ଖୋର୍ଦ୍ଧା ସହରରେ ପୁଲିସ ସ୍ଥାଣୁ, ନିଶାଖିଆ ନେଇ ଦୁଇ ଗୋଷ୍ଠୀ ସଂଘର୍ଷ

୩ ଆହତ, ଥାନା ଘେରାଉ

ଖୋର୍ଦ୍ଧା: ରାଜ୍ୟ ରାଜଧାନୀର ଜିଲ୍ଲା ଖୋର୍ଦ୍ଧା। ଖୋର୍ଦ୍ଧା ସ୍ୱତନ୍ତ୍ର ପୁଲିସ ଜିଲ୍ଲାରେ କୌଣସି ଆଇପିଏସ ଅଧିକାରୀ ଆାରକ୍ଷୀ ଅଧୀକ୍ଷକ ଭାବେ ନିଯୁକ୍ତି ପାଇନଥିଲେ। ପ୍ରଥମଥର ପାଇଁ ଚଳିତବର୍ଷ ଜଣେ ଭାରତୀୟ ପ୍ରାଶାସନିକ ସେବାର ଅଧିକାରୀଙ୍କୁ ନିଯୁକ୍ତି ମିଳିଛି। ଏହି ନିଯୁକ୍ତିରେ ଆଶା କରାଯାଉଥିଲା ଖୋର୍ଦ୍ଧାରେ ଅପରାଧ, ବ୍ରାଉନ୍ସୁଗାର ଭଳି ସାଂଘାତିକ ନିଶାର କାରବାର ବନ୍ଦ ହେବ, ଟ୍ରାଫିକ ବ୍ୟବସ୍ଥା ସୁଧୁରିବ, ବେଆଇନ ଗୋରୁ, ଲଘୁ ଖଣିଜ ଦ୍ରବ୍ୟ ଚାଲାଣ ଉପରେ ଚଢ଼ଉ ଜୋରଦାର ହେବ, କିନ୍ତୁ ସବୁ ଆଶା ମଉଳି ଯାଇଛି। ଗତ ୪ ବର୍ଷ ଧରି ଖୋର୍ଦ୍ଧା ସହରରେ ନିଶା ଖିଆକୁ ନେଇ କୌଣସି ଗୋଷ୍ଠୀ ସଂଘର୍ଷ ହୋଇନଥିଲା, ଆଜି ପ୍ରଥମଥର ପାଇଁ ଏଭଳି ଘଟଣା ଘଟିଛି। ଏହାକୁ ନେଇ ଆଜି ସକାଳେ ଶତାଧିକ ପୁରୁଷ ମହିଳା ଥାନା ଘେରାଉ ମଧ୍ୟ କରିଛନ୍ତି। ଖୋର୍ଦ୍ଧାର ନୂଆ ବସଷ୍ଟାଣ୍ଡ ନିଶାଡ଼ି ଓ ନିଶା ବେପାରୀଙ୍କ ଆଡ୍ଡ଼ା ପାଲଟିଛି। ପରିସ୍ଥିତି ଏପରି ରାତି ୮ଟା ହେଲେ ସେଠାରେ ସାଧାରଣ ଲୋକ ଯିବାକୁ ସଂକୋଚ ପ୍ରକାଶ କରନ୍ତି। ଏଭଳି ସ୍ଥିତିରେ ଗତକାଲି ରାତିରେ ବାସେଳି ସାହି ଓ ଭାଲିଆବାଡ଼ିର କେତେକ ଯୁବକ ସେଠାରେ ନିଶା ଖାଉଥିଲେ। ନିଶାଶକ୍ତ ଅବସ୍ଥାରେ ସେମାନଙ୍କ ମଧ୍ୟରେ ବିବାଦ ସୃଷ୍ଟି ହେଲା।

ଏହାପରେ ଉଭୟ ନିଜ ନିଜର ସହଯୋଗୀଙ୍କୁ ଡାକିଲେ ଗଣ୍ଡଗୋଳ ତୀବ୍ର ରୂପ ନେଲା। ରାସ୍ତା ଉପରେ ଗୋଡ଼ିଆଗୋଡ଼ି ହୋଇ ପରସ୍ପରକୁ ଟେକାପଥର ଫିଙ୍ଗିବାରେ ଲାଗିଲେ। ଏଥିରେ ୪ରୁ ଉଦ୍ଧ୍ୱର୍ ଆହତ ହୋଇଥିବା ଜଣାଯାଇଛି। ତେବେ ଏହି ଘଟଣାରେ ଭାଲିଆବାଡ଼ିର ଆଜି ଶତାଧିକ ପୁରୁଷ ମହିଳା ଖୋର୍ଦ୍ଧା ଟାଉନ ଥାନା ଘେରାଉ କରିଥିଲେ। ସେମାନଙ୍କ ଅଭିଯୋଗ ହେଲା, ତାଙ୍କ ସାହିର ଦୁଇଜଣ ଯୁବକ ନୂଆ ବସଷ୍ଟାଣ୍ତ ଦେଇ ଗଲାବେଳେ ସେଠାରେ ବାସେଳି ସାହିର କେତେକ ଯୁବକ ନିଶାଶକ୍ତ ଅବସ୍ଥାରେ ସେମାନଙ୍କୁ ଆକ୍ରମଣ କରିଥିଲେ। ଏହାକୁ ନେଇ ଉଭୟଙ୍କ ମଧ୍ୟରେ ହାତାହତି ହୋଇଥିଲା। ପରେ ବାସେଳି ସାହିର ୫୦ରୁ ଉଦ୍ଧ୍ୱର୍ ଯୁବକ ସେମାନଙ୍କୁ ଗୋଡ଼ାଇ ଗୋଡ଼ାଇ ଭାଲିଆବାଡ଼ି ସାହି ମଧ୍ୟକୁ ପଶି ଟେକାପଥର ଫିଙ୍ଗିଥିଲେ। ଏଥିରେ କେତେକ ମହିଳା ଓ ପୁରୁଷ ଆହତ ହୋଇ ଖୋର୍ଦ୍ଧା ଜିଲ୍ଲା ଚିକିତ୍ସାଳୟରେ ଚିକିତ୍ସା ହୋଇଛନ୍ତି। ଏନେଇ ସେମାନେ ଥାନାରେ ଅଭିଯୋଗ କରିଥିଲେ ମଧ୍ୟ ପୁଲିସ କୌଣସି ପଦକ୍ଷେପ ନେଇନାହିଁ। ଏନେଇ ଥାନାର ଭାରପ୍ରାପ୍ତ ଅଧିକାରୀ ତାରିକ ଅହମ୍ମଦଙ୍କୁ ଯୋଗାଯୋଗ କରିବାରେ ସେ କହିଛନ୍ତି ଭାଲିଆବାଡ଼ି ଲୋକଙ୍କ ପକ୍ଷରୁ ଏକ ଲିଖିତ ଅଭିଯୋଗ ହୋଇଛି। ତେବେ ଅପରପକ୍ଷ ଏନେଇ ଅଭିଯୋଗ କରିଛନ୍ତି କି ନାହିଁ ଜାଣନ୍ତିନାହିଁ କି ଏହି ମାମଲାରେ କାହାରିକୁ ଅଟକ ରଖାଯାଇନାହିଁ।

ସମ୍ବନ୍ଧିତ ଖବର