପ୍ରଧାନ ଦେଖାଇଲେ ମାନବିକତା । ନବରଙ୍ଗପୁର ସହର ଉପକଣ୍ଠ କୁକୁଡାକନାରୀ ଠାରେ ଟ୍ରାଫିକ ପୁଲିସ୍‌ ଓ ଜିଲ୍ଲା ପୁଲିସ୍‌ର‌ ମିଳିତ ଗାଡି ଯାଞ୍ଚ ସମୟରେ ପାପଡାହାଣ୍ଡିରୁ ନବରଙ୍ଗପୁର ଅଭିମୁଖେ ଗୋଟିଏ ବାଉଁଶ ବୋଝେଇ ଟ୍ରାକ୍ଟର ଓ ତା ପଛେ ପଛେ ଗୋଟିଏ ଅଟୋ ଆସୁଥିଲା । ଅସାବଧାନତା ଯୋଗୁ ଟ୍ରାକ୍ଟର ଡ୍ରାଇଭର ଟ୍ରାକ୍ଟରଟିକୁ ହଠାତ ପଛ ପଟେ ବୁଲାଇ ଦେଇଥିଲେ । ଯାହାଫଳରେ ପଛରେ ଆସୁଥିବା ଏକ ଅଟୋ ସହିତ ଧକ୍କା ହେବାରୁ ଅଟୋରେ ବସି ନବରଙ୍ଗପୁର ମେଡିକାଲକୁ ନିଜ ସରକାରୀ କାର୍ଯ୍ୟ ପାଇଁ ଆସୁଥିବା ଡାବୁଗାଁ ବ୍ଲକ କେଲିଆର ଆଶା କର୍ମୀ ଲିପ୍ସା ପ୍ରଧାନ ଗୁରୁତର ଭାବେ ଆହତ ହୋଇଥିଲେ । ଗାଡି ଯାଞ୍ଚରେ ଥିବା ଆରଟିଓ ସବଇନ୍ସପେକ୍ଟର ମିଥୁନ ପ୍ରଧାନ ଡ୍ୟୁଟିରେ ନିୟୋଜିତ ଥିବା ନିଜ ସରକାରୀ ଗାଡିରେ ଆହତ କୋଭିଡ ଯୋଦ୍ଧା ଲିପ୍ସା ପ୍ରଧାନଙ୍କୁ ନବରଙ୍ଗପୁର ମୁଖ୍ୟଚିକିତ୍ସାଳୟକୁ ନେଇ ଆଣିଥିଲେ ।

ସମ୍ବନ୍ଧିତ ଖବର