ତିନି ଦଶନ୍ଧି ବିତିଲା ଗାଁକୁ ସଡ଼କ ହୋଇପାରିଲା ନାହିଁ 

ଖୋର୍ଦ୍ଧା : ଖୋର୍ଦ୍ଧା ଜିଲ୍ଲାର ବୋଲଗଡ଼ ବ୍ଲକ ଏକ ରାଜନୈତିକ ସମ୍ବେଦନଶୀଳ ବ୍ଲକ । ଏଠାରୁ ଅତୀତରେ ଅନେକ ରାଜ୍ୟସ୍ତରୀୟ ନେତା ନିର୍ବାଚିତ ହୋଇଛନ୍ତି । କିନ୍ତୁ ଏହି ବ୍ଲକରେ ଏଭଳି ଗାଁ ରହିଛି ଯେଉଁଠି ଗତ ତିନି ଦଶନ୍ଧି ଧରି ପକ୍କା ସଡ଼କଟିଏ ହୋଇ ପାରିନାହିଁ ।

ସୂଚନାନୁସାରେ, ଗୋପାଳପୁର ପଂଚାୟତର ସୀମାପଲ୍ଲୀ ଗାଁ । ପ୍ରାୟ ୯୦ ଦଶକରେ ଗାଁକୁ ମାଟି ସଡ଼କ ନିର୍ମାଣ ହୋଇଥିଲା । ସେତେବେଳେ ଗାଁରେ ଜନସଂଖ୍ୟା ୨୦୦ ଥିଲେ । ବର୍ତମାନ ଏହା ବୃଦ୍ଧି ପାଇ ୮୦୦ରେ ପହଂଚିଛି । ଗାଁର ବାସିନ୍ଦା ଚିତ୍ତରଂଜନ ସାହୁ କହିଛନ୍ତି ଯେ ଗାଁ ଠାରୁ ୨ କିମି ଦରରେ ତାଳତୁମ୍ବ, ୧ କିମି ଦୂରରେ ମୁଗମଣ୍ଡା, ନାରାୟଣୀ ପଡ଼ା ରହିଛି । ଗାଁରୁ ନିୟମିତ ଭାବେ ସ୍କୁଲ ପିଲାମାନେ ନାରାୟଣୀ ପଡ଼ା ଯାଉଛନ୍ତି । ବର୍ଷା ସମୟରେ ମାଟି ରାସ୍ତା ସଂପୂର୍ଣ୍ଣ ଭାବେ ଗମନାଗମନ ଅଯୋଗ୍ୟ ହୋଇପଡ଼ୁଛି । ଲୋକମାନେ ମୁଖ୍ୟ ରାସ୍ତା ଛାଡ଼ି ବିଲହୁଡ଼ା, ପୋଖରୀ ହୁଡ଼ା ଦେଇ ଚଳପ୍ରଚଳ ହେଉଛନ୍ତି ।
ସେହିଭଳି ଅନ୍ୟ ଜଣେ ବାସିନ୍ଦା ଗୋଦାବରୀଶ ବେହେରା କହିଛନ୍ତି ଯେ ଗାଁର ସଡ଼କ ସମସ୍ୟା ନେଇ ଗାଁର ସରପଂଚଙ୍କୁ ଅନେକ ଥର କହିଛୁ, କିନ୍ତୁ ସେ କହିଛନ୍ତି ଯେ ପକ୍କା ସଡ଼କ ପାଇଁ ସେ କିଛି କରିପାରିବେ ନାହିଁ । ବିଡିଓଙ୍କୁ ଏନେଇ ଅନେକ ଥର ମୌଖିକ ଭାବେ ଜଣାଇଛୁ, କିନ୍ତୁ ସଡ଼କ ପାଇଁ କୌଣସି ବ୍ୟବସ୍ଥା କରାଯାଇନାହିଁ ।
ସଂଗ୍ରାମ କେଶରୀ ବେହେରା କହିଛନ୍ତି ଯେ ଗାଁ ଠାରୁ ମୁଖ୍ୟ ପକ୍କା ସଡ଼କକୁ ସଂଯୋଗ କରୁଥିବା ରାସ୍ତାର ଦୀର୍ଘ ପ୍ରାୟ ଦେଢ଼ କିମି । ବର୍ଷର ଖରା ଓ ଶୀତ ଋତୁରେ କୌଣସି ମତେ ଯିବା ଆସିବା ସମ୍ଭବ, କିନ୍ତୁ ଥରେ ବର୍ଷା ହେଲେ ରାସ୍ତା ଶୁଖିବା ଯାଏଁ ଆଉ ସେହି ରାସ୍ତାରେ ଯିବାଆସିବା ପାଇଁ ସଂପୂର୍ଣ୍ଣ ଅନୁପଯୁକ୍ତ ହୋଇଯାଏ । ସେହିଭଳି ରାସ୍ତା ଖରାପ ହେଲେ ଯିବା ଆସିବା ପାଇଁ ବ୍ୟବହୃତ ହେଉଥିବା ପୋଖରୀ ହୁଡ଼ା ମଧ୍ୟ ବେଳେବେଳେ ଲଗାଣ ବର୍ଷାରେ ଡୁବିଯାଏ । ଲୋକେ ପୋଖରୀରେ ଡୁବିଯିବା ଭୟରେ ଗାଁରୁ ବାହାରକୁ ବାହାରନ୍ତି ନାହିଁ ।
ଏହି ସମସ୍ୟା ପ୍ରତି ଦୃଷ୍ଟି ଦେଇ ତୁରନ୍ତ ପକ୍କା ସଡ଼କ ନିର୍ମାଣ କରିବାକୁ ଗାଁଲୋକ ପ୍ରଶାସନ ଓ ସ୍ଥାନୀୟ ବିଧାୟକଙ୍କୁ ଅନୁରୋଧ କରିଛନ୍ତି ।

ସମ୍ବନ୍ଧିତ ଖବର