ବଣ୍ଡାଘାଟିରେ ଗାଁ ଗାଁ ବୁଲି କରୋନା ଟେଷ୍ଟ କରାଯାଉଛି; ନେଗେଟିଭ ଲୋକଙ୍କୁ କରୋନା ଟିକା ଦିଆଯାଉଛି

ବଣ୍ଡା ଲୋକେ ସଚେତନ ହେଲେଣି

ମାଲକାନଗିରି: ମାଲକାନଗିରି ଜିଲ୍ଲାର ଦୁର୍ଗମ ଖଇରପୁଟ ବ୍ଲକର ବଣ୍ଡାଗାଟିରେ କରୋନା ସଂକ୍ରମଣ ବଢିବା ଆରମ୍ଭ ହେଉଥିବା ନେଇ ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ବ୍ଲକ ପ୍ରଶାସନ ଏବଂ ଜିଲ୍ଲା ପ୍ରଶାସନ ତତ୍ପରତା ଦେଖାଇଥିଲା। ପ୍ରଥମେ ବ୍ଲକ ପ୍ରଶାସନ ବଣ୍ଡାଘାଟିରେ ପହଞ୍ଚି ଲୋକଙ୍କୁ ମାସ୍କ ବଣ୍ଟନ ସହ ସାମାଜିକ ଦୂରତା ଏବଂ ହାତ ଧୋଇବା ସଂପର୍କରେ ବୁଝାଇଥିବା ବେଳେ ପରେ ଜିଲ୍ଲାପାଳ ଏବଂ ସିଡିଏମ୍ଓ‌ ନିଜେ ବଣ୍ଡାଘାଟି ପରିଦର୍ଶନ କରି ଲୋକଙ୍କୁ କିପରି କରୋନା ମହାମାରୀ ଠାରୁ ଦୁରରେ ରଖିବେ ସେନେଇ ବିଭିନ୍ନ ପଦକ୍ଷେପ ଗ୍ରହଣ କରିଥିଲେ। ଲୋକଙ୍କୁ କିପରି ସେମାନଙ୍କର ନିଜ ଭାଷାରେ କରୋନାର ଭୟାବହତା ଉପରେ ବଝାଇ ହେବ ଚେଷ୍ଟା କରାଯାଇଛି। ଏଥିପାଇଁ ସେଠାରେ କାମ କରୁଥିବା ବିଭିନ୍ନ ଏନ୍ଜି‌ଓମାନଙ୍କୁ ଦାୟୀତ୍ବ ପ୍ରଦାନ କରାଯାଇଥିବା ଜଣାପଡିଛି। ତେବେ ବଣ୍ଡାଘାଟିରେ ରହିଥିବା ୩୨ଟି ଗାଁକୁ ପ୍ରଶାସନ ତରଫରୁ ପହଞ୍ଚି ଲୋକଙ୍କୁ କରୋନା ଟେଷ୍ଟ କରାଇବା ସହ ଟେଗେଟିଭମାନଙ୍କୁ କରୋନା ଟିକା ପ୍ରଦାନ ନେଇ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି।

Sambad

ଜିଲ୍ଲା ପ୍ରଶାସନ ଏବଂ ଖଇରପୁଟ ବ୍ଲକ ପ୍ରଶାସନ ତରଫରୁ ବଣ୍ଡାମାନଙ୍କୁ କରୋନା ଟିକା ପ୍ରଦାନ ନେଇ ସଚେତନ କରାଯାଉଛି। ଲୋକଙ୍କୁ ଟୀକା ନେବା ଦ୍ବାରା ସେମାନଙ୍କର ରୋଗ ପ୍ରତିଷେଧକ ବଢିବ ଏବଂ ରୋଗ ହେବ ନାହିଁ ବୋଲି ବୁଝାଯାଉଛି। ତେବେ ବଣ୍ଡାମାନେ ପ୍ରଥମେ କରୋନା ଟେଷ୍ଟ ପାଇଁ ଅମଙ୍ଗ ହେଉଥିବା ବେଳେ ଏବେ କିନ୍ତୁ ସଚେତନ ହୋଇଛନ୍ତି। ଏହା ଭୟଙ୍କର ରୋଗ ବୋଲି ଜାଣିବା ପରେ ଲୋକୋ ନିଜେ ସ୍ବଇଛାରେ କରୋନା ଟେଷ୍ଟ କରାଉଛନ୍ତି।

ବଣ୍ଡାଘାଟିରେ ଲୋକେ ଆଦିମ ଜନଜାତି ହୋଇଥିବା ବେଳେ ନିଜର ପାରଂପାରିକ ଚିକିତ୍ସା ପଦ୍ଧତିକୁ ବିଶ୍ବାସ କରନ୍ତି। ତେବେ ପ୍ରଶାସନ ତରଫରୁ କିନ୍ତୁ ଏହି ରୋଗ ଏତେ ଭୟଙ୍କର ବୋଲି କହିବା ପରେ ସମସ୍ତେ ମୁହଁରେ ମାସ୍କ ପିନ୍ଧିବା ଆରମ୍ଭ କରିଛନ୍ତି। ପ୍ରଥମେ ୧୨ ଜଣ ଏହି ଅଂଚଳ ଲୋକେ ସଂକ୍ରମିତ ହୋଇଥିବା ବେଳେ ଏମାନଙ୍କ ମଧ୍ୟରୁ ୪ ଜଣ ସୁସ୍ଥ ହୋଇଥିବା କୁହାଯାଇଛି। ତେବେ ଆଜି ଜଣେ ଅଣ୍ଡ୍ରାହାଲ ପଞ୍ଚାୟତରେ ସଂକ୍ରମିତ ହୋଇଥିବା ଜଣାପଡିଛି। ପ୍ରଶାସନ ତରଫରୁ ଯଦି ବଣ୍ଡାଘାଟିରେ ହେଉଥିବା ସଂକ୍ରମଣକୁ ରୋକା ଯାଇନଥାନ୍ତା ତେବେ ସ୍ଥିତି ଗମ୍ଭୀର ହୋଇଥାନ୍ତା ବୋଲି କୁହାଯାଇଛି। ଜିଲ୍ଲାପାଳଙ୍କ ପରିଦର୍ଶନ ପରେ ହିଁ ଏବେ ସବୁ ଠିକଠାକ ଚାଲିଥିବା ଦେଖିବାକୁ ମିଳିଛି। ତେବେ ଆଗାମୀ ଦିନରେ ଲୋକେ କେତେ ସଚେତନ ହେଉଛନ୍ତି ତାହା ଦେଖିବାକୁ ବାକି ରହିଲା।

ସମ୍ବନ୍ଧିତ ଖବର