ଆମ୍ବୁଲାନ୍‌ସ ଯିବାକୁ ରାସ୍ତା ନାହିଁ; ହସ୍‌ପିଟାଲ କରିଡର୍‌ରେ ଜବରଦଖଲ ଅଭିଯୋଗ, ରୋଗୀ ହନ୍ତସନ୍ତ

ଉତ୍ତରଦାୟିତ୍ବର ନିଷ୍ଠାପର ପ୍ରଦର୍ଶନ କଲେ ଆମ୍ବୁଲାନ୍‌ସ ଚାଳକ, ଜିଲ୍ଲାପାଳଙ୍କ ନିକଟରେ ଫେରାଦ

ବାରିପଦା: ହସ୍‌ପିଟାଲ କରିଡର ଜବରଦଖଲ ହୋଇପଡ଼ିଛି। ଆମ୍ବୁଲାନ୍‌ସ ଯିବାକୁ ମଧ୍ୟ ରାସ୍ତା ନାହିଁ। ରୋଗୀ ହନ୍ତସନ୍ତ ହେଉଛନ୍ତି। ଏନେଇ ଉତ୍ତରଦାୟିତ୍ବ ପ୍ରଦର୍ଶନ କରିଛନ୍ତି ଆମ୍ବୁଲାନ୍‌ସ ଚାଳକଗଣ। ପିଆରଏମ୍‌ ‌ହସ୍‌ପିଟାଲକୁ ରୋଗୀ ନେଇ ଆସୁଥିବାବେଳେ ରାସ୍ତା ଜାମ୍‌ କାରଣରୁ ସମ୍ମୁଖୀନ ହେଉଥିବା ହଇରାଣ ଏବଂ ରୋଗୀ ସମସ୍ୟାକୁ ଦୃଷ୍ଟିରେ ରଖି ଜିଲ୍ଲାପାଳଙ୍କୁ ଫେରାଦ ହୋଇଛନ୍ତି। ଟିବି ହସ୍‌ପିଟାଲଠାରୁ ଗଣେଶ ଲଜ୍‌ ଏବଂ ହସ୍‌ପିଟାଲର ୭ ମହଲାଠାରୁ ଏମ୍‌କେସି ହାଇସ୍କୁଲ ପର୍ଯ୍ୟନ୍ତ ରାସ୍ତାର ଉଭୟ ପାର୍ଶ୍ବରେ ଉଠା ଦୋକାନ ଓ ଗାଡି ମୋଟର ପାର୍କିଂ କାରଣରୁ ଆମ୍ବୁଲାନ୍ସ ଯାତାୟତରେ ଅସୁବିଧା ହେଉଛି ।

ରୋଗୀ ନିମନ୍ତେ ଗୋଟାଏ ସେକେଣ୍ଡର ବିଳମ୍ବ ଗୁରୁତ୍ୱପୂର୍ଣ୍ଣ ଓ ଜୀବନହାନୀର କାରଣ ହୋଇଥାଏ । ଏହାକୁ ନେଇ ୧୦୮ ଆମ୍ବୁଲାନ୍ସ ଚାଳକମାନେ ଗତବର୍ଷ ଜିଲ୍ଲାପାଳ ଓ ବାରିପଦା ପୌରନିର୍ବାହୀ ଅଧିକାରୀଙ୍କ ନିକଟରେ ଲିଖିତ ଅଭିଯୋଗ ଜଣାଇଥିଲେ ମଧ୍ୟ ବିଶେଷ ଫଳ ମିଳିନାହିଁ। ଫଳରେ ଆଜି ପୁଣି ଥରେ ୧୦୮ ଆମ୍ବୁଲାନ୍‌ସ ଚାଳକମାନେ ଜିଲ୍ଲାପାଳଙ୍କ ନିକଟରେ ଲିଖିତ ଅଭିଯୋଗ କରିବା ସହିତ ରାସ୍ତାକଡ଼ରୁ ଉଠା ଦୋକାନୀମାନଙ୍କୁ ଉଚ୍ଛେଦ କରାଯିବା ସହିତ ନୋ ପାର୍କିଂ ଜୋନ ଭାବେ ଘୋଷଣା କରିବାକୁ ଦାବୀ କରିଛନ୍ତି ।

ଆସନ୍ତା ଦୁଇ ସପ୍ତାହ ମଧ୍ୟରେ ଦାବୀ ପୂରଣ କରା ନଗଲେ ଆମ୍ବୁଲାନ୍ସ ଚାଳକମାନେ ଆନ୍ଦୋଳନ କରିବାକୁ ବାଧ୍ୟ ହେବେ ବୋଲି ଚେତାବନୀ ମଧ୍ୟ ଦେଇଛନ୍ତି । ଉଲ୍ଲେଖଯୋଗ୍ୟଯେ ବାରିପଦା ପୌରପରିଷଦର ରାସ୍ତାଘାଟ ଦିନକୁ ଦିନ ସଂକୋଚିତ ହେବାରେ ଲାଗିଛି । ପୌରପରିଷଦର ହୁଗୁଳା ଶାସନ ବ୍ୟବସ୍ଥା କାରଣରୁ ରାସ୍ତାର ବିଭିନ୍ନ ସ୍ଥାନମାନଙ୍କରେ ଉଠା ଦୋକାନୀମାନଙ୍କର ଆସ୍ଥାନ ଜମିଛି । ସେହିପରି ପାର୍କିଂ ସ୍ଥାନ ନ ଥାଇ କ୍ଲିନିକ, ମଲ, ଘରୋଇ ହସପିଟାଲ, ମଲ, ବ୍ୟାଙ୍କ ଆଦି ମୁଣ୍ଡ ଟେକି ଉଠିଛି । ସହରରେ ଚିହ୍ନଟ ହୋଇଥିବା ପାର୍କିଂ ସ୍ଥାନଗୁଡ଼ିକରେ ଉଠା ବ୍ୟବସାୟୀମାନେ ବ୍ୟବସାୟର ପସରା ମେଲାଇ ବସିଥିବା ବେଳେ ନୋ ପାର୍କିଂ ସ୍ଥାନରେ ଗାଡ଼ି ମୋଟର ପାର୍କିଂ ହେଉଥିବାର ଦେଖିବାକୁ ମିଳିଛି ।

ସମ୍ବନ୍ଧିତ ଖବର