ବେଣାଗାଡିଆରେ ଅଘଟଣ, କଦଳୀ ଚୋରିରୁ ହତ୍ୟାକାଣ୍ଡ

ଖଣ୍ଡପଡ଼ା: ବାଡ଼ିରୁ ଅନ୍ୟ ଜଣେ ଯୁବକଙ୍କର ରାତିରେ କଦଳୀ ଚୋରିକୁ ବିରୋଧ କରିବାରୁ ଚୋରର ଛୁରାମାଡ଼ରେ ଯୁବକଙ୍କର ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି। ଏଭଳି ଅଭାବନୀୟ ଘଟଣା ଘଟିଛି ନୟାଗଡ଼ ଜିଲ୍ଲା ଖଣ୍ତପଡ଼ା ଥାନା ବେଣାଗାଡ଼ିଆ ପଞ୍ଚାୟତ ଅଧୀନସ୍ଥ କାଦୁଆ ଗ୍ରାମରେ। ଗ୍ରାମର ପଞ୍ଚାନନ ମଲ୍ଲିକଙ୍କ ବାଡ଼ିରୁ ମଙ୍ଗଳବାର ରାତି ୧୧ଟା ସମୟରେ ବେଣାଗାଡ଼ିଆ ଗ୍ରାମର ପ୍ରଭାତ ସ୍ୱାଇଁ ଓରଫ କାଠିଆ(୩୦) କଦଳୀ ଚୋରି କରୁଥିବା ବେଳେ ଧରାପଡିଥିଲେ। ଏହା ଜାଣିପାରି ପଞ୍ଚାନନଙ୍କ ପୁଅ ରମେଶ ମଲ୍ଲିକ (୩୨) ବିରୋଧ କରିବାରୁ ଘଟଣାସ୍ଥଳରେ ଗଣ୍ତଗୋଳ ହୋଇଥିଲା। ଚୋରି କରିବାକୁ ଆସିଥିବା ଚୋରର ପିଛା କରୁଥିବା ବେଳେ ବେଣାଗାଡିଆ ନିକଟରେ କାଠିଆ ଅଚାନକ ଆକ୍ରମଣ କରିଥିଲେ ବୋଲି ସୂଚନା ରହିଛି।

ଭୁଜାଲି ଆକ୍ରମଣରେ ଘଟଣାସ୍ଥଳରେ ରମେଶଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ସେହିପରି ରମେଶର ଭାଇ ବାବୁଲା ମଲ୍ଲିକ (୨୨) କାଠିଆ ଦ୍ଵାରା ଆକ୍ରମଣର ଶିକାର ହୋଇ ଗୁରୁତର ଆହତ ହେବା ସହିତ ନୟାଗଡ଼ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ଏ ନେଇ ପୁଲିସ ନିକଟରେ ଖବର ପହଂଚିବା ପରେ ଖଣ୍ଡପଡା ଥାନାଧିକାରୀ ବିଶ୍ଵଜିତ ରାଉତରାୟ ଘଟଣାସ୍ଥଳରେ ପହଞ୍ଚିବା ସହିତ ତନାଘନା ଆରମ୍ଭ କରିଛନ୍ତି। ଅନ୍ୟପକ୍ଷରେ ଅଭିଯୁକ୍ତକୁ ଫତେଗଡ଼ ଥାନାର କରବର ଗ୍ରାମରୁ ଆଜି ସକାଳୁ ଗିରଫ ଅଭିଯୁକ୍ତକୁ କାବୁ କରି ଚିକିତ୍ସା ପାଇଁ ମେଡିକାଲରେ ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି ।

ସମ୍ବନ୍ଧିତ ଖବର