ମନରେଗାରେ ଦୁର୍ନୀତି; ହିତାଧିକାରୀଙ୍କ ୧୯.୮୮ ଲକ୍ଷ ହଡ଼ପ

ସ୍ତ୍ରୀଙ୍କ ନାଁରେ ଭେଣ୍ଡର କୋଡ କରି ଉଠାଇନେଲେ ଭିଏଲଡବ୍ଲ୍ୟୁ

ରାୟଗଡ଼ା: ମୁଣ୍ଡ ଝାଳ ତୁଣ୍ଡରେ ମାରି ରାସ୍ତା କାମ କଲେ ହିତାଧିକାରୀ। ଦୁଇ ପଇସା ଲାଭ ଆଶାରେ ସମୂହ ଭାବେ ଟଙ୍କା ଯୋଗାଡ଼ କରି ରାସ୍ତା ନିର୍ମାଣ ସାମଗ୍ରୀ ବାଲି, ଗୋଡ଼ି, ସିମେଣ୍ଟ୍, ଲୁହା ରଡ଼ ବି କିଣିଲେ। କିନ୍ତୁ କାମ ଶେଷ ହେବା ପରେ ହିତାଧିକାରୀଙ୍କୁ ଭୁତାଇ ସ୍ତ୍ରୀଙ୍କ ନାଁରେ ଭେଣ୍ଡର କୋଡ କରି ବିଲ୍ ଉଠାଇନେଲେ ଭିଏଲଡବ୍ଲ୍ୟୁ। ମନରେଗା ଯୋଜନାରେ ଏପରି ଚଞ୍ଚକତା ଦେଖିବାକୁ ମିଳିଛି ଚନ୍ଦ୍ରପୁର ବ୍ଲକ୍ ବିଜାପୁର ପଞ୍ଚାୟତର ସୁରୁଲି-ସାନପଙ୍କାଳ-ବଡପଙ୍କାଳ ରାସ୍ତା କାମରେ। ୨୦୨୦-୨୧ ଆର୍ଥିକ ବର୍ଷରେ ମନରେଗା ଯୋଜନାରେ ଚନ୍ଦ୍ରପୁର ବ୍ଲକର ସୁରୁଲି ଠାରୁ ସାନପଙ୍କାଳ ପର୍ଯ୍ୟନ୍ତ ରାସ୍ତା ନିର୍ମାଣ ସହ ଘାଟ କଟିଂ କାମ ଆରମ୍ଭ ହୋଇଥିଲା। ୫ କିମି ଦୂରତା ବିଶିଷ୍ଟ ରାସ୍ତା ନିର୍ମାଣ କାମରେ ସୁରୁଲି, ବଡପଙ୍କାଳ, ସାନପଙ୍କାଳ ଗାଁର ହିତାଧିକାରୀ ସାମିଲ୍ ହୋଇଥିଲେ।

ଗ୍ରାମବାସୀଙ୍କ ମଜୁରି ବାବଦ ଟଙ୍କା ଠିକ୍ ସମୟରେ ଆକାଉଣ୍ଟକୁ ଯାଇଥିବା ବେଳେ ରାସ୍ତା ନିର୍ମାଣରେ ବ୍ୟବହୃତ ସାମଗ୍ରୀ ବାବଦ ୧୯ ଲକ୍ଷ ୮୮ ହଜାର ୩୦୭ ଟଙ୍କା ଆଜି ସୁଦ୍ଧା ପାଇନାହାଁନ୍ତି। ବିଲ୍ ପାଇବାରେ ବିଳମ୍ବ ଯୋଗୁ ହିତାଧିକାରୀ ବ୍ଲକକୁ ଯାଇ ବୁଝାଶୁଝା କରିବା ପରେ ନିର୍ମାଣ ସାମଗ୍ରୀ ବାବଦ ଟଙ୍କା ପେମେଣ୍ଟ ହୋଇ ଯାଇଥିବା ଜଣା ପଡିଥିଲା। ଖୋଳତାଡ଼ ପରେ ବିଲ୍ ବାବଦ ଟଙ୍କାଙ୍କୁ ବିଜାପୁର ଭିଏଲଡବ୍ଲ୍ୟୁ ସୁଶୀଲ ନିମାଲପୁରୀ ନିଜ ସ୍ତ୍ରୀ ଶକୁନ୍ତଳା ନିମାଲପୁରୀଙ୍କ ନାଁରେ ଭେଣ୍ଡର କୋଡ କରି ହଡ଼ପ କରି ନେଇଥିବା ଜଣା ପଡିଛି। ହିତାଧିକାରୀମାନେ ସାମଗ୍ରୀ ବାବଦ ବିଲ୍ ପାଇଁ ସୋମନାଥ ନନ୍ଦଙ୍କ ନାଁରେ ଭେଣ୍ଡର କୋଡ କରି ପେମେଣ୍ଟ ପାଇଁ ବ୍ଲକକୁ ଦେଇଥିଲେ।

ହେଲେ ବିଡ଼ିଓ, ପିଇଓ, ଭିଏଲଡବ୍ଲ୍ୟୁ ଚଞ୍ଚକତା କରି ସୋମନାଥଙ୍କ ଭେଣ୍ଡର କୋଡକୁ ନାକଚ କରି ଭିଏଲଡବ୍ଲ୍ୟୁଙ୍କ ସ୍ତ୍ରୀ ଶକୁନ୍ତଳା ନିମାଲପୁରୀଙ୍କ ଭେଣ୍ଡର କୋଡ କରି ୧୯ ଲକ୍ଷ ୮୮ ହଜାର ଟଙ୍କା ହଡ଼ପ କରି ନେଇଛନ୍ତି। ଜୁନ୍ ୨ ତାରିଖରୁ ୫ ତାରିଖ ମଧ୍ୟରେ ୧୭ଟି ପର୍ଯ୍ୟାୟରେ ସାମଗ୍ରୀ ବାବଦ ଟଙ୍କା ବ୍ୟାଙ୍କରୁ ଉଠିଛି। ଯାହା ଭିଏଲଡବ୍ଲ୍ୟୁଙ୍କ ସ୍ତ୍ରୀଙ୍କ ଆକାଉଣ୍ଟଙ୍କୁ ଯାଇଥିବା ବିଜାପୁର ସରପଞ୍ଚ ଗାହି ହନ୍ଦନକା ଅଭିଯୋଗ କରିଛନ୍ତି। ଏ ନେଇ ହିତାଧିକାରୀ ଜୁଲାଇ ୮ ତାରିଖରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦେଶକ, ଜୁଲାଇ ୯ ରେ ଜିଲ୍ଲାପାଳ ଏବଂ ଲୋକପାଳଙ୍କୁ ସାକ୍ଷାତ କରି ଅଭିଯୋଗ କରିଥିଲେ।

ଅଭିଯୋଗ ପରେ ଜିଲ୍ଲାପାଳ ସରୋଜ କୁମାର ମିଶ୍ର ଘଟଣାର ତଦନ୍ତ କରି ତୁରନ୍ତ ହିତାଧିକାରୀଙ୍କୁ ଟଙ୍କା ଫେରାଇବାକୁ ଚନ୍ଦ୍ରପୁର ବିଡ଼ିଓଙ୍କୁ ନିର୍ଦେଶ ଦେଇଥିଲେ। ବିଡ଼ିଓ ଜଜ ଡୁଙ୍ଗଡୁଙ୍ଗ ହିତାଧିକାରୀଙ୍କୁ ଡାକି ଆଲୋଚନା କରିଥିବା ବେଳେ ଟଙ୍କା ହଡ଼ପ କରିଥିବା ଭିଏଲଡବ୍ଲ୍ୟୁ ନିମାଲପୁରୀ ଜୁନ୍ ୩୦ରେ ଚାକିରୀରୁ ଅବସର ଗ୍ରହଣ କରିଥିବାରୁ ହଡ଼ପ ଟଙ୍କା ହିତାଧିକାରୀଙ୍କୁ ମିଳିବା ନେଇ ସନ୍ଦେହ ଦେଖା ଦେଇଛି। ସାମଗ୍ରୀ ଟଙ୍କା ନ ମିଳିଲେ ରାସ୍ତାରୋକ କରିବା ସହ ବ୍ଲକ୍ ସମ୍ମୁଖରେ ଅନଶନ କରିବାକୁ ଥମାସ କ୍ରେପୁଟିକା, ପିତର ମାଝି, ଅଭିରାମ କ୍ରେପୁଟିକା, ରାଜେନ୍ଦ୍ର କ୍ରେପୁଟିକା, ଦଣ୍ଡାସି ମାଝି, ଜଗନ୍ନାଥ ସୁକାଲୁ ପ୍ରମୁଖ ହିତାଧିକାରୀ ଚେତାବନୀ ଦେଇଛନ୍ତି।

ସମ୍ବନ୍ଧିତ ଖବର